ଅନୁଭୂତି

 

 

 

 

 

 

 

 

 

 

 

ଅନୁଭୂତି

ଶ୍ରୀ ରବୀନ୍ଦ୍ରନାଥ ସିଂହ

 

‘‘ଶତାବ୍‌ଦୀର ପଛପଟେ ବୁଲି ଚାହିଁ, ଜଳଦସ୍ୟୁ ଦଳ

ସହ୍ୟାଦ୍ରି ଉପାନ୍ତେ ଯେବେ ଚମକାଇ ଗିରି ନଭଃସ୍ଥଳ

ଗାଇଲେ ବିଷାକ୍ତ ଗାନ ବାହିଲେ ରେ ବେପାର ସାଗରେ

ଆଜି ତା’ର କଣ୍ଠରୁଦ୍ଧ ଏଇ ଦେଖ ଗୋଆ ବୁକୁ ତଳେ !

ମରଣର ହିକ୍‌କା ଉଠେ ଜୀବନର ଯାତ୍ରା-ପଥେ ଯା’ର

ଜୀବନର ଶୋଭାଯାତ୍ରା କହେ ତାକୁ ଦୂରେ ସାଲାଜାର !

ଡାକେ ଆଜି ଗୋଆ ମାଟି ଗୁଳିଚୋଟେ, ସଂଗୀନର ମୁନେ

ସତ୍ୟ ଶାନ୍ତି ଅହିଂସାର ମହାମନ୍ତ୍ର ସତ୍ୟାଗ୍ରହୀ ଶୁଣେ !!’’

 

ଶ୍ରୀ ଗୋଦାବରୀଶ ମହାପାତ୍ର

 

ଉତ୍ସର୍ଗ

 

ଆଶା !

 

୧୯୫୫ ମସିହା ସେପ୍‌ଟେମ୍ବର ମାସର ତା ୨୩ରିକ ରାତି.......ବମ୍ବେ-ହାଉଡ଼ା ମେଲ୍‌ର ଏକ ପ୍ରଥମ ଶ୍ରେଣୀ ଡବାରେ ‘ନାସିକ୍‌ରୋଡ଼୍‌’ ଷ୍ଟେସନ୍‌ରେ ତମ ସଂସ୍ପର୍ଶରେ ଆସିବାର ସୁଯୋଗ ମତେ ମିଳିଥିଲା । ତମେ ଯାଉଥିଲ ନାଗପୁର—ଗୋଆ ସୀମାନ୍ତରୁ ଭା ସୀମାନ୍ତରକ୍ଷୀ ପୋଲିସର ବର୍ବର ଆକ୍ରମଣରେ କ୍ଷତବିକ୍ଷତ ହୋଇ, ଦେହସାରା ବେଲ୍‌ଗାଓଁ ହସ୍‌ପିଟାଲର ବ୍ୟାଣ୍ଡେଜ୍‌ ଘେନି ମୁଁ ସେଦିନ ଏକାକୀ ଫେରୁଥିଲି କଟକ । ଅବଶ୍ୟ ମୋର ପ୍ରତ୍ୟାବର୍ତ୍ତନ ପଥରେ ଥିଲା ଏକ ନିର୍ଦ୍ଦିଷ୍ଟ ଲକ୍ଷ୍ୟ ! —କିନ୍ତୁ ତମର ସେତକ ବି ନଥିଲା !!

 

ଉଚ୍ଚ ଶିକ୍ଷିତା, ସମ୍ଭ୍ରାନ୍ତ ବଂଶୀୟା ମହିଳା ତମେ—ସ୍ୱାମୀର କୁକାର୍ଯ୍ୟର ପ୍ରତିବାଦ କରି ଶେଷରେ ତମେ ହେଲ ପରିତ୍ୟକ୍ତା । ପାଖରେ ନଥିଲା ପାଥେୟ, ଦୁଇ ଦିନ ଧରି ଅନାହାର, ପିନ୍ଧା ଶାଢ଼ୀଟି ଛଡ଼ା ଅନ୍ୟ କିଛି ସମ୍ବଳ ତମର ଥିଲା ନାହିଁ । ତଥାପି ତମେ ଚାଲିଥିଲ !

 

କାହିଁ କେଉଁ ଚିର ଅଭିଶପ୍ତ ଓଡ଼ିଶାଭୂଇଁର ଜଣେ ଅଜଣା ଅପରିଚିତ ପାନ୍ଥ ମୁଁ—କାହିଁ କେଉଁ ଚିର ଆଶୀର୍ବାଦପ୍ରାପ୍ତ ଦିଲ୍ଲୀନଗରୀ ଉପକଣ୍ଠର ଏକ ପରିତ୍ୟକ୍ତା, ନିର୍ଯ୍ୟାତିତା ରମଣୀ ତମେ-!! କି ସମ୍ବନ୍ଧ ବା ଥିଲା ତମ ସହିତ ମୋର ? କିନ୍ତୁ ସେଦିନ କେଇଟି ଘଣ୍ଟା ରେଳଯାତ୍ରା ଭିତରେ, ନିଜ ଆଖିର ଅସରନ୍ତି ଲୁହରେ ମୋ’ ହୃଦୟର ଜୀର୍ଣ୍ଣ ପାଣ୍ଡୁଲିପିରେ ଯେଉଁ କେତେ ପଦି କଥା ଲେଖି ଦେଇଗଲ, ତାହା ଆଜିଯାକେ ଅଲିଭା ହୋଇ ରହିଛି—ରହିବ ଚିରଦିନ ପାଇଁ । ହଁ ଆଶା ! ଯେଉଁ ଦିଲ୍ଲୀନଗରୀ ଓ ତା’ର ଉପକଣ୍ଠ ଦିନେ ଥିଲା କୌରବମାନଙ୍କର ଚରାଭୂଇଁ—ଯେଉଁ ‘ଇନ୍ଦ୍ରପ୍ରସ୍ଥ’ରେ ଦିନରାତି ଗଡ଼ୁଥିଲା ସର୍ବଗ୍ରାସୀ ଶକୁନିର ପଶାକାଠି—ଯେଉଁଠି ଦିନେ ବିବସନା ହୋଇଥିଲା ପାଣ୍ଡବ ଘରଣୀ ପାଞ୍ଚାଳୀ—ଦୁଃଶାସନ ମୁଣ୍ଡରେ ଢାଳିଥିଲା ଆଗ୍ନେୟ ଅଭିଶାପ; ସେଇ ମାଟିରେ ଲାଳିତ-ପାଳିତ ତମର ଶୈଶବ । ତମେ ଯଦି ଭାବୁଥାଅ ଅତୀତର ସେଇ ଦୌର୍ଯ୍ୟୋଧନୀ ଶାସନ ବ୍ୟବସ୍ଥାର ବିଲୋପ ଘଟିଛି; ତାହେଲେ ମୋର କିଛି କହିବାର ନାହିଁ । କିନ୍ତୁ ମୁଁ ଅତି ନିବିଡ଼ ଭାବରେ ଉପଲବ୍‌ଧି କରିଛି—ଆଖି ଆଗରେ ଦେଖୁଛି ଅତୀତର ସେଇ ‘‘ଧୂର୍ତ୍ତ-ରାଷ୍ଟ୍ରୀୟ’’ ଶାସନର ପଂରପରା ଆଜି ବି ଦେଶରେ ବିଦ୍ୟମାନ—ହଜାର ହଜାର ବର୍ଷ ପରେ ସେ ଆଜି ହଠାତ୍‌ ମୁଣ୍ଡଟେକି ଉଠିଛି ଅଚାନକ ଭାବରେ । ଫଳରେ କେତେ ‘ଦ୍ରୌପଦୀ’ଙ୍କୁ ବିବସନା ହେବାକୁ ପଡ଼ିଛି, ପଡ଼ୁଛି, ପଡ଼ିବ ଦେଶୀ-ଦୁର୍ଯ୍ୟୋଧନର କୁରୁସଭା ତଳେ—କେତେ ନାରୀର ‘ନାରୀତ୍ୱ’ ପଦଦଳିତ ହୋଇଛି...ହେଲାଣି...ହେବ ମଧ୍ୟ ! କେତେ କୂଳ-ଭୂଆସୁଣୀର ‘ସତୀତ୍ୱ’ ଆଜି ଲୁଣ୍ଠିତ...ଅପମାନିତ ଆଉ ବିଭ୍ରାନ୍ତ । ଆଜିର ଭୀମ, ଅର୍ଜୁନ, ଯୁଧିଷ୍ଠିର ସମସ୍ତେ ନୀରବ । କାରଣ, ଜାନୁଆର ଶାସନ ବ୍ୟବସ୍ଥା କି ନା !!!

 

ମୋର ଏ ଜୀବନ...ତା’ର ପ୍ରଥମ ସକାଳରୁ ‘ବାରବୁଲା’ ଉପାଧିକୁ ଗଣ୍ଠିଧନ କରି କେତେ ଦେଶ ବିଦେଶ ବୁଲିଛି । ଯୋଉଠି କାଲି ଦେଖିଲି ଅନୁର୍ବର ଟାଙ୍ଗର ଭୂଇଁ, ଆଜି ସେଠି ମୁଣ୍ଡ ଟେକିଛି ଆକାଶଛୁଆଁ କୋଠା ! ଯୋଉଠି କାଲି ଥିଲା କୁଡ଼ିଆମାଳ ଗାଁ, ଆଜି ହୁଏତ ତା’ର ସତ୍ତା ବି ନାହିଁ ! ଗୋଟାଏ ଆଡ଼େ ଦେଶର ଅନାହାରୀ, ବଞ୍ଚିତ ମଣିଷର ବୁକୁଫଟା ଆର୍ତ୍ତନାଦ;—ଅନ୍ୟ ଆଡ଼େ ‘ରାଜଧାନୀ’ର କେଉଁ ଏକ ନିଭୃତ କକ୍ଷରୁ ଶୁଭୁଛି ମନ୍ତ୍ରୀଦଳର ‘ପୁନଃଗଠନ’ ଡାକ ! ‘ଦେଶପ୍ରେମ’, ‘ଜାତୀୟ ଐକ୍ୟ’ର ଧ୍ୱନି ଉଠୁଛି ତୁହାକୁ ତୁହା—‘ନେତା’ ଗୋଷ୍ଠୀଙ୍କ ଆଖିରୁ ଅବିରାମ ବହୁଛି କୃତ୍ରିମ ଅଶ୍ରୁ । ଗୋଟାଏ ଆଡ଼େ ‘ହାତବୁଣା ଲୁଗାର ପ୍ରସାର’ ପାଇଁ ଡାକ ଶୁଭୁଛି ତ, ଅନ୍ୟଆଡ଼େ ଗୋଟାକପରେ ଗୋଟାଏ ବସୁଛି ଲୁଗାକଳ । ‘ହ୍ୟାଣ୍ଡ୍‌ ପାଉଁଡ଼ିଂ ଅଫ୍‌ ରାଇସ୍‌’ ନାଁରେ ଅଜସ୍ର ଟଙ୍କାର ବରବାଦ ଚାଲିଥିଲା ବେଳେ ଶହ ଶହ ନିରୀହା, ନିଃସହାୟା ରାଣ୍ଡି-ଖଣ୍ଡିଙ୍କୁ ‘ହଲାର’ କରି ଗାଁକୁ ଗାଁ ବସି ଚାଲିଛି ଗୋଟାକ ପରେ ଗୋଟାଏ ଧାନକଳ—‘ହଲାର’ ମେସିନ୍‌ । ବିଦେଶୀ ପୁଞ୍ଜିବାଦ ଯାଇଛି;—ଆସିଛି ‘ସ୍ୱରାଜ’ ମାର୍କା ଦେଶୀ ପୁଞ୍ଜିବାଦ । ରାତିପାହି ସକାଳ ହେଲେ ଅଗଣିତ ମଣିଷ ଲଢ଼େଇ କରୁଛନ୍ତି ପ୍ରାଣମୂର୍ଚ୍ଛା—ଖଣ୍ଡିଏ କନା, ଗଣ୍ଡିଏ ଦାନା ପାଇଁ । ମଣିଷ ଖଟୁଛି...ଖଟୁ ଖଟୁ ମରୁଛି । ତା’ର ‘ନିତିଦିନିଆଁ ଯୋଜନା’ ଫେଲ୍‌ ମାରୁଛି ପ୍ରତି ମୁହୂର୍ତ୍ତରେ । କିନ୍ତୁ ଅନ୍ୟ ଆଡ଼େ ? ‘ପଞ୍ଚବାର୍ଷିକ ଯୋଜନା’ ନାଁରେ କରଦାତାର ଘର୍ମିଲ ଧନର ଚାଲିଛି ହରିଲୁଟ୍‌ ।

 

ଏଇ ! ଏଇ ହେଉଛି ଧନବାଦୀ ଅମଲାତାନ୍ତ୍ରିକ ଶାସନଚକର ଘୂର୍ଣ୍ଣନ । ସେଇ ‘ଘୂର୍ଣ୍ଣନ’ରେ ଦଳି, ଚକଟି, ମନ୍ଥି, ପେଷି ହେଇ ଯାଉଛନ୍ତି ସମସ୍ତେ । ତମେ, ମୁଁ, ସିଏ, ଅନ୍ୟମାନେ, କନ୍ଦରପୁରର କୁକୁଡ଼ା ବେପାରୀ ଜଲିଲ୍‌ ମିଆଁ, ଢେଙ୍କାନାଳ ଜେଲ୍‌ରେ ଆଜୀବନ କାରାଦଣ୍ଡ ଭୋଗୁଥିବା କନେଷ୍ଟବଳ ରଘୁନାଥ ପରିମାଣିକ, ଆମ ଗାଁର ଅର୍ଜୁନା ପାଣ ।

 

ତମେ ଆଜି କୋଉଠି ଅଛ କେମିତି ଅଛ—ଜାଣେନା । ମୋ’ ଜୀବନରେ କି ଦୁଃଖ-କକର୍ଥନାର ସୀମା ନାହିଁ ! ହେଲେ ବି ଆଜି ଶହ ଶହ ମାଇଲ ଦୂରରେ ବସି ମନେ ପଡ଼ୁଛି ତମର ସେଦିନର ସେଇ ଅଶ୍ରୁସକ୍ତି, ବିପନ୍ନ ମୁଖଛବି । ନାଗପୁର ଷ୍ଟେସନ୍‌ରେ ତମେ ସେଦିନ ଓହ୍ଲେଇଗଲ–ଯିବାବେଳେ ବାଷ୍ପରୁଦ୍ଧ କଣ୍ଠରେ କହିଗଲ; ‘‘ଜିନ୍ଦ୍‌ଗୀ ବର୍‌ବାଦ୍‌ ହୋ ଗୟା ।’’

 

ଓଃ, ବଡ଼ ମର୍ମ୍ମସ୍ପର୍ଶୀ ସେ କଥା ପଦକ !

 

ଗାଡ଼ି ଛାଡ଼ିଲା । ତା’ପରେ ତମ ଦଶା କ’ଣ ହେଲା ମୁଁ ବା ଜାଣନ୍ତି କିମିତି ? ଦୁର୍ଦ୍ଦାନ୍ତ, ଅପରିମିତ ଗତିରେ ଛୁଟିଥାଏ ବମ୍ବେ-ହାଉଡ଼ା ମେଲ୍‌—ତା’ର ଗତିବେଗ ସହିତ ବି ବଢ଼ୁଥାଏ ମନର ଗତିବେଗ । କାନ ପାଖରେ ବାରଂବାର ଧ୍ୱନିତ ହେଉଥାଏ, ‘‘ଜିନ୍ଦ୍‌ଗୀ ବର୍‌ବାଦ୍‌ ହୋ ଗୟା-।’’

 

ହଁ ଆଶା ! ଖାଲି ତମ ‘ଜିନ୍ଦ୍‌ଗୀ’ ନୁହେଁ, ପ୍ରତିଦିନ ପ୍ରତିମୁହୂର୍ତ୍ତରେ କେତେ ‘ଜିନ୍ଦ୍‌ଗୀ’ ବରବାଦ୍‌ ହେଇଯାଉଛି ତା’ର ହିସାବ କିଏ ରଖୁଛି ନା ରଖିବ ? ଆଜିର ଏ ବର୍ଷଣମୁଖର ଅପରାହ୍ନରେ ବସି ଭାବୁଛି ସେଇ କଥା ।

 

ମୁଁ ବର୍ତ୍ତମାନ ଭୀଷଣ ଅସୁସ୍ଥ । ଏତିକିରେ ଶେଷ କରୁଛି ୟେ ଲେଖା । ତା ପୂର୍ବରୁ ଆଶା କରୁଚି, ଯଦି ‘‘ଭଗବାନ’’ଙ୍କ ଦୟାରୁ ବଞ୍ଚିଥାଅ, ତାହେଲେ ସୁଗମ ହେଉ ତମ ଜୀବନର ଅସରନ୍ତି ଚଲାପଥ ! —ପତିବିଚ୍ଛେଦର ଦାରୁଣ ଦୁଃଖକୁ ସହ୍ୟ କରିବା ପାଇଁ ତମ କୋମଳ ତନୁଲତାରେ ଆସୁ ଇସ୍‌ପାତର ଦୃଢ଼ତା !!

 

ତମର ସେଦିନ ସେଇ ନୈକଟ୍ୟର ସ୍ମୃତି ସ୍ୱରୂପ ଆଜି ଏଇ ଅଥରା ଜୀବନର କ୍ଷତି-ବିକ୍ଷତ ‘ଅନୁଭୂତି’କୁ ଟେକି ଦେଉଛି ତମରି ଉଦ୍ଦେଶ୍ୟରେ । ଇତି ।

 

ରାଉସାପାଟଣା, କଟକ

ତମର

ତା ୧ । ୮ । ୧୯୫୮

ସେଦିନର ସହଯାତ୍ରୀ

 

(ଲେଖକ)

Image

 

ଶୁଭେଚ୍ଛା

 

ସ୍ନେହର ରବି !

 

ମଣିଷ ଯାହା ଭାବେ, ତାହା କଥାରେ ପ୍ରକାଶ କରି ପାରେ ନାହିଁ । ଯାହା କଥାରେ ପ୍ରକାଶ କରେ, ତାହା କାଳି-କଲମରେ ପୂରାପୂର ଆଙ୍କିପାରେ ନାହିଁ । କାଳି-କଲମରେ ଯାହା ବି ଆଙ୍କେ, ତାହା ଲୋକଙ୍କ ଆଖି ଆଗକୁ ଆସିପାରେ ନାହିଁ । ବହୁ ଲେଖକଙ୍କ ଲେଖା ଏହିପରି ଛାପା ନହୋଇ ଛପି ରହିଛି ।

 

ତମେ ଜଣେ ଜାତୀୟ ସୈନିକର ସନ୍ତାନ—ସ୍ୱାଧୀନତା ଯୁଦ୍ଧବେଳେ ପିତାଙ୍କ ସହ ବହୁ ଦୁଃଖ-ଦୁର୍ଦ୍ଦଶା ଭୋଗ କରିଛ । ପିତାଙ୍କ ରଚିତ ଜାତୀୟ ଗୀତିକା ଗାଇ ଗାଇ ଲୋକଙ୍କ ପ୍ରାଣରେ ଜାତୀୟ ଭାବ ଉଦ୍ରେକ କରିଛ । ଚାହାଳି ଦୁଆରମୁହଁ ନ ମାଡ଼ିଲେ ମଧ୍ୟ ତମର ଶିକ୍ଷାଗୁରୁ ତମ ପାରିପାର୍ଶ୍ୱିକ ଅବସ୍ଥା ।

 

ଆଜି ବାପା ଆଉ ନାହାନ୍ତି । ତାଙ୍କ କବିତ୍ୱର ଛିଟା ତମଠାରେ ପଡ଼ିଛି । ତମେ ଯାହା ଲେଖୁଛ; ତାହା ତମ ହୃଦୟର ଅନୁଭୂତି । ଅଳ୍ପ ଦିନ ତଳେ ସ୍ୱର୍ଗତ ଲୋକବନ୍ଧୁ (ଗୋପବନ୍ଧୁ) କହିଥିଲେ, ‘‘ତମେ ନିଜକୁ ନିଜେ ଚିହ୍ନି ପାରିନାହିଁ ।’’

 

କସ୍ତୁରୀ ଗନ୍ଧ ପାଇ ମୃଗ ଏଣେତେଣେ ଦୌଡ଼ି ବୁଲେ—ସେ ଜାଣି ପାରେ ନାହିଁ, କସ୍ତୁରୀ ତା’ରି ନାଭି-ମଣ୍ଡଳରେ ଅଛି । ଦୌଡ଼ୁ ଦୌଡ଼ୁ ଶବର ଶରରେ ପ୍ରାଣ ହରାଏ । ଯା ହଉ, ତମେ ଯେ ତମ ନିଜକୁ ଚିହ୍ନି ପାରିଛ; ମୁଁ ସେତିକିରେ ଖୁସି ।

 

ଭୋକ ଓପାସରେ ପଡ଼ି, ରୋଗ-ଯନ୍ତ୍ରଣାରେ ସଢ଼ି, ବହୁ ବାଧା-ବିଘ୍ନ ଭିତରେ ଯେଉଁ କେତେ ଖଣ୍ଡି ବହି ଲେଖିଛି; ତାହା ତମ ପ୍ରତିଭାର ପରିଚାୟକ । କଥାରେ ଅଛି, ‘‘ତୁଳସୀ ଦୁଇ ପତ୍ରରୁ ବାସେ ।’’

 

କାଳିଗଳି, କଟକ

ତମର ଶୁଭାକାଙ୍‌କ୍ଷୀ

ତା ୧୩ । ୩ । ୫୮

ଶ୍ରୀ ବୀରକିଶୋର ଦାସ

Image

 

ପରିଚୟ

 

* ୧୯୩୨ ଖ୍ରୀଷ୍ଟାବ୍ଦ, ମାଘ, ଶ୍ରୀପଞ୍ଚମୀ ତିଥିରେ, କଟକ ଜିଲ୍ଲା ଜଗତ୍‌ସିଂହପୁର ଥାନାର ନବାପାଟଣା ଗ୍ରାମରେ ଏକ ମଧ୍ୟବିତ୍ତ ପରିବାରରେ ଏହି ତରୁଣ ଗାଳ୍ପିକ, ପର୍ଯ୍ୟଟକ, ରାଜନୀତିଜ୍ଞ, ବିପ୍ଳବୀ କବିଙ୍କର ଜନ୍ମ । ପିତା ସ୍ୱାଧୀନତା ସଂଗ୍ରାମରେ ସକ୍ରିୟ ଅଂଶ ଗ୍ରହଣ କରି କାରାରୁଦ୍ଧ ଥିବାବେଳେ ୟାଙ୍କର ଆବିର୍ଭାବ । ପରିବାର ଉପରେ ଇଂରେଜ ସରକାରର ଆକ୍ରମଣ, ବାରମ୍ବାର ଘର କୋରଖ, ଜମି ନିଲାମ୍‌, ଜେଲ୍‌, ଜୋରିମାନାର ଝଡ଼ ସେତେବେଳେ ବହୁଥିଲା ଅବିଶ୍ରାନ୍ତ ଭାବରେ । ଫଳରେ ଆର୍ଥିକ ଦୁଃସ୍ଥିତି ଯୋଗୁଁ ବାଲ୍ୟାବସ୍ଥାରୁ ସ୍କୁଲକଲେଜ ପଢ଼ାର ସୁଯୋଗ ସେ ପାଇନାହାନ୍ତି । ତାଙ୍କ ନିଜ ଭାଷାରେ, ‘‘ପିଲାଦିନୁ ଚାହାଳି ଦୁଆର ମୁହଁ ମାଡ଼ିନି...... ନାଁ ପଛରେ ମୋର ନାଇଁ ବିଜ୍ଞାପନ...... ତଥାପି କଲମ ଧରିଛି... ‘ସାହିତ୍ୟିକ’ ବୋଲାଇବା ଉଦ୍ଦେଶ୍ୟରେ ନୁହେଁ, ସମାଜରୁ ବିକ୍ଷୋଭ ଦୂର କରିବା ପାଇଁ..... ଜୀବନର ସ୍ୱାଦ ଆଉ ପ୍ରାଣର ପ୍ରାଚୁର୍ଯ୍ୟ ପାଇଁ ।’’

 

* ୮ ବର୍ଷ ବେଳୁଁ ପ୍ରତ୍ୟକ୍ଷ ରାଜନୀତିରେ ଭାଗନେଇ ଗତ ୧୯୪୨ ଅଗଷ୍ଟ ଆନ୍ଦୋଳନରେ ସେ କାରାବରଣ କରିଥିଲେ । ସ୍ୱାଧୀନତା ପ୍ରାପ୍ତି ପରେ ସେ ବିଭିନ୍ନ ବାମପନ୍ଥୀ ଦଳମାନଙ୍କରେ କାମ କରି ଆସୁଥିଲେ । ପରିଶେଷରେ ୧୯୫୬ ମସିହାରେ ସେ ସବୁପ୍ରକାର ଦଳଗତ ରାଜନୀତିରୁ ଅଲଗା ହୋଇ, ସାହିତ୍ୟ ସାଧନାରେ ମନୋନିବେଶ କଲେ ।

 

* ୧୯୫୫ ସେପ୍‌ଟେମ୍ବର ମାସରେ ସେ ଗୋଆ ମୁକ୍ତିଆନ୍ଦୋଳନରେ ଯୋଗ ଦେଇ ଭା: ସୀମାନ୍ତରକ୍ଷୀ ପୋଲିସ ହାତରେ ଶୋଚନୀୟ ଭାବରେ ଆହତ ହୋଇଥିଲେ ।

 

‘‘ଗୋଆଯାତ୍ରୀ’’ ତାଙ୍କର ଏକ ସଂକ୍ଷିପ୍ତ ଭ୍ରମଣ ଅନୁଭୂତି—‘‘ଚଳନ୍ତିକା’’ ଓ ‘‘ପରାସ୍ତସୈନିକ’’ ତାଙ୍କର ଦୁଇଟି ସାର୍ଥକ କ୍ଷୁଦ୍ର-ଗଳ୍ପ ସଞ୍ଚୟନ । ତାଙ୍କର ଅଧ୍ୟବସାୟ କେତେ ଗଭୀର, ତାହା ତାଙ୍କ ଲେଖା ପଢ଼ିଲେହିଁ ଜଣାପଡ଼େ । ସେ ଜଣେ ଅତି ସ୍ପଷ୍ଟବାଦୀ ଓ ପ୍ରଗତିଶୀଳ ମତବାଦର ଯୁବକ । କିଛି ନା କିଛି ନୂଆ କଥା ସେ ସବୁବେଳେ ଚିନ୍ତା କରୁଥାନ୍ତି, ଯାହା ଫଳରେ କି ଏ ‘‘ଅନୁଭୂତି’’ର ସୃଷ୍ଟି ।

 

ଜେନୈକ ଶୁଭେଚ୍ଛୁ

Image

 

ଲେଖକର କଥା

 

ଗୋଆମୁକ୍ତି ଆନ୍ଦୋଳନରେ ଅଂଶ ଗ୍ରହଣ କରିବା ପାଇଁ ଗତ ୧୯୫୫ ସେପ୍‌ଟେମ୍ବର ପହିଲା ଦିନ ମୁଁ କଟକରୁ ବେଲ୍‌ଗାଓଁ ଯାତ୍ରା କରିଥିଲି । କଟକ ଛାଡ଼ିଲାବେଳେ ମୋର ବଦ୍ଧମୂଳ ଧାରଣା ଥିଲା, ମତେ ପର୍ତ୍ତୁଗୀଜ୍‌ ଆତତାୟୀ ଦଳର ଅତ୍ୟାଚାରକୁ ସାମ୍ନା କରିବାକୁ ହେବ ! କିନ୍ତୁ ବିସ୍ମୟ ଏବଂ ମଜାର କଥା, ଆମେ ୩୧ ଜଣ ସତ୍ୟାଗ୍ରହୀ ପଞ୍ଜାବର ଶ୍ରୀ ତକ୍‌ଦୀର୍‌ ସିଂ ଚୌଧୁରୀଙ୍କ ନେତୃତ୍ୱରେ ଗୋଆ ସୀମାନ୍ତ ‘କଲ୍‌ନା’ ଯାଏଁ ଅଗ୍ରସର ହେଲା ପରେ ଆମର ଅଭିଯାନ ପଥରେ ବାଧା ଦେଇ ଆମ ଉପରେ ନୃଶଂସ ଆକ୍ରମଣ କଲେ ‘ସାଲା-ଜାର୍‌’ ପୋଲିସ ନୁହେଁ—ନେହେରୁ ପୋଲିସ !!

 

ଓଡ଼ିଶାରୁ ମୁଁ କୌଣସି ‘ଦଳ’ରେ ଯାଇ ନ ଥିଲି । ଯାଇଥିଲି ଏକୁଟିଆ—ବହୁ ବାଧା, ବିଦ୍ରୂପ ଓ ଅର୍ଥାଭାବକୁ ସାଥୀ କରି । କଟକରେ ଥିବା ତତ୍‌କାଳୀନ ‘‘ସର୍ବଦଳୀୟ ଗୋଆ ବିମୋଚନ ସମିତି’’ ର ମୋହର ବସା ‘ସତ୍ୟାଗ୍ରହୀ’ ମୁଁ ନ ଥିଲି ନା ସେମାନେ ଯେଉଁ ‘ସତ୍ୟାଗ୍ରହୀ’ମାନଙ୍କୁ କଟକରୁ ବେଲ୍‌ଗାଓଁକୁ ପାର୍ଶଲ୍‌ କରି ପଠାଉଥିଲେ ସେ ପାର୍ଶଲ୍‌ ପ୍ୟାକେଟ୍‌ ଭିତରେ ବି ମୁଁ ନ ଥିଲି ! ଗୋଆ ମୁକ୍ତି ସଂଗ୍ରାମ ଚରମ ପର୍ଯ୍ୟାୟରେ ପହଞ୍ଚିଲା ବେଳକୁ ମୁଁ କଟକରୁ ଗୋଡ଼ କାଢ଼ିଥିଲି ସାଥିହୀନ ଭାବରେ ଏକୁଟିଆ । କଟକ ଛାଡ଼ିବାର ବହୁପୂର୍ବରୁ ତଥାକଥିତ ‘‘ସର୍ବଦଳୀୟ ଗୋଆ ବିମୋଚନ ସମିତି’’ କୁ ବାରମ୍ବାର ମୌଖିକ ଓ ଲିଖିତ ଭାବରେ ଆବେଦନ କରିଥିଲି ମୋତେ ସତ୍ୟାଗ୍ରହୀ ତାଲିକାଭୁକ୍ତ କରିବା ପାଇଁ । କିନ୍ତୁ ମୋ’ ଆବେଦନ ରହିଲା ଫାଇଲ୍‌ ତଳେ । ଦଳକୁ ଦଳ ‘‘ସତ୍ୟାଗ୍ରହୀ’’ ଛୁଟିଲେ ବେଲ୍‌ଗାଓଁ । ପରିଶେଷରେ ସିଦ୍ଧାନ୍ତ କଲି, ଏକୁଟିଆ ଯିବି—ଗଲି ମଧ୍ୟ-! ଯିବା ପୂର୍ବରୁ ‘‘ଗୋଆ ବିମୋଚନ ସମିତି’’ (କଟକ) ଙ୍କୁ ମାଗିଥିଲି ଖଣ୍ଡେ ସାର୍ଟିଫିକେଟ୍‌ । କିନ୍ତୁ ସେତକ ବି ମିଳିଲା ନାହିଁ ! ଯଦି ବ୍ରହ୍ମପୁର ‘ଗୋଆ ମୁକ୍ତି କମିଟି’ଙ୍କଠାରୁ ସାର୍ଟିଫିକେଟ୍‌ ଖଣ୍ଡେ ହାସଲ କରି ନ ଥାନ୍ତି, ତା ହେଲେ ସୁଦୂର ବେଲ୍‌ଗାଓଁରେ ମତେ ଯେ କି ଦୁର୍ଦ୍ଦଶାର ସମ୍ମୁଖୀନ ହେବାକୁ ପଡ଼ିଥାନ୍ତା, ତାହା କଳ୍ପନାତୀତ ।

 

ଗୋଆ ପ୍ରବେଶ ପୂର୍ବରୁ ପ୍ରତ୍ୟେକ ସତ୍ୟାଗ୍ରହୀ ନିଜ ନିଜ ପିଠିରେ ଛାଲ ବାନ୍ଧି ସୀମାନ୍ତ ଅତିକ୍ରମ କରିଥାନ୍ତି । ଆମକୁ କିନ୍ତୁ ଛାଲ ବାନ୍ଧିବାକୁ ପଡ଼ିଲା ନାହିଁ । କାରଣ, ଯେଉଁ ଜିନିଷରୁ ନିଷ୍କୃତ ପାଇବା ପାଇଁ ପିଠିରେ ଛାଲ ବାନ୍ଧିବା ଦରକାର ପଡ଼େ, ସେ ଜିନିଷଟି ଆମକୁ ମିଳିଗଲା ବମ୍ବେ ପୋଲିସଙ୍କ ଠୁଁ ।

 

ଯା ହଉ, ମୁଁ ଫେରି ଆସିଛି ! ଗତ ହୋଇଗଲାଣି ଦୁଇବର୍ଷ ଦଶମାସ । ୟା ଭିତରେ ଗୋଆର ମୁକ୍ତି-ସଂଗ୍ରାମ ନେଇଛି ଅନ୍ୟ ରୂପ । ଆରବ ସାଗରର ଫେନିଳ ତରଙ୍ଗ ଉପରେ ତୋଫାନ ଉଠିଛି । ସେ ତୋଫାନ ଔପନିବେଶିକ ପରାଧୀନତାର ରଥଚକ ତଳେ ଶତାବ୍ଦୀ ଶତାବ୍ଦୀ ଧରି ସଢ଼ୁଥିବା ଗୋଆର ସାତଲକ୍ଷ ମୁକ୍ତିକାମୀ ନର-ନାରୀଙ୍କୁ ଆହ୍ୱାନ ଦେଇଛି, ‘‘ଚଳୁ କରି ନିଃଶେଷ କରିଦିଅ ସାମ୍ରାଜ୍ୟବାଦର ହଳାହଳ ।’’ ବିଂଶ ଶତାବ୍ଦୀର ଅର୍ଦ୍ଧଭାଗ ଟପିଗଲାଣି—ଔପନିବେଶିକ ଅମାରାତିର ଶେଷ ପ୍ରହର ୟେ । ଏତିକିବେଳେ ସାମ୍ରାଜ୍ୟବାଦ ଦେବ ତା’ର ଚରମ ଲମ୍ଫ । ତା’ର ଆଘାତକୁ ସହିବାକୁ ହେବ ପ୍ରତ୍ୟେକ ମୁକ୍ତିକାମୀ ଜନସାଧାରଣଙ୍କୁ । ତା’ପରେ (?) ରାତି ପାହିବ .....ସକାଳ ହେବ..... ପୂର୍ବଦିଗ୍‌ବଳୟର ବୁକୁ ଚିରି ସମସ୍ତଙ୍କ ପାଇଁ ଆକାଶକୁ ଉଠିବେ ସ୍ୱାଧୀନତାର ଉଦୀୟମାନ ରବି ।

 

ଦୀର୍ଘ ୨୫୦୦ ମାଇଲ୍‌ପଥ ମୁଁ ଅତିକ୍ରମ କରି ଆସିବା ପରେ ଯୋଉ ବାସ୍ତବ ଅନୁଭୂତି ମୋର ହୋଇଛି, ତାକୁ ହିଁ ରୂପ ଦେଇଛି କାଗଜ ଆଉ ଆଉ କାଳିରେ । ଏଥିରେ ନାହିଁ ଉପନ୍ୟାସର କପୋଳକଳ୍ପିତ କାହାଣୀ-ଅଛି କେବଳ, ଯାହା ଭୋଗିଚି ଅଙ୍ଗେ ନିଭେଇଚି, ସେଇ ଘଟଣାର ରକ୍ତାକ୍ତ ସ୍ୱାକ୍ଷର । ମୋର ଗୋଆଯାତ୍ରାର କାହାଣୀକୁ ‘‘ଗୋଆଯାତ୍ରୀ’’ ନାମକ ପୁସ୍ତକରେ ଥରେ ସଂକ୍ଷିପ୍ତ ଭାବରେ ଥୋଇଥିଲି ପାଠକବର୍ଗଙ୍କ ଆଗରେ । କିନ୍ତୁ ତାହା ‘‘ଯଥେଷ୍ଟ ନୁହେଁ’’ ବୋଲି ଅନେକ ବନ୍ଧୁ ମନ୍ତବ୍ୟ କରିଥିଲେ ଏବଂ ସେଇ ‘‘ଯାତ୍ରାର’’ ବିବରଣୀକୁ ପୁନର୍ଲିଖନ କରି ଛାପିବା ପାଇଁ ଅନେକେ ମଧ୍ୟ ବାରମ୍ବାର କହିଥିଲେ । କିନ୍ତୁ ତାହା ଏ ପର୍ଯ୍ୟନ୍ତ କାର୍ଯ୍ୟରେ ପରିଣତ ହୋଇପାରି ନ ଥିଲା ।

 

ବହିଟିର ଲେଖା ସରିଲାଣି ପ୍ରାୟ ଅନେକ ଦିନ ହେବ ! ୟା’ର ଆବିର୍ଭାବ ବିରୁଦ୍ଧରେ ବହୁ ହୀନଚକ୍ରାନ୍ତ ହୋଇ ଯାଇଚି—କେତେ ଅକଥନୀୟ ଅତ୍ୟାଚାରର ଝଡ଼ ବହିଯାଇଛି ୟାର ପାଣ୍ଡୁଲିପି ଉପରେ;—ତାହା ଅବର୍ଣ୍ଣନୀୟ । ଜନସାଧାରଣଙ୍କ ଆଗରେ ‘‘ଲେଖକ’’ ଓ ‘‘ପର୍ଯ୍ୟଟକ’’ର ମୁଖାପିନ୍ଧି ତା’ରି ଅନ୍ତରାଳାରେ ଯେଉଁମାନେ ଚଳାନ୍ତି ଉଚ୍ଚଧରଣର ଟାଉଟରି ଏବଂ ଧପ୍‌ପାବାଜି; ସେଇମାନଙ୍କ ଭିତରୁ ଜଣକ ହାତରେ ପଡ଼ିଲା ଏ ପୁସ୍ତକର ପାଣ୍ଡୁଲିପି—ଦୁର୍ଭାଗ୍ୟବଶତଃ । କ୍ଷତବିକ୍ଷତ ଆଉ ବିକଳାଙ୍ଗ ଅବସ୍ଥାରେ, ପ୍ରାୟ ମାସକ ପରେ ଫେରି ଆସିଲା ମୋ’ ପାଖକୁ । ତା’ର ପ୍ରତି ପୃଷ୍ଠାର ଛତ୍ରେ ଛତ୍ରେ ବୁଢ଼ିଆଣୀ ଜାଲ ପରି ନାଲି କାଳିର ଅସୁମାରି ଗାର ଦେଖି ମନେ ହେଲା, ସତେ ଯେମିତି ମୋ’ରି ଧମନୀର ଉଷ୍ଣରକ୍ତରେ ଟଣାଯାଇଛି ସେଗୁଡ଼ିକ-!! ଛାତିରେ ମୁଗୁର ବାଜିଲା ପରି ଲାଗିଥିଲା ସେଦିନ ।

 

ଯା’ ହଉ, ଶତ ବାଧା, ପ୍ରତିବନ୍ଧକ ଯେ ୟାର ପଥରୋଧ କରିପାରି ନାହିଁ, ସେତିକି ମୋର ସାନ୍ତ୍ୱନା । ଆଶାକରେ, ପ୍ରିୟ ପାଠକ-ପାଠିକାଙ୍କ ପାଖରେ ମୋର ପ୍ରତ୍ୟେକ ପୁସ୍ତକ ପରି ୟେ ମଧ୍ୟ ଆଦର ଲାଭ କରିବ ! ! ଇତି ।

 

କଟକ

 

ତା- ୧-୮-୫୮

ରବିନ୍ଦ୍ର ନାଥ ସିଂହ

Image

 

-ଏକ-

 

୧୯୫୫ ମସିହା......

 

ଅଗଷ୍ଟ ମାସର ବିରତି....... ସେପ୍‌ଟେମ୍ବର ମାସର ଆରମ୍ଭ..... ପହିଲା ।

 

ସମୟ—ସକାଳ ସାତଟା ।

 

ତିନି ଚାରି ଦିନ ପୂର୍ବରୁ କ୍ରମାଗତ ଭାବରେ ବର୍ଷା ଲାଗି ରହିଥାଏ କଟକ ସହରରେ । ଚାଲୁଣୀ ଛିଦ୍ରରୁ ପାଣି ଗଳିଲା ପରି ଆକାଶରୁ ଗଳୁଥାଏ ପାଣି—ହେମାଳିଆ ପବନ ବହୁଥାଏ ଅବିଶ୍ରାନ୍ତ । ତା’ରି ଶୀତଳ ସ୍ପର୍ଶରେ ମନ ଭିତରଟା କିମିତି ହେମାଳିଆ ହେଇ କୋଲ ମାରିଲା ପରି ଲାଗୁଥାଏ ।

 

କଟକ ଷ୍ଟେସନ୍‌ରେ ସେଦିନ ଗାଡ଼ି ଚଢ଼ିଲାବେଳେ ମନେ ପଡ଼ୁଥାଏ ଅତୀତ ଅନାଗତ କେତେ କଥା—ନିଜ ଗାଁ ଏବଂ ପ୍ରିୟ କଟକ ନଗରୀର ମମତା । ଯେଉଁ ଗାଁ ମାଟିର ପାଣି,ପବନ, ଧୂଳି କଣାର ବାସ୍ତବ ପରଶରେ ଲଳିତ ପାଳିତ ମୋର ସଂଗ୍ରାମୀ ଶୈଶବ—ଯେଉଁ କଟକ ନଗରୀ କୋଳରେ ଦିନେ ଅଧେ ନୁହେଁ, ଦୀର୍ଘ ବାର ବର୍ଷରୁ ଉର୍ଦ୍ଧ୍ୱ ଅତିବାହିତ କରିଛି ଜୀବନର—କେତେ ହସ-କାନ୍ଦ, ସୁଖ-ଦୁଃଖରେ ମୋର ଭାଗୀ ହୋଇଛି ଯେଉଁ କଟକ ନଗରୀ;—ସେଦିନର ସେଇ ବିଦାୟ ମୁହୂର୍ତ୍ତରେ ସେଇ ସଞ୍ଚିତ ସ୍ମୃତି ଟିକକ ମନ ତଳେ ଆତ୍ମପ୍ରକାଶ କରୁଥିଲା ବାରମ୍ବାର । ଭାବୁଥିଲି, ‘ଆଉ କେଇଟା ଦିନ ପରେ କୋଉଠି ଥିବି ମୁଁ—କୋଉଠି ଥିବ ମୋର ଜୀବାତ୍ମା—କୋଉଠି ଥିବ ମୋର ଅବୟବ—ତାକୁ ସମ୍ବର୍ଦ୍ଧନା ଜଣାଇବାକୁ ଆସିବ କିଏ ? ପର୍ତ୍ତୁଗୀଜ୍‌ ଜଳଦସ୍ୟୁ ଦଳର ସ୍ୱେତଚର୍ମାଛାଦିତ ଗୋଆ ପୋଲିସ ନା ‘ଲିସ୍‌ବନ୍‌’ରୁ ପାର୍ଶଲ୍‌ହୋଇ ଆସିଥିବା ଭଡ଼ାଟିଆ ସମସ୍ତ୍ର ନିଗ୍ରୋ ସୈନିକ !!!’’

 

ଏହି ଅମିମାଂସିତ ପ୍ରଶ୍ନରେ ମୁଣ୍ଡ ମୋର କିମିତି ଗୋଳମାଳିଆ ହେଇ ଯାଉଥାଏ । ପୁଣି ଯେ, କେବେ ଫେରି ପାଦ ରଖିବି ଏଇ କଟକ ଷ୍ଟେସନ୍‌ର ପ୍ଳାଟ୍‌ଫର୍ମ ବୁକୁରେ, ଏ କଥା ସେତେବେଳେ ଏକ ସ୍ୱପ୍ନ ପରି ଲାଗୁଥାଏ ।

 

‘‘ନା, ଛାଡ଼ଃ ! ଏ ଏକ ଭୟଙ୍କର ଦୁଃସ୍ୱପ୍ନ । ଯିବାକୁ ପଡ଼ିବ.... ଆଖି ଆଗରେ ସୀମାହୀନ, ଅସରନ୍ତିପଥ ଆଉ ବିରାଟ କର୍ତ୍ତବ୍ୟ ।

 

ବାହାର ରାସ୍ତାରେ ମେଘକନ୍ୟାର ଅବାରିତ ଅଶ୍ରୁବର୍ଷଣ—ଷ୍ଟେସନ୍‌ ପ୍ଳାଟଫର୍ମରେ ଯାତ୍ରୀଙ୍କର ସାନ୍ଦ୍ର- ସମାଗମ । ତିଳ ପଡ଼ିବାକୁ ସ୍ଥାନ ନାହିଁ—ଗୋଡ଼ ରଖିବାକୁ ଠାବ ନାହିଁ । ‘ଜନତା’ ଆସିବାକୁ ଆହୁରି ପନ୍ଦର ମିନିଟ୍‌ବାକୀ । ଚା’ ବିକାଳୀଙ୍କ ‘‘ଚା’....ଚା’....’’ ଚିତ୍‌କାର, ‘‘ପାନ୍‌, ବିଡ଼ି, ସିଗାରେଟ୍‌’’ର ମୁହୁର୍ମୁହୁଃ ଧ୍ୱନି ସହିତ ବର୍ଷାର ଘନ-ଘୋର ଗର୍ଜନ ଭିଜା ମନତଳେ ମୋର ସୃଷ୍ଟି କରୁଥାଏ ଅପୂର୍ବ ରୋମାନ୍‌ଚ ।

 

ମତେ ବିଦାୟ ଦେବା ପାଇଁ ଷ୍ଟେସନ୍‌ ପର୍ଯ୍ୟନ୍ତ ଆସିଥାନ୍ତି ବନ୍ଧୁ ଶ୍ରୀନିବାସ ମିଶ୍ର, ଆଡ୍‌ଭୋକେଟ୍‌ । ଆଉ କିଏ ଅଛି ଯେ, ଆସନ୍ତା ! ! ଶ୍ରୀନିବାସ ବାବୁଙ୍କ ସହିତ ଷ୍ଟେସନ୍‌ କାଣ୍ଟିନ୍‌ରେ ଜଳଖିଆ ଖାଇ ଗାଡ଼ିକୁ ଅପେକ୍ଷା କରିଥାଏ—ସମୟ କଟେଇବା ପାଇଁ ଖବରକାଗଜ ଖଣ୍ଡେ ପଢ଼ୁଥାଏ ବସି ।

 

କିଛି ସମୟ ପରେ ।

 

ମହାନଦୀ ରେଳ ପୋଲର ପଞ୍ଜରା ଦୋହଲାଇ ଅଦିନର ଝଡ଼ ଭଳି ଜଗତ୍‌ପୁର ଆଡ଼ୁ ଭୁଷ୍‌ ଭୁଷ୍‌ ହେଇ ମାଡ଼ି ଆସିଲା ‘ଜନତା ଏକ୍‌ସପ୍ରେସ’ । ଆକାଂକ୍ଷିତ ଯାତ୍ରୀଙ୍କ ଭିତରେ ଖେଳିଗଲା ଚାଞ୍ଚଲ୍ୟ—ଗାଡ଼ି ଆସି ଠିଆ ହେଲା ଷ୍ଟେସନରେ—ଗୋଟିଏ ନିରୀହ, ଶାନ୍ତ ଶିଶୁ ଭଳି । କିଛି ସମୟ ପାଇଁ ଜନ-କୋଳାହଳରେ ମୁଖରିତ ହୋଇ ଉଠିଲା ଷ୍ଟେସନର ବାତାବରଣ—ନୂତନ, ପୁରାତନ ଯାତ୍ରୀଙ୍କର ଆଗମନ ଆଉ ପ୍ରସ୍ଥାନ ଚାଲିଲା କେତେ ବେଳ ଯାଏଁ !

 

ଶ୍ରୀନିବାସ ବାବୁଙ୍କ ସହିତ କରମର୍ଦ୍ଦନ କରି ଉଠିଲି ଗୋଟିଏ ଡବାରେ—ସୁବିଧାରେ ବସିପାରିଲା ଭଳି ସ୍ଥାନଟିଏ ବି ପାଇଗଲି !

 

ତା’ ପରେ—।

 

‘‘ଭଁ...ଅଁ....ଅଁ....ଛିକ୍‌....ଛିକ୍‌.....ଛିକ୍‌....’’ ଗର୍ଭରୁ କଳାଧୂଆଁ ଗୁଡ଼ାକ ଉଦ୍‌ଗାର କରି ‘ଜନତା’ ଛୁଟିଲା ବେଜଓ୍ୱାଡ଼ା ପଥରେ । ଶେଷଥର ପାଇଁ ନୀରବ ପ୍ରଣିପାତ ଜଣାଇଲି କଟକ ମାଟିକୁ । ଗାଡ଼ି ଚାଲିଥାଏ......ଡବାର ମୁକ୍ତ ବାତାୟନ ଭେଦି ରେଳପୋଲ ଉପରୁ ଦୃଷ୍ଟିଗୋଚର ହେଉଥାଏ, ମଲାତଣ୍ଡିଆ ଶ୍ମଶାନ, ଖାନ୍‌ନଗର ଗାଁ, କାଠଯୋଡ଼ି ପଥରବନ୍ଧ, ପୁରୀଘାଟ ଦେବୀଗଡ଼ା-

 

ମନେ ପଡ଼ୁଥାଏ.... ।

 

.......କେତେ କମନୀୟ ସନ୍ଧ୍ୟା....କେତେ ଜ୍ୟୋସ୍ନାବିଧୌତ ରଜନୀରେ ଏଇ କାଠଯୋଡ଼ିର ବିସ୍ତୀର୍ଣ୍ଣ ସୈକତ ଶଯ୍ୟାରେ ଏକୁଟିଆ ବସି ବସି ନିଜକୁ ହଜେଇ ଦେଇଛି—କ୍ଳାନ୍ତ ମନକୁ ହାଲୁକା କରିବା ପାଇଁ । ବସି ବସିକା କେତେ ଥର ଦେଖିଛି ବାରଙ୍ଗ କାଚ କାରଖାନାର ଉର୍ଦ୍ଧ୍ୱଗାମୀ ଚିମ୍ନୀର ଧୂଆଁ ଏବଂ ତା’ର ଅସ୍ପଷ୍ଟ, କ୍ଷୀଣ ଆଲୁଅକୁ । ସେୟାକୁ ଅପଲକ ଆଖିରେ ଚାହିଁ ଚାହିଁ କେତେବାର ଭାବି ନେଇଛି ମୋ’ ଦେଶର ଶହ ନୁହେଁ, ହଜାର ନୁହେଁ, ଲକ୍ଷ ଲକ୍ଷ, କୋଟି କୋଟି ଅନାହାରୀ, ଦରପେଟା, ମେହନତୀ ଭୋକିଲା ଶ୍ରମିକର ବର୍ତ୍ତମାନର ଅବସ୍ଥା ଓ ଅନାଗତ ଆଗାମୀ କାଲିର ଭବିଷ୍ୟତ ।

 

ହେ ପ୍ରିୟ କାଠଯୋଡ଼ି ! .....ମତେ ଆଜି ମନଖୁସିରେ ବିଦାୟ ଦେ !! ତୋର ଦର୍ଶନ ଲାଭ ଆଉ ଏ ଜୀବନରେ ଘଟିବ କି ନା ସନ୍ଦେହ !! ...ତୋ’ର ତଟର ଶାନ୍ତ-ଶୀତଳ ସମୀରର ମୃଦୁ ସ୍ପର୍ଶରେ ଅଙ୍ଗ ଅବସାଦ ଦୂର କରିବା ଆଶା ମଧ୍ୟ କମ୍.... ଖୁବ୍‌କମ୍‌ ! କାରଣ, ଦୁର୍ଗମ ପଥର ପାନ୍ଥ ମୁଁ ।

 

‘‘କୋଉଠିକି ଯିବ ବାବୁ !’’ କାହାର ଅଂଗୁଳି ସ୍ପର୍ଶରେ ପ୍ରତିହତ ହେଲା ମୋ’ ଭାବନା ଶୈବଳିନୀର ପ୍ରବହମାନ ଧାରା । ବାସ୍ତବତା ଭିତରକୁ ଫେରି ଆସି ଦେଖିଲି, ସାମ୍ନା ବେଞ୍ଚରେ ବସିଛି ବୁଢ଼ାଟିଏ । ଅଣ୍ଟା ନଇଁ ଗଲାଣି—ଆଖିରେ ଜ୍ୟୋତି ନାହିଁ—ହନୁହାଡ଼ ଦିଶୁଛି ବାହାରକୁ । କହିଲି, ‘‘ବହୁତ ବାଟ ଯିବି ମଉସା ! ତେବେ.... ଆଗ ଓହ୍ଳେଇବି ଏଇ ବ୍ରହ୍ମପୁରରେ ।’’

 

ବୁଢ଼ା ମୋ’ କଥା ଶୁଣିଲା.... ତା’ ପରେ ତଳକୁ ମୁହଁ ପୋତିଲା ନୀରବରେ ।

 

ବର୍ଷା ଚାଲିଥାଏ ବେଦମ୍‌ ।

 

ତା’ର ଝମ୍‌ ଝମ୍‌ ଶବ୍‌ଦ ସଙ୍ଗେ ତାଳ ଦେଇ ଚାଲିଥାଏ ଜନତା ଏକ୍‌ସପ୍ରେସ୍‌ । କ୍ରମେ ବାରଙ୍ଗ କାଚକାରଖାନାର ସେହି ଶ୍ରମିକପେଷା ଚିମ୍ନୀ ଅଦୃଶ୍ୟ ହେଲା ଆଖି ଆଗରୁ—ନୂଆ ରାଜଧାନୀର ଅଂକିତ ମାନଚିତ୍ର ହୋଇ ଆସିଲା ଅସ୍ପଷ୍ଟରୁ ଅସ୍ପଷ୍ଟତର । ମୁଗ୍‌ଧ ନୟନରେ ଯୋଡ଼ହସ୍ତ ପୂର୍ବକ ହାତ ଟେକି ମୁଣ୍ଡ ନୁଆଁଇଲି ପ୍ରଳୟର ସ୍ରଷ୍ଟା ଶିବଙ୍କ ଉଦ୍ଦେଶ୍ୟରେ । ଲିଙ୍ଗରାଜ ମନ୍ଦିରର ଚୂଡ଼ା ଥରେ ଥରେ ଦେଖା ଦେଇ ପୁଣି ଲୁଚି ଯାଉଥାଏ—ମନେ ହେଉଥାଏ, ସତେ ଯିମିତି ରେଲ୍‌ରାସ୍ତାର ଦୁଇଧାରରେ ଥିବା ଦେବଦାରୁ ଗଛମାନଙ୍କ ସହିତ ତା’ର ଚାଲିଛି ଏକ ସୁନ୍ଦର ଲୁଚକାଳି ଖେଳ !

 

ଗାଡ଼ି ଚାଲିଥାଏ....

 

ମନ ଭିତରେ ଆଗପଛ କେତେ କଳ୍ପନାର ଜାଲ ବୁଣି ବୁଣି ଢୁଳେଇ ପଡ଼ିଥାଏ ମୁଁ—ଛାଇନିଦ ଲାଗି ଆସୁଥାଏ ଗହନ କରି । ହଠାତ୍‌ ଗାଡ଼ିର ହୁଇସିଲ୍‌ରେ ନିଦ ଭାଙ୍ଗିଗଲା, ହାତ ଘଡ଼ିକୁ ଚାହିଁ ଦେଖିଲି,ବାରଟା ବାଜି ଦୁଇ ମିନିଟ୍‌ । ଆଗରେ ବ୍ରହ୍ମପୁର ଷ୍ଟେସନ ।

 

ଗାଡ଼ି ଠିଆ ହେଲା ବ୍ରହ୍ମପୁର ଷ୍ଟେସନରେ ।

 

ଓହ୍ଳେଇ ପଡ଼ି ଚାଲିଲି ସହର ଭିତରକୁ । କଟକରୁ ଦଶଗୋଟି ମୁଦ୍ରା ସମ୍ବଳକରି ବାହାରିଥିଲି—ତେଣୁ ଗୋଆ ସୀମାନ୍ତ ଯାଏଁ ପାଥେୟର ନିତାନ୍ତ ଆବଶ୍ୟକ । ବ୍ରହ୍ମପୁରରେ ରାତିଟି କଟାଇ, କିଛି ପାଥେୟ ଯୋଗାଡ଼ କରି, ତହିଁ ଆରଦିନ ପୁଣି ମୋର ଯାତ୍ରା ଆରମ୍ଭ କରିବି ଭାବି ଚାଲିଥାଏ । ବାଟରେ ଅନେକ ପରିଚିତ ବନ୍ଧୁଙ୍କ ସହ ଦେଖା ହେଲା । ମୋର ‘ଗୋଆ ଯାତ୍ରା’ କଥା ଶୁଣି ଅନେକେ ଆଶ୍ଚର୍ଯ୍ୟ ହେଲେ—କେତେକେ ବି ଯାତ୍ରାର ସଫଳତା କାମନା କରି ବିଦାୟ ନେଲେ !

 

ବ୍ରହ୍ମପୁର ‘ଗୋଆ ବିମୋଚନ ସମିତି’ର ସଭାପତି ବନ୍ଧୁ ଶ୍ରୀ ବ୍ରହ୍ମାନନ୍ଦ ପଣ୍ଡାଙ୍କ ସହ ସାକ୍ଷାତ ହେଲା । ସେ ମୋର ରହିବା ଆଉ ଖାଇବାର ବନ୍ଦୋବସ୍ତ କରିଦେଲେ ।

 

ରାତିରେ କେତେକ ସାମ୍ବାଦିକ, ସାହିତ୍ୟିକ ବନ୍ଧୁଙ୍କ ସହ ଭେଟ ହେଲା—ନାନା ରକମର ଆଲୋଚନା ଚାଲିଲା କେତେବେଳଯାଏଁ ! ସେମାନେ ବିଦାୟ ନେଲାପରେ ମୁଁ ଶୋଇବାକୁ ଗଲି ।

 

ତହିଁ ଆରଦିନ ସକାଳ ।

 

ପ୍ରାତଃକର୍ମ ଶେଷ କରି, ଜଳଖିଆ ଖାଇ, କେତୋଟି ଚିଠି ଲେଖି ବସିଲି । ନ’ଟା ବାଜିଲା, ମଧ୍ୟାହ୍ନ ଭୋଜନ ପରେ ଟିକେ ବିଶ୍ରାମ ନେଇ ପ୍ରସ୍ତୁତ ହେଲି । ବାରଟା ବାଜିବାକୁ ଆଉ କେତେ ମିନିଟ୍‌ ବାକୀ ଥାଏ ! ଅଗ୍ରସର ହେଲି ଷ୍ଟେସନ ଅଭିମୁଖେ । ସ୍ଥାନୀୟ ‘ଗୋଆବିମୋଚନ ସମିତି’ ତରଫରୁ ମତେ ବିଦାୟ ଦେବା ଲାଗି ଷ୍ଟେସନ ପର୍ଯ୍ୟନ୍ତ ଆସିଥାନ୍ତି ବନ୍ଧୁ ବିନାୟକ ଆଚାର୍ଯ୍ୟ-

 

ଗାଡ଼ି ଆସି ଷ୍ଟେସନରେ ଠିଆ ହେଲା...

 

ବିଶେଷ ଭିଡ଼ ନଥିଲା ସେ ଦିନ ! ଡ଼ବା କେତେଟା ପଡ଼ିଥିଲା ଫାଙ୍କା । ଗୋଟିଏ ଡବାରେ ନିଜସ୍ଥାନ ଅଧିକାର କଲି । ଗାଡ଼ି ଛାଡ଼ିବା ପୂର୍ବରୁ ବିନାୟକ ବାବୁ ସ୍ଥାନୀୟ ‘ବିମୋଚନ ସମିତି’ ତରଫରୁ ଖଣ୍ଡେ ସାର୍ଟିଫିକେଟ୍‌ଓ ବାଟ ଖର୍ଚ୍ଚ ପାଇଁ କିଛି ଟଙ୍କା ଏବଂ ଖଣ୍ଡେ ରେଲ୍‌ ଟିକେଟ (ବ୍ରହ୍ମପୁର ଠାରୁ ବେଜଓ୍ୟାଡ଼) ମୋ’ ଆଡ଼କୁ ବଢ଼ାଇ ଦେଇ ବିଦାୟ ନେଲେ ।

 

ଆଉ କେତେ ମିନିଟ୍‌ ପରେ ‘ଜନତା’ ଛୁଟିବ ବେଜଓ୍ୟାଡ଼ା ପଥରେ ! ବିନାୟକ ବାବୁଙ୍କୁ ଜଣାଇଲି ବିଦାୟ କାଳୀନ ନମସ୍କାର । ଗାଡ଼ି ହୁଇସିଲ ଦେଇ ବ୍ରହ୍ମପୁର ଷ୍ଟେସନ ଛାଡ଼ି ପୁଣି ଛୁଟିଲା ଆଗକୁ ।

ଦୁର୍ଦ୍ଦାନ୍ତ, ଅପରିମିତ ଗତିରେ ଛୁଟିଥାଏ ଜନତା ଏକ୍‌ସପ୍ରେସ୍‌....

.....ଏକୁଟିଆ ବସି ବସି ବଡ଼ ଖରାପ ଲାଗୁଥାଏ ।

ଆଗରେ ଆନ୍ଧ୍ର ଆଉ ଓଡ଼ିଶାର ସୀମା । ଓଡ଼ିଶା ଭୂଇଁକୁ ପଛରେ ପକାଇ ଗାଡ଼ିର ଚକ ଯେତେବେଳେ ଗଡ଼ିବାକୁ ଆରମ୍ଭ କଲା ଆନ୍ଧ୍ର-ମାଟି ଉପରେ; ସେତେବେଳେ ସେତେ ଯିମିତି କାହାର ମମତା ରଜ୍‌ଜୁ ମତେ ପଛକୁ ଟାଣି ଧରୁଛି ! —ସେଇମିତି ଲାଗୁଥାଏ । ଏକସ୍‌ପ୍ରେସ୍‌ଠାରୁ କୋଟି ଗୁଣ ବେଗରେ ମନ ଧାଇଁ ଆସିଲା ଚିରପ୍ରିୟ କଟକ ନଗରୀକୁ । ଗୌରୀଶଙ୍କର ପାର୍କ, କିଲୋ ପଡ଼ିଆ, ମାରୁଆଡ଼ିପଟି, ଚାନ୍ଦିନୀଚୌକ୍‌ ଛକ, ଦୋଳମୁଣ୍ଡେଇ ସବୁ ବୁଲିଗଲି ମନେ ମନେ । ମନେ ପଡ଼ୁଥାଏ କାଠଯୋଡ଼ି କୂଳ ଦିବାବସାନର ମୁକ୍ତ ସମୀରଣ ଓ ନିଜ ବାଲ୍ୟଜୀବନର କେତୋଟି ଅଲିଭା ସ୍ମୃତି । ସାଙ୍ଗ ସାଥୀଙ୍କ ମେଳରେ ସେହି ଚିର ପରିଚିତ ‘ଟୁଙ୍ଗିବାରି’ରେ ଯାଇ ସମସ୍ତେ ରୁଣ୍ଡ ହେଉଁ—କେତେ ରକମର ଆଲୋଚନା ଚାଲେ—କେତେ ମନୋମାଳିନ୍ୟ ହୁଏ—ପୁଣି କୁଆଡ଼େ ମିଳେଇ ଯାଏ ମୁହୂର୍ତ୍ତକ ମଧ୍ୟରେ । ସମସ୍ତେ ପୁଣି ଆପଣାର ହୋଇ ଘରକୁ ଫେରୁଁ । କିନ୍ତୁ ସେଦିନ ଚାଲିଯାଇଛି—ମନରୁ ମଧ୍ୟ ଲିଭି ଯାଇଛି ସ୍ୱପ୍ନ !

ଗାଡ଼ି ଚାଲିଥାଏ.....

ଝିପି ଝିପି ବର୍ଷା ପଡ଼ୁଥାଏ ବାହାରେ । ଗୋଟାଏ ଆଡ଼େ ଗୋଆ ମୁକ୍ତି ଆନ୍ଦୋଳନର ମର୍ମ୍ମସ୍ପର୍ଶୀ ଆହ୍ୱାନ, ଅନ୍ୟଆଡ଼େ ଜନ୍ମ ଭୂମିର ମମତା; ଏ ଦୁଇ ବିବାଦମାନ ଅବସ୍ଥାର ସଣ୍ଡୁଆସି ଆକ୍ରମଣରେ ଛଟପଟ ହେଉଥାଏ ମୁଁ ।

କ୍ରମେ ବିଭାବରୀର ଘନ-କୃଷ୍ଣ କବରୀ ଫିଟି ଫିଟି ଆସିଲା ଧରଣୀ ଉପରେ—ନୂତନ ଯାତ୍ରୀମାନଙ୍କ କୋଳାହଳରେ ମୁଖରିତ ହୋଇ ଉଠିଲା ଶୂନ୍ୟ ଡବାଟି । ଅପରିଚିତ ସହଯାତ୍ରୀ କେତେ ଜଣଙ୍କ ସହ ଅଳ୍ପ ସମୟ ଭିତରେ ବେଶ୍‌ ବନ୍ଧୁତା ଜମି ଆସିଲା । ହସ, ଖୁସି, ଆଳାପ, ଆଲୋଚନାରେ କଟିଯାଉଥାଏ ସମୟତକ । ଜଣେ ସମବୟସ୍କ ଦକ୍ଷିଣ ଭାରତୀୟ ଭଦ୍ରବ୍ୟକ୍ତି ମୋ’ ସହିତ ଆରମ୍ଭ କରି ଦେଲେ ରାଜନୈତିକ ଆଲୋଚନା । ତାଙ୍କ ସହିତ ଗୋଆ ସମସ୍ୟା, ଆନ୍ତର୍ଜାତିକ ସମସ୍ୟା ଆଦି ନାନା ବିଷୟରେ ଆଲୋଚନା ହେଲା ପ୍ରାୟ ବହୁ ସମୟ ଧରି ! ସେ ଭଦ୍ରବ୍ୟକ୍ତିଙ୍କୁ ପଚାରିଲି, କେଉଁ ରାସ୍ତା, କେଉଁ ଗାଡ଼ିରେ ଗଲେ ଖୁବ୍‌ କମ୍‌ ସମୟରେ ବେଲ୍‌ଗାଓଁ ରେ ପହଞ୍ଚି ପାରିବି ? ସେ କହିବା ମୁତାବକ ରାସ୍ତା ଓ ଷ୍ଟେସନ୍‌ମାନଙ୍କର ନାଁ ଡାଇରିରେ ନୋଟ୍‌ କରିନେଲି । ତା ପରେ.... କେତେବେଳେ ମତେ ନିଦ ଆସି ଯାଇଛି—ଜାଣେନା । ସେ ଭଦ୍ର ବ୍ୟକ୍ତିଟି ବାଟରେ କୌଣସି ଷ୍ଟେସନରୁ ଓହ୍ଳେଇ ଯାଇଛନ୍ତି !

ରାତି ପାହି ନଥାଏ.....

ନିଦ ଭାଙ୍ଗିଗଲା । ନିଜର ସ୍ୱଭାବ ସୁଲଭ ଗତିରେ ଗାଡ଼ି ଛୁଟିଥାଏ ବେଜଓ୍ୟାଡ଼ା ଅଭିମୁଖେ । କ୍ରମେ ପୂର୍ବ ଦିଗ୍‌ବଳୟ ଲୋହିତ ବର୍ଣ୍ଣରେ ରଞ୍ଜିତହେଲା—ଯବନୀକା ଉତ୍ତୋଳନର ଇଶାରା ଦେଇ । ସତେ ଯିମିତି କିଏ ଛପି ଛପି ଯାଇ ଛୁରା ବିଦ୍ଧ କଲା ପ୍ରାଚୀ ଗଗନର ବକ୍ଷକୁ ! ତତ୍‌କ୍ଷଣାତ୍‌ କୋଷମୁକ୍ତ ଖଡ଼୍‌ଗ ପରି ବାଦଲ ଫାଙ୍କରୁ ବାହାରି ଆସିଲେ ଉଦାର ସୂର୍ଯ୍ୟ ।

‘ଜନତା’ ବେଜଓ୍ୟାଡ଼ା ଷ୍ଟେସନ ଧରିଲା ଠିକ୍ ସେପ୍‌ଟେମ୍ବର ତା ୩ ରିଖ ସକାଳ ଛ’ଟା କେତେ ମିନିଟ୍‌ରେ ! ଏଇଠାରୁ ଜନତା ଏକ୍‌ସପ୍ରେସ୍‌ର ଯାତ୍ରା ଶେଷ; କିନ୍ତୁ ମୋ’ ଯାତ୍ରାର ଶେଷ ନାଇଁ ।

ଗାଡ଼ିରୁ ଓହ୍ଳାଇ, ବିଶ୍ରାମଗାରରେ ଜିନିଷପତ୍ରତକ ସୁବିଧାରେ ରଖି ନିତ୍ୟକର୍ମ ଶେଷ କରି ନେଲି । ଷ୍ଟେସନ କାଣ୍ଟିନ୍‌ରେ ମିଳୁଥିବା ‘ଏଟ୍‌ଲି’ କିଛି ଜଳଖିଆ କରି, ରେଳବାଇ ଇନ୍‌କ୍ୱାରୀ ଠୁଁ ବୁଝିଲି, ବେଲ୍‌ଗାଓଁ ଯିବାପାଇଁ ଗାଡ଼ି ମିଳିବ ଦିନ ତିନିଟା କେତେ ମିନିଟରେ !

‘‘ଏତେ ସମୟ ଅଯଥା ନଷ୍ଟ କରିବା ଅପେକ୍ଷା ଦେଖିଯିବି ଟିକେ ବେଜଓ୍ୟାଡ଼ା ସହର ।’’ ଭାବି, ଚଢ଼ିଲି ଷ୍ଟେସନର ଓଭରବ୍ରିଜ୍‌ ଉପରେ । ଓଭର୍‌ବ୍ରିଜ୍‌ ଉପରେ ଠିଆ ହୋଇ ବେଜଓ୍ୟାଡ଼ା ସହର ଉପରେ ଆଖି ବୁଲାଇଲା ବେଳେ ମନେ ପଡ଼ିଲା, ଆନ୍ଧ୍ରପ୍ରଦେଶର ପ୍ରତିଷ୍ଠାତା ପୋଟି ଶ୍ରୀ ରାମୁଲୁଙ୍କ କଥା । ଶ୍ରୀ ରାମୁଲୁ ଜାତିର ସାଂସ୍କୃତିକ ସ୍ୱାଧୀନତାକୁ ଅକ୍ଷୁର୍ଣ୍ଣ ରଖିବା ପାଇଁ ଆରମ୍ଭ କରିଥିଲେ ଆମରଣ ଅନଶନ । ମାସାଧିକ କାଳ ଅନଶନ ଫଳରେ ତାଙ୍କର ଅବସ୍ଥା ଅତି ଉଦ୍‌ବେଗଜନକ ହୋଇ ଉଠିଥିଲା । ଫଳରେ ତାଙ୍କୁ ଚିକିତ୍ସା କରୁଥିବା ଡାକ୍ତର ପ୍ରଧାନମନ୍ତ୍ରୀ ପଣ୍ଡିତ ନେହେରୁଙ୍କୁ ଜଣାଇଲେ ଯେ, ଖାଲି ଯଦି ଶ୍ରୀ ରାମୁଲୁଙ୍କୁ ଜଣାଇଁ ଦିଆଯିବ, ‘‘ଆନ୍ଧ୍ରପ୍ରଦେଶ ଗଠିତ ହେଲା’’ ବୋଲି, ତାହେଲେ ଶ୍ରୀ ରାମୁଲୁ ତାଙ୍କ ଅନଶନ ପ୍ରତ୍ୟାହାର କରିବେ । କିନ୍ତୁ ଉତ୍ତର ମିଳିଲା, ‘‘ମରିବାକୁ ଦିଅ ! ସରକାର କାହାରି ଅନଶନ ଓ ଧର୍ମଘଟ ଧମକ୍‌ରେ ମୁଣ୍ଡ ନୁଆଇଁ ବାର ପାତ୍ର ନୁହନ୍ତି ।’’

ଶେଷରେ ସେଇଆ ହିଁ ହେଲା !

ଆନ୍ଧ୍ର ଜନତାର ପ୍ରିୟତମ ନେତା, ଦେଶପ୍ରେମୀ, ବୃଦ୍ଧପୋଟି ଶ୍ରୀ ରାମୁଲୁଙ୍କ ପ୍ରାଣପକ୍ଷୀ ପିଞ୍ଚରା ଛାଡ଼ି ଉଡ଼ିଗଲା ଦୂରରୁ ଦୂରକୁ । ଠିକ୍‌ ତା’ପରେ ପରେ ଦେଶବ୍ୟାପୀ ଜଳିଉଠିଲା ବିଦ୍ରୋହର ଲେଲିହାନ ବହ୍ନି—ରାମୁଲୁଙ୍କ ପ୍ରେତାତ୍ମା ଡାକଦେଲା ଜାତିର ସାଂସ୍କୃତିକ ସ୍ୱାଧୀନତାକୁ ପ୍ରତିଷ୍ଠିତ କରିବା ପାଇଁ—ହଜାର ହଜାର ଆନ୍ଧ୍ରବାସୀ ଅଣ୍ଟା ଭିଡ଼ି ବାହାରି ପଡ଼ିଲେ ସଂଗ୍ରାମର ସମ୍ମୁଖ ରଣାଙ୍ଗନକୁ—ଚାଲିଲା ଲୁଟ, ତରାଜ, ଗୃହଦାହ ଷ୍ଟେସନ ପ୍ଳାଟ୍‌ଫର୍ମ ମାନଙ୍କରେ ପେଟ୍ରୋଲ ଢାଳି ଅଗ୍ନି ସଂଯୋଗ କରାଗଲା—ତାରକାଟି ଦିଆଗଲା—ପୋଷ୍ଟଅଫିସ ପୋଡ଼ି ଦିଆଗଲା—ଟିଅର ଗ୍ୟାସ୍‌ ଓ ଗୁଳିମାଡ଼ରେ ବହୁ ଆନ୍ଧ୍ର ଜନତା ମୃତାହତ ହେଲେ—ତେବେ ବି ସେ ବିଦ୍ରୋହର ନିଆଁ ନିର୍ବାପିତ ହେଲା ନାହିଁ ! ! ଆହୁରି ଦ୍ୱିଗୁଣିତ ଭାବରେ ଜଳିବାକୁ ଲାଗିଲା ସେ । ଶେଷରେ ସରକାରୀକଳ ବାଧ୍ୟହେଲା ମୁଣ୍ଡ ନୁଆଇଁବାକୁ ଆନ୍ଧ୍ରଜନତାର ପବିତ୍ର ଦାବୀ ଆଗରେ—ଗଠିତ ହେଲା ଆନ୍ଧ୍ର ପ୍ରଦେଶ ।

ବେଜଓ୍ୟାଡ଼ା ସହରଟି ଏକ ରୁଚିସଂପନ୍ନ ସହର । ପଥର କଟା ହେଇ ତିଆରି ହୋଇଛି ସହରର ରାଜପଥ । ଗୋଟିଏ କଡ଼ରେ ମୁଣ୍ଡ ଟେକିଛି ଅତ୍ୟୁଚ୍ଚ ପର୍ବତ ଶ୍ରେଣୀ ।

ଓଭରବ୍ରିଜ୍‌ ଉପରେ ଠିଆ ହୋଇ ଏପାଖ ସେପାଖ ଯେତେଦୂର ଯାଏଁ ଆଖି ପାଇଲା, ଥରେ ଦେଖିନେଲି ସହରର ଦୃଶ୍ୟ—ଓହ୍ଳେଇଲି ତଳକୁ । ଭାବିଲି, ପାଦରେ ଚାଲି ଚାଲି ଗଲେ ଅନେକ ଜିନିଷ ଦେଖିବାର ସୁଯୋଗ ପାଇବି । ସେଇ ହେଲା ସିଦ୍ଧାନ୍ତ । ପାଦ ବଢ଼େଇଲି ଆଗକୁ । ରାସ୍ତାର ଦୁଇଧାରରେ ବଡ଼ ବଡ଼ କଫି ହୋଟେଲମାନ ଓ ଅତ୍ୟୁଚ୍ଚ ଅଟ୍ଟାଳିକା ସବୁ । ଲୋକେ ଦୋକାନରେ ବିକା କିଣା ବ୍ୟସ୍ତ—ପୁଁ, ପାଁ, ଭୁଁ, ଭାଁ, ହୋ, ହା, ପାଟି, ଚିତ୍‌କାର ଲାଗି ରହିଥାଏ—ହୋଟେଲମାନଙ୍କରୁ ଶୁଣା ଯାଉଥାଏ ବେତାରର ସଙ୍ଗୀତ । କେତେଦୂର ଗଲାପରେ ପଡ଼ିଲା ଗୋଟିଏ ଛକ । ପାଖରେ ବଡ଼ କଫି ହୋଟେଲଟିଏ । ପଶିଲି ସେଇ ହୋଟେଲ ଭିତରେ । ଚୌକିଟିଏ ଅଧିକାର କରି, ‘ବୟ’ କୁ କଫି ଆଣିବା ପାଇଁ ନିର୍ଦ୍ଦେଶ ଦେଲି । କିଛିବେଳ ପରେ ‘ବୟ’ ଆଣି କଫି ଥୋଇ ଦେଇଗଲା ମୁଁ ବସିଥିବା ସାମନା ଟେବୁଲରେ ।

 

ଗରମ କଫିର ଉଷ୍ଣ ସ୍ପର୍ଶ ସଙ୍ଗେ ହଠାତ୍‌ ପଛପଟୁ ଶୁଭିଲା, ‘‘ଆପ୍‌କା ମକାନ୍‌ କାହାଁପର୍‌ ବାବୁଜୀ ?’’

 

ବୁଲିପଡ଼ି ଅନେଇଲି ପଛକୁ । ଶିକ୍ଷିତ ଲୋକଟିଏ ପରି ମନେ ହେଲା । କହିଲି, ‘‘ଓଡ଼ିଶା-।’’

 

‘‘ଓ ! ଆପ୍‌ ଓଡ଼ିଆ ?’’

 

‘‘ହାଁ ।’’

 

ତା’ପରେ ସେ ଭଦ୍ରବ୍ୟକ୍ତିଙ୍କ ସହିତ ବେଶ୍‌ ଆଳାପ ଆଲୋଚନା ହେଲା । ମୁଁ ଗୋଆ ସତ୍ୟାଗ୍ରହରେ ଯୋଗଦେବାକୁ ଯାଉଥିବା ଶୁଣି, ସେ ଦ୍ୱିଗୁଣିତ ଭାବରେ ଆଲୋଚନା ଆରମ୍ଭ କରିଦେଲେ । ଭଦ୍ରବ୍ୟକ୍ତିଟି ଜଣେ ସାମ୍ବାଦିକ ଓ ସ୍ଥାନୀୟ ‘‘ବିଶାଳଆନ୍ଧ୍ର’’ ପତ୍ରିକାର ସମ୍ବାଦଦାତା । ସେ ଅନୁରୋଧ କଲେ ‘‘ବିଶାଳ ଆନ୍ଧ୍ର’’ ଅଫିସ ଦେଖିଯିବା ପାଇଁ । ଅନୁରୋଧ ଏଡ଼ି ନ ପାରି ଗଲି-

 

ଫେରିଲାବେଳେ ସାମ୍ବାଦିକ ବନ୍ଧୁଟି ଅନୁରୋଧ କଲେ ତାଙ୍କ ସହିତ ମଧ୍ୟାହ୍ନ ଭୋଜନ କରିବା ପାଇଁ ।

 

ମଧ୍ୟାହ୍ନ ଭୋଜନ ପରେ ବସ୍‌ ଯୋଗେ ଫେରି ଆସିଲି ଷ୍ଟେସନ୍‌ର ବିଶ୍ରାମାଗାରକୁ ।

 

କେତୋଟି ଚିଠି ଲେଖିବାର ଥିଲା—ସେ ଗୁଡ଼ିକ ଲେଖି ଡାକରେ ପକାଇଲି ।

 

ଆଉ ଅଳ୍ପ ସମୟ ପରେ ଗାଡ଼ି ପହଞ୍ଚିବ—ବେଲଗାଓଁ ପର୍ଯ୍ୟନ୍ତ ଟିକେଟ କିଣି ଗାଡ଼ି ଅପେକ୍ଷାରେ ଥାଏ ।

 

ପ୍ଳାଟ୍‌ଫର୍ମ୍‌ର ବିଦ୍ୟୁତ୍‌ଘଣ୍ଟା ଜଣେଇ ଦେଲା, ଦିନ ତିନିଟା ବାଜି ବୟାଳିଶ ମିନିଟ୍‌ ।

 

‘ଗୁଣ୍ଟାକଳ୍‌ ପାସେଞ୍ଜର୍‌’ ଆସି ଠିଆ ହେଲା ଷ୍ଟେସନ୍‌ରେ । ଦେଖିଲି, ଭୀଷଣ ଭିଡ଼—ଗୋଡ଼ ରଖିବାକୁ ଠାବ ନାଇଁ । କୌଣସି ମତେ ଠେଲାପେଲା କରି ଗୋଟିଏ ଡବାରେ ଉଠିଲି କ୍ରମେ ସୂର୍ଯ୍ୟଦେବଙ୍କର ଅସ୍ତରାଗ ବୋଳା କିରଣରେ ଉଦ୍‌ଭାଷିତ ହେଲା ବେଜଓ୍ୟାଡ଼ା ଆକାଶ ।

 

‘‘ଗୁଣ୍ଟାକଲ୍‌ ପାସେଞ୍ଜର୍‌’’ ବେଜଓ୍ୟାଡ଼ା ଜଙ୍କ୍‌ସନ୍‌ ଛାଡ଼ିଲା ବେଳକୁ ଗୋଧୂଳୀର ପାତଳ ଅନ୍ଧକାର ଘନେଇଁ ଆସୁଥିଲା ଚଳନ୍ତାଗାଡ଼ିର ବାତାୟନ ଭେଦି ଦୃଷ୍ଟିଗୋଚର ହେଉଥିବା ରେଳରାସ୍ତା ଦୁଇ କଡ଼ର ଶସ୍ୟକ୍ଷେତ ଉପରେ ଜମିଥିଲା, ଧବଳ ଧୂମିକାର ଏକ ଅସରନ୍ତି ଧାରା ।

 

କେତୋଟି ଷ୍ଟେସନ୍‌ ପାର ହୋଇ ଗଲାପରେ ଅନୁଭବ କଲି ଭୀଷଣ ଶୀତ । ଡବାଗୁଡ଼ିକ ଛୋଟ... ଅଳ୍ପସ୍ଥାନ.. ଯାତ୍ରୀଙ୍କର ଚିତ୍କାର ଓ କୋଳାହଳ, ଏସବୁରେ ବଡ଼ ବିବ୍ରତ ହୋଇ ପଡ଼ୁଥାଏ ମୁଁ । ପ୍ରତି ଷ୍ଟେସନରେ ଓହ୍ଳେଇ ଦେଖେଁ, କୋଉ ଡବାରେ ଅବା ଟିକେ ଜାଗା ପାଇଯିବି ପରା !! କିନ୍ତୁ ସବୁଆଡ଼େ ଏକ ଅବସ୍ଥା ।

 

ଯାହଉ, ରାତି ଦଶଟା ବେଳକୁ ଟିକେ ଜାଗା ପାଇଲି—ବସୁ ବସୁ ନିଦ ଲାଗି ଆସିଲା–ଶୋଇଗଲି । ପାହାଡ଼ିଆ ରେଳରାସ୍ତା—ଧୀରେ ଧୀରେ ଗାଡ଼ି ଉଠୁଥାଏ ଉପରକୁ—ରାଶି ଆସୁଥାଏ ହେମାଳିଆ ପବନ ।

 

-ଦୁଇ-

 

ସେପ୍‌ଟେମ୍ବର ଚାରି ତାରିକ—ସକାଳ । ଗାଡ଼ି ସିମିତି ଚାଲିଥାଏ । ଛାରପୋକଙ୍କ କାମୁଡ଼ାରେ ନିଦ ଭାଙ୍ଗିଗଲା । ଉଠି ବସିପଡ଼ିଲି । ମଝିରେ ପଡ଼ିଲା ଗୋଟିଏ ଜଙ୍କ୍‌ସନ୍‌ । ସେହିଠାରେ ଓହ୍ଳାଇ, ସକାଳର ନିତ୍ୟକର୍ମ ସାରି, ନିଜ ସ୍ଥାନ ଅଧିକାର କଲି, ଗାଡ଼ି ଛାଡ଼ିଲା ।

 

ଦିନ ବାରଟା...

 

‘ଗୁଣ୍ଟାକଲ୍‌’ ଜଙ୍କ୍‌ସନ୍‌ରେ ଠିଆ ହେଲା ‘ଗୁଣ୍ଟାକଲ୍‌ ପାସେଞ୍ଜର୍‌’ । ଏଇଠାରେ ମତେ ଗାଡ଼ି ବଦଳେଇ ଧରିବାକୁ ହେବ ‘ହୁବ୍‌ଲି’ ଗାମୀ ଟ୍ରେନ୍‌ ।

 

‘ହୁବ୍‌ଲି’ଗାମୀ ଟ୍ରେନ୍‌ଆସି ଆଗରୁ ଅପେକ୍ଷା କରିଥାଏ—ଗୁଣ୍ଟାକଲ୍‌ ଜଙ୍କ୍‌ସନ୍‌ରେ । କାଳ ବିଳମ୍ବ ନ କରି ଗୋଟିଏ ଡବାରେ ଉଠିଲି । ବାରଟା କେତେ ମିନିଟ୍‌ରେ ଗାଡ଼ି ‘ଗୁଣ୍ଟାକଲ୍‌’ ପରିତ୍ୟାଗ କରି ‘ହୁବ୍‌ଲି’ ଅଭିମୁଖେ ଯାତ୍ରା ଆରମ୍ଭ କଲା ।

 

ବୁଦିବୁଦିକିଆ ଜଙ୍ଗଲ, ଛୋଟ ଛୋଟ ପାହାଡ଼, କ୍ଷୁଦ୍ର ଗିରିନଦୀ ଗୋଚର ହେଉଥାନ୍ତି ରେଲ୍‌ ରାସ୍ତାର ଉଭୟ ପାର୍ଶ୍ୱରେ । ମୁଁ ଯେଉଁ ଡବାରେ ଯାଉଥାଏ, ସେଥିରେ ଶ୍ରୀ ନମିଲା ନାମକ ଜଣେ ଭଦ୍ରବ୍ୟକ୍ତି ସପରିବାରେ ଯାଉଥାନ୍ତି ‘ହୁବ୍‌ଲି’ । ତାଙ୍କ ସହିତ ପରିଚୟ ହେଲା । ଖୁବ୍‌ଅଳ୍ପ ସମୟ ଭିତରେ ଦୁହେଁ ଅତି ଆପଣାର ପରି ହେଇଗଲୁଁ । ବାଟଯାକ ନାନାରକମର ଗପ ଚାଲିଥାଏ-। ନିମିଲାଙ୍କ ସହଧର୍ମିଣୀ ମିସେସ୍‍ ନମିଲା ମଧ୍ୟ ଆଗ୍ରହର ସହିତ ସେଥିରେ ଭାଗ ନେଉଥାନ୍ତି । ଶ୍ରୀ ନମିଲାଙ୍କର ଛ’ ସାତବର୍ଷର ଝିଅଟିଏ—ଅତି ସୁନ୍ଦର ଆଉ ଭାରି ଚଞ୍ଚଳ ସେ ।

 

ଦୁଇ-ଚାରୋଟି ଷ୍ଟେସନ୍‌ ପାର ହୋଇ ଗଲାପରେ ଶ୍ରୀ ନମିଲା ମତେ ଚା’ ଖାଇବାକୁ ନିମନ୍ତ୍ରଣ କଲେ । ଦୁହେଁ ରିଫ୍ରେସ୍‌ମେଣ୍ଟ ରୁମ୍‌ରେ ବସି ଚା’ ଖାଇଲୁ । ସେ ଓଡ଼ିଶା ସମ୍ବନ୍ଧରେ ବାଟଯାକ ନାନା ପ୍ରଶ୍ନ କରୁଥାନ୍ତି—ପ୍ରତ୍ୟେକ ପ୍ରଶ୍ନର ଯଥାଯଥ ଉତ୍ତର ମୁଁ ଦେଇ ଚାଲିଥାଏ । ମିସେସ୍‌ ନମିଲା ସେ କଥାକୁ ଶୁଣୁଥାନ୍ତି ଅତି ଉତ୍‌କଣ୍ଠାର ସହିତ । ଝିଅଟି ତାଙ୍କର ଗାଡ଼ି ଭିତରେ ବଡ଼ ଦୁଷ୍ଟାମି କରୁଥାଏ—କେଇଟି ଘଣ୍ଟା ରେଲଯାତ୍ରା ଭିତରେ ମୁଁ ତା’ର ବନି ଯାଇଥାଏ ପୂରା ଦୋସ୍ତ । ବେଳେ ବେଳେ ସେ ତା’ର ମା’ କୋଳରୁ ଖପ୍‌କିନି ଡ଼େଇଁପଡ଼େ ମୋ’ ଉପରକୁ—ମୋ’ ଉପରେ ନାଚିକୁଦି ମତେ ବଡ଼ ବ୍ୟତିବ୍ୟସ୍ତ କରି ପକାଉଥାଏ ।

 

ଗତ ରାତିରେ ଭଲ ନିଦ ହୋଇ ନ ଥିବାରୁ ଆଖି ମୁଦି ହୋଇ ଆସୁଥାଏ ଆପେ ଆପେ–ଡବାର ମୁକ୍ତ ବାତାୟନ ଭେଦି ପଶି ଆସୁଥାଏ ହେମାଳିଆ ସ୍ନିଗ୍‌ଧ ସମୀରଣ । ଦିନ ରତ ରତ ହୋଇ ଆସୁଥାଏ—ବାରୁଣୀ ବିଳାସୀ ଦିଅଁ ଧୀରେ ଧୀରେ ଲୁଚି ଯାଉଥାନ୍ତି ଚରମାଚଳ କୋଳରେ-। ତାଙ୍କର ସେହି ଅନ୍ତିମ, ଲୋହିତ ବର୍ଣ୍ଣଛଟା ସ୍ପର୍ଶ କରୁଥାଏ ବେଗଗାମୀ ଗାଡ଼ିର ଚଳନ୍ତା ଅବୟବକୁ-

 

ସନ୍ଧ୍ୟା ନଇଁ ଆସୁଥାଏ ।

 

କେତେ ନଦୀ, ନିବିଡ଼ ଅରଣ୍ୟ, ପର୍ବତମାଳାର ବୁକୁ ଭେଦ କରି ଗାଡ଼ି ଛୁଟିଥାଏ ‘ହୁବ୍‌ଲି’ ଅଭିମୁଖେ । ଶ୍ରୀଯୁକ୍ତ ନମିଲାଙ୍କୁ ପଚାରିଲି, ‘‘ହୁବ୍‌ଲି ଔର୍‌ କିତ୍‌ନା ରାସ୍ତା ।’’

 

‘‘ଔର୍‌ ଥୋଡ଼ାସା..... !’’ ସେ କହିଲେ ।

 

ମିସେସ୍‌ ନମିଲା ଭଲ ହିନ୍ଦୀ କହିପାରନ୍ତି ନାହିଁ । ତେବେ, ତାଙ୍କ କଥା ବେଶ୍‌ବୁଝି ହେଉଥାଏ ! ସେ ହେଉଛନ୍ତି କର୍ଣ୍ଣାଟୀକା ମହିଳା, ଶ୍ରୀ ନମିଲା ହେଉଛନ୍ତି ମହୀଶୂରର ବାସିନ୍ଦା । ଦୁହେଁ ଯାଉଥାନ୍ତି ‘ହୁବ୍‌ଲି’—‘ହୁବ୍‌ଲି’ ରେ ମିସେସ୍‌ ନମିଲାଙ୍କ ପିତୃଗୃହ ।

 

ଦୂରରୁ ‘ହୁବ୍‌ଲି’ ଷ୍ଟେସନ୍‌ର ସିଗ୍‌ନାଲ୍‌ ଖୁଣ୍ଟିଗୁଡ଼ିକ ଦେଖାଗଲା—ଗାଡ଼ି ହୁଇସିଲ୍‌ଦେଲା ଷ୍ଟେସନ୍‌ରେ ନିଜ ଉପସ୍ଥିତିର ଇଶାରା ଦେଇ । ଏଇଠାରେ ମତେ ପୁଣି ଗାଡ଼ି ବଦଳାଇ ପୁନା ଏକ୍‌ସପ୍ରେସ୍‌ ଧରିବାକୁ ପଡ଼ିବ ରାତି ସାଢ଼େ ନ’ଟା ବେଳେ ।

 

ଜିନିଷପତ୍ର ଧରି ଗାଡ଼ିରୁ ଓହ୍ଳେଇଲି.... ମୋ’ ସହିତ ମଧ୍ୟ ଶ୍ରୀ ନମିଲା ଓହ୍ଳେଇଲେ । ମତେ ବିଦାୟ ଦେବା ପାଇଁ ସେମାନେ ଆସିଲେ ବିଶ୍ରାମାଗାର ପର୍ଯ୍ୟନ୍ତ । ବିଦାୟ ପୂର୍ବରୁ ମିସେସ୍‌ ନମିଲା ପଚାରିଲେ, ‘‘ପିର୍‌ କବ୍‌ ମୁଲାକାତ୍‌ ?’’

 

ମୁଁ ହସି ହସି ଉତ୍ତର ଦେଲି, ‘‘ଯବ୍‌ଜିନ୍ଦା ରହେଙ୍ଗେ ତୋ....’’ ମୋ କଥା ସରିବାକୁ ନ ଦେଇ ସେ ପୁଣି କହିଲେ, ‘‘ଆପ୍‌ ଜରୁର୍‌ ଜିନ୍ଦା ରହେଙ୍ଗେ । ମୈ ଆପ୍‌କୋ ଆଶୀର୍ବାଦ କର୍‌ତା ।’’

 

ତା’ ପରେ...

 

ମୁଁ ସେମାନଙ୍କୁ ଜଣାଇଲି ବିଦାୟକାଳୀନ ନମସ୍କାର ସେମାନେ ପ୍ରତିନମସ୍କାର ଜଣାଇଁ ବିଦାୟ ନେଲେ ।

 

ବିଶ୍ରାମାଗାରର ଗୋଟିଏ ଛାରପୋକଭରା ଆରାମ୍‌ଚେୟାର ଉପରେ ପଡ଼ିରହିଁ ମୁଁ ଭାବୁଥାଏ, ନମିଲା, ମିସେସ୍‌ ନମିଲା, ଆଉ ତାଙ୍କର ସେଇ ଟିକି ଝିଅଟି କଥା । କେତୋଟି ମୁହୂର୍ତ୍ତ ପାଇଁ କି ଗଭୀର ସ୍ନେହରେ ସେମାନେ ବାନ୍ଧି ପକାଇଥିଲେ ମୋତେ ! କେଉଁ ଦୂର ଓଡ଼ିଶା ଭୂଇଁର ଜଣେ ଅଜଣା, ଅପରିଚିତ ପାନ୍ଥ ମୁଁ—ମାତ୍ର କେତୋଟି ଘଣ୍ଟା ପାଇଁ ସେମାନଙ୍କ ସହିତ ମୋର ସାନ୍ନିଧ୍ୟ ! ! ତା’ରି ଭିତରେ ସେମାନେ ମୋ’ ମନରେ ରଖି ଦେଇଗଲେ ଏକ ଚିର ସ୍ମରଣୀୟ ବନ୍ଧୁତ୍ୱପୂର୍ଣ୍ଣ ସ୍ମୃତି ।

 

ଗୋଆ ସୀମାନ୍ତରେ ପହୁଞ୍ଚିବା ପର୍ଯ୍ୟନ୍ତ ସେଇକଥା କେବଳ ମନ ଭିତରେ ଆନ୍ଦୋଳିତ ହେଉଥାଏ ।

 

‘ହୁବ୍‌ଲି’, ଷ୍ଟେସନର ଆସିଷ୍ଟାଣ୍ଟ୍‌ ଷ୍ଟେସନ ମାଷ୍ଟରଙ୍କ ସହିତ ବସି ଆଳାପ କରୁଥିଲି, ଆସି ପହଞ୍ଚିଲେ କେତେକ ସ୍ଥାନୀୟ ସାମ୍ବାଦିକ । ଆ.ଷ୍ଟେ.ମା. ସେମାନଙ୍କ ସହିତ ମୋର ପରିଚୟ କରାଇ ଦେଲେ । ତା’ ପରେ ସାମ୍ବାଦିକମାନଙ୍କ ସହିତ ବହୁ ସମୟ ଧରି ନାନା ରକମର ଆଲୋଚନା ଚାଲିଲା । ସାମ୍ବାଦିକମାନେ ମୋର ଗୋଆଯାତ୍ରାର ଉଦ୍ଦେଶ୍ୟ ନେଇ ନାନା ପ୍ରଶ୍ନ କଲେ । ସେମାନଙ୍କ ପ୍ରଶ୍ନ ଭିତରୁ କେତୋଟି ଏବଂ ମୋ ଉତ୍ତର ଭିତରୁ କେତୋଟି ଏଠାରେ ଉଲ୍ଲେଖ କରୁଛି ।

 

ପ୍ରଶ୍ନ—ସତ୍ୟାଗ୍ରହ ପନ୍ଥାରେ ଗୋଆ ଭାରତର ଅଙ୍ଗୀଭୂତ ହେବ, ଏ ବିଶ୍ୱାସ କ’ଣ ଆପଣଙ୍କର ଅଛି ?

 

ଉତ୍ତର—ନା, ମୋର ସେ ବିଶ୍ୱାସ ନାହିଁ ।

 

ପ୍ରଶ୍ନ—ତା ହେଲେ ?

 

ଉତ୍ତର—ଘରେ ଚୋର ପଶିଲେ ତାକୁ ବଳପ୍ରୟୋଗ କରି ଘଉଡ଼ାଇ ଦେବା ପଦ୍ଧତିରେ ମୁଁ ବିଶ୍ୱାସୀ ।

 

ପ୍ର—ଆପଣ ତ ନିଜେ ଜଣେ ସତ୍ୟାଗ୍ରହୀ !

 

ଉ—ହଁ, ତା’ ଛଡ଼ା ଅନ୍ୟ ଉପାୟ ନାହିଁ ।

 

ପ୍ର—ମାନେ ?

 

ଉ—‘ସତ୍ୟାଗ୍ରହୀ’ ନ ସାଜିଲେ ଗୋଆ ପ୍ରବେଶ ଆଶା ଖୁବ୍‌ କମ୍‌ । ଏ ‘ସତ୍ୟାଗ୍ରହୀ’ ଉପାଧି ମୋର ନାମକୁ ମାତ୍ର ! ମୋର ଲକ୍ଷ୍ୟ ସଂପୂର୍ଣ୍ଣ ଭିନ୍ନ । ତା’ ହେଉଛି, ସତ୍ୟାଗ୍ରହୀ ଦଳରେ ମିଶି ଗୋଆ ପ୍ରବେଶ କରି, ସେଠାର ଆତ୍ମଗୋପନକାରୀ ଜାତୀୟବାଦୀ କର୍ମୀମାନଙ୍କ ସହିତ କାମ କରିବା ।

 

ପ୍ର—ଗୋଆ ମୁକ୍ତି ଆନ୍ଦୋଳନ ପ୍ରତି ଓଡ଼ିଶା ଜନସାଧାରଣଙ୍କ ମନୋଭାବ କି ପ୍ରକାର-?

 

ଉ—ଗତ (୧୯୫୫) ଅଗଷ୍ଟ ପନ୍ଦର ତାରିକରେ ଗୋଆ-ଭୂଇଁରେ ପର୍ତ୍ତୁଗ୍ରୀଜ୍‌ ଜଳଦସ୍ୟୁ ସରକାର ଯେଉଁ ଅମାନୁଷିକ ହତ୍ୟାଲୀଳା କଲେ, ତାହା ବିଂଶ ଶତାବ୍ଦୀର ଇତିହାରେ ଏକ କଳଙ୍କିତ ଏବଂ ଘୃଣିତ ଅଧ୍ୟାୟ । ଭାରତର ଜନସାଧାରଣ ଆଜି ଗୋଆ ସମସ୍ୟାକୁ ଯେଉଁ ଦୃଷ୍ଟିରେ ଦେଖୁଛନ୍ତି, ଗୋଆମାଟି ଉପରେ ପ୍ରାଣବଳି ଦେଇଥିବା ବୀର ସହୀଦମାନଙ୍କ ପାଇଁ ଯେଉଁ ବ୍ୟଥା ଅନୁଭବ କରୁଛନ୍ତି; ଓଡ଼ିଶାର ଜନସାଧାରଣ ସେଥିରୁ ବାଦ୍‌ପଡ଼ନ୍ତେ ବା କିମିତି ! ! !

 

‘ହୁବ୍‌ଲି’ ସହର ବୁଲି ଦେଖିବାକୁ ମନ ହେଲା । କର୍ଣ୍ଣାଟକର ରାଜଧାନୀ ଏଇ ‘ହୁବ୍‌ଲି’ ସହରର । ଧୀରେ ଆଗେଇଲି ସହର ଭିତରକୁ । ଅଳ୍ପ ସମୟ ପୂର୍ବରୁ ଅସରାଏ ଭଲ ବର୍ଷା ହେଇ ଛାଡ଼ି ଯାଇଥାଏ—ନାନା ରଙ୍ଗର ଇଲେକ୍‌ଟ୍ରିକ୍‌ ଆଲୁଅରେ ସୁସଜ୍ଜିତ ପାଖ ହୋଟେଲମାନଙ୍କରୁ ଭାଷି ଆସୁଥାଏ, ବେତାର ଯନ୍ତ୍ରର ଦୂର ଷ୍ଟେସନର ଉନ୍‌ମାଦନାଭରା ଫିଲ୍ମ ସଂଗୀତର ମୂର୍ଚ୍ଛନା—ନାନା ରଙ୍ଗର ପହରଣରେ ସୁସଜ୍ଜିତା କର୍ଣ୍ଣାଟିୟା ତରୁଣୀମାନେ ଚାଲିଥାନ୍ତି ରାଜପଥର ଧାରେ ଧାରେ । ଯାଉ ଯାଉ ରାସ୍ତାକଡ଼ର ଗୋଟିଏ ତିନିତାଲା କୋଠା ଉପରେ ଦୃଷ୍ଟି ମୋର ଅଟକିଗଲା । ପାଖକୁ ଯାଇ ଦେଲି, ସାଇନ୍‌ବୋର୍ଡ଼ରେ ଲେଖାଅଛି; ‘‘କର୍ଣ୍ଣାଟକ ଜନସଂଘ ।’’ ଦୁଆର ମୁହଁରେ ଜଣେ ଭଦ୍ରଲୋକ କିଏ ଠିଆ ହୋଇଥିଲେ ! ପଚାରିଲି, ‘‘ଅଫିସ୍‌ମେ କୋଇ ହୈ ?

 

ଭଦ୍ରବ୍ୟକ୍ତିଟି ହସି କରି ମୋର ପରିଚୟ ମାଗିଲେ । ‘‘ମୁଁ ଓଡ଼ିଶାରୁ ଆସିଛି ଏବଂ ଯାଉଛି ଗୋଆ ସତ୍ୟାଗ୍ରହରେ ଯୋଗ ଦେବା ପାଇଁ’’ କହିବାରୁ ସେ ମୋତେ ଆଗ୍ରହର ସହିତ ଡାକି ନେଇ ବସେଇଲେ ଅଫିସରେ । ଆଳାପ ଆଲୋଚନା ଭିତରେ ଗୋଆ ମୁକ୍ତି ସଂଗ୍ରାମ ସମ୍ବନ୍ଧରେ ଅନେକ ତଥ୍ୟ ମଧ୍ୟ ତାଙ୍କଠୁଁ ପାଇଲି । ଭଦ୍ରବ୍ୟକ୍ତିଟି ମତେ ଅନୁରୋଧ କଲେ ତାଙ୍କ ସହିତ ରାତ୍ରି ଭୋଜନ ଶେଷ କରିବା ପାଇଁ । ଦୁହେଁ ବସିଲୁ ଗୋଟିଏ ଟେବୁଲରେ । ଖାଦ୍ୟ ସାମଗ୍ରୀ ଆଣି ଦେଇଗଲା ସାମ୍ନା ହୋଟେଲର ବୟ୍‌ । ଖାଇବା ସମୟ ଭିତରେ କର୍ଣ୍ଣାଟକର ରାଜନୈତିକ ପରିସ୍ଥିତି, ଗୋଆର ବର୍ତ୍ତମାନ ଆଭ୍ୟନ୍ତରୀଣ ଅବସ୍ଥା ଆଦି ବହୁ ବିଷୟ ଆଲୋଚନା ହେଲା ।

 

ଖାଇସାରି ଟିକେ ବିଶ୍ରାମ ନେଲାପରେ ସେ ଭଦ୍ରବ୍ୟକ୍ତିଟି ଗୋଟିଏ କାର୍‌ରେ ଆଣି ମତେ ‘ହୁବୁଲି’ ଷ୍ଟେସନରେ ଛାଡ଼ି ଦେଇଗଲେ । ଷ୍ଟେସନରେ ପହଞ୍ଚି, ବୁକିଂଅଫିସ୍‌ରେ ମୋର ପାସେଞ୍ଜର ଟିକେଟକୁ ଏକସ୍‌ପ୍ରେସ୍‌ ଟିକେଟରେ ପରିଣତ କରି, ବୁକ୍‌ଷ୍ଟଲରୁ ଖଣ୍ଡେ ‘‘ଟାଇମ୍‌ସ ଅଫ୍‌ ଇଣ୍ଡିଆ’’ କିଣି ଆଖି ବୁଲେଇଲି ଷ୍ଟେସନ ପ୍ଳାଟଫର୍ମର ଗୋଟିଏ ସିମେଣ୍ଟ ଚଉକି ଉପରେ ବସି-

 

ରାତି ସାଢ଼େ ନ’ଅ, କି ଦଶ !

 

ପୁନା ଏକ୍‌ସପ୍ରେସ୍‌ ଆସି ଠିଆ ହେଲା ହୁବ୍‌ଲି ଜଙ୍କସନ୍‌ରେ । ବର୍ଷା ଆରମ୍ଭ ହେଇ ଯାଇଥାଏ । ଆସିଷ୍ଟାଣ୍ଟ ଷ୍ଟେସନ ମାଷ୍ଟ୍ରଙ୍କଠାରୁ ବିଦାୟ ନେଇ ଉଠିଲି ଗୋଟିଏ ଡବାରେ । ବାହାରେ ଝାଡ଼ୁଆ ପବନ ବହୁଥାଏ ଅବିଶ୍ରାନ୍ତ–ଡବା ଭିତରେ ବସି ଭୀଷଣ ଶୀତ ଅନୁଭବ କରୁଥାଏ ମୁଁ । ପାଣି ଛାଟ ମାରୁଥିବାରୁ ଡବାର ଝରକାଗୁଡ଼ାକ ବନ୍ଦ କରିଦେଇ ଗୋଟିଏ ବେଞ୍ଚରେ ବିଛଣା କରିନେଲି ।

 

ପୁନା ଏକ୍‌ସପ୍ରେସ୍‌ ଆସି ଠିଆ ହେଲା ହୁବ୍‍ଲି ଜଙ୍କ୍‍ସନ୍‍ରେ । ବର୍ଷା ଆରମ୍ଭ ହୋଇଯାଇଥାଏ । ଆସିଷ୍ଟାଣ୍ଟ ଷ୍ଟେସନମାଷ୍ଟ୍ରରଙ୍କ ଠାରୁ ବିଦାୟ ନେଇ ଉଠିଲି ଗୋଟିଏ ଡବାରେ । ବାହାରେ ଝାଡ଼ୁଆ ପବନ ବହୁଥାଏ ଅବିଶ୍ରାନ୍ତ—ଡବା ଭିତରେ ବସି ଭୀଷଣ ଶୀତ ଅନୁଭବ କରୁଥାଏ ମୁଁ । ପାଣି ଛାଟ ମାରୁଥିବାରୁ ଡବାର ଝରକାଗୁଡ଼ାକ ବନ୍ଦ କରିଦେଇ ଗୋଟିଏ ବେଞ୍ଚରେ ବିଛଣା କରିନେଲି ।

 

ପୁନା ଏକ୍‍ସପ୍ରେସ୍‍ ଭୀମ ଗର୍ଜନ କରି, ‘ହୁବ୍‌ଲି’ ଜଙ୍କ୍‍ସନ୍‌ ଛାଡ଼ି, ଧାଇଁଲା ପୁନା ଅଭିମୁଖେ । ସେ ଡବାଟିରେ ମୋର ସହଯାତ୍ରୀ ଗୋଟିଏ ଗ୍ୟାଙ୍ଗ୍‌ କୁଲୀ ଦଳ । ସେମାନେ ଯାଉଥାନ୍ତି ଧାର୍‌ ଓ୍ୟାର୍‌ ପର୍ଯ୍ୟନ୍ତ । ସେମାନେ ସମୁଦାୟ ଥା’ନ୍ତି ଆଠ ଜଣ—ଅଧିକାଂଶ ସେମାନଙ୍କ ଭିତରୁ ଯୁବକ । କାଳିଆ ଭୁଷଣ୍ଡା ଚେହରା, ବଳିଲା ବଳିଲା ହାତଗୋଡ଼, ଟାଣୁଆ ପେଷିଯୁକ୍ତ ବାହୁ–ଆଖିଟିମାନ ସତେ ଯିମିତି ପ୍ରତ୍ୟେକ ସମୟରେ ଜୀବନ ସଂଗ୍ରାମର ସମ୍ମୁଖୀନ ହେବା ପାଇଁ ଉନ୍ମୁଖ !! ସେମାନେ ବସି ନିଜ ଭିତରେ ଦୁଃଖ ସୁଖ ହେଉଥାନ୍ତି । କଥ୍ୟ, ଗାଉଁଲି କନେରିଜ୍‌ ଭାଷା-। ମୋ’ ପକ୍ଷରେ ତାହା ବୁଝିବା ଅତ୍ୟନ୍ତ ଦୁଃସାଧ୍ୟ ।

 

ରାତି ଅ’ଧ..... ।

 

ହଠାତ୍‌ ନିଦ ଭାଙ୍ଗିଗଲା । ଗାଡ଼ି ଠିଆ ହୋଇଛି । ଝରକା ବାଟେ ବାହାରକୁ ଚାହିଁ ଦେଖିଲି, ‘ଲୋଣ୍ଡା’ ଷ୍ଟେସନ୍‌ । ଏଇ ‘ଲୋଣ୍ଡା’ ଠାରୁ ଅନେକ ଗିରିପଥ ଓ ସୁଡ଼ଙ୍ଗ ଦେଇ ଗୋଆ ଭିତରକୁ ଯାଇଛି ରେଲ୍‍ଲାଇନ୍‌ । ଆଗେ ଗୋଆ ସହିତ ଭାରତର ଟ୍ରେନ୍‌ ଚଳାଚଳ ହେଉଥିଲା ଏଇ ‘ଲୋଣ୍ଡା’ ବାଟେ । କିନ୍ତୁ ଭାରତ ସରକାରଙ୍କ ‘‘ଅର୍ଥନୈତିକ ବାସନ୍ଦ’’ ଫଳରେ ସବୁ ଯୋଗାଯୋଗ ଆଜି ବିଛିନ୍ନ ହୋଇ ପଡ଼ିଛି । ଏଇ ଲୋଣ୍ଡା ବାଟେ କେତେ ଅହିଂସ, ନିରସ୍ତ୍ର ଭାରତୀୟ ସତ୍ୟାଗ୍ରହୀ ଗୋଆ ମୁକ୍ତି ପାଇଁ ଆରମ୍ଭ କରିଥିଲେ, ସେମାନଙ୍କର ଅଭିଯାନ—ରେଲ୍‍ବାଇ ସୁଡ଼ଙ୍ଗ ଭିତରେ ସେମାନଙ୍କ ଉପରେ ଚାଲିଲା ଆତତାୟୀ ପର୍ତ୍ତୁଗୀଜ୍‌ ପୋଲିସର ଆଖିବୁଜା ଗୁଳିମାଡ଼ । ଦେଶ ମାତୃକାର ପୂର୍ଣ୍ଣାଙ୍ଗ ପାଇଁ ସେମାନେ ନିଜର ଅମୂଲ୍ୟ ଜୀବନକୁ ସମର୍ପି ଦେଲେ ପର୍ତ୍ତୁଗୀଜ୍‌ ଜଳଦସ୍ୟୁର ମେସିନ୍‌ଗନ୍‌ ମୁହଁରେ ।

 

ହଠାତ୍‌ ଗାଡ଼ିର ହୁଇସିଲ୍‌ରେ ଫେରି ଆସିଲି ବାସ୍ତବତା ଭିତରକୁ—ଭାବନା ଉର୍ଣ୍ଣନାଭର ବିଷଜାଲ କଟିଗଲା ମନ ଭିତରୁ ।

 

ନିଜର ସ୍ୱଭାବ-ସୁଲଭ ଗତିରେ ‘ପୁନା ଏକ୍‌ସପ୍ରେସ୍‌’ ଧାଇଁଲା ପୁନା ଅଭିମୁଖେ ।

 

-ତିନି-

 

ଆଜି ରାତିର ଶେଷ ଭାଗରେ ମୋର ଦୀର୍ଘ ପାଞ୍ଚ ଦିନର ରେଲ୍‌ଯାତ୍ରାର ଅବସାନ ହେବ । ମୁହୂର୍ତ୍ତକ ମଧ୍ୟରେ ଏକ୍‌ସପ୍ରେସଠାରୁ କୋଟି କୋଟି ଗୁଣ ବେଗରେ ମନ ଧାଇଁ ଯାଉଥାଏ ଓଡ଼ିଶା ଭୂଇଁକୁ । କଟକ ଛାଡ଼ିବା ପୂର୍ବରୁ ଯେଉଁ ବନ୍ଧୁମାନେ ମତେ ବାରଣ କରୁଥିଲେ ଗୋଆ ଯିବାକୁ ଓ ଯେଉଁମାନେ ବିଦ୍ରୂପ କରି କହୁଥିଲେ, ଓଃ ଗୋଆକୁ ଇଏ ଯାଇ ମୁକ୍ତ କରିଦେବେ !’’ ସେହିମାନଙ୍କ କଥା ମନେ ପଡ଼ୁଥାଏ । ହଁ, ଆମର ଏ ସମାଜରେ ପଂଝାଏ ଲୋକ ଅଛନ୍ତି; ଯେଉଁମାନଙ୍କର କେବଳ କାମ ହେଲା, ଚୌକି ଉପରେ ବସି ବକ୍ତୃତା ଝାଡ଼ିବା, ଲୋକଙ୍କୁ ବାରମଜା ଭାଷଣ ଶୁଣାଇଁବା ଏବଂ ଅନ୍ୟର ଜୀବନସଂଗ୍ରାମକୁ ବିଦ୍ରୂପ କରିବା । ସେପରି ଲୋକ କେବେ ଆଗକୁ ଯାଆନ୍ତି ନାହିଁ । ଯିଏ ଯାଏ, ତାକୁ କହନ୍ତି, ‘‘ଯାଅ ! ଲାଠି, ଗୁଳିକୁ ମୁକାବିଲା କର !!! ଛାତି ପତାଅ ବୁଲେଟ୍‌ ଆଗରେ !!!’’ ଯଦି ତମେ ତାଙ୍କୁ ଡାକିବ, ‘‘ଆଜ୍ଞା ! ଆସନ୍ତୁ ଯିବା । ପୋଲିସ ତେଣେ ଶୋଭାଯାତ୍ରା ଉପରେ ଟିଅରଗ୍ୟାସ୍‌ ଛାଡ଼ିଛି ।’’

 

‘‘ତମେ ଚାଲ ଆଗରେ । ମୁଁ ପଛରେ ଯାଉଛି ।’’ ଏତକ କହି ମାଈକୁତୀ ଭଳି ପେଟତଳେ ଲାଙ୍ଗୁଳ ଯାକି ବସି ରହନ୍ତି ଘରେ । ତା’ର ଦୁଇ ଚାରିଦିନ ପରେ ତୁମେ ଯଦି ଯାଇ ପଚାରିବ, ‘‘ଆଜ୍ଞା ! ସେଦିନ କହିଲେ ଯିବା ପାଇଁ.... ଗଲେ ନାହିଁ କାହିଁକି ?’’

 

ଉତ୍ତର ମିଳେ, ‘‘ମୋ’ ସ୍ତ୍ରୀ ମନା କଲେ ।’’

 

ଏଇ ହେଉଛି ସେମାନଙ୍କ ଦେଶପ୍ରେମ । ସେମାନେ ଅନ୍ୟକୁ ବିଦ୍ରୂପ କରିବେ ନାହିଁ ତ କରିବ କିଏ ?

 

ରାତି ତିନିଟା...

 

ପୁନା ଏକ୍‌ସପ୍ରେସ୍‌ ଦୀର୍ଘନିଃଶ୍ୱାସ ପକେଇ ଠିଆ ହେଲା ବେଲ୍‌ଗାଓଁ ଷ୍ଟେସନ୍‌ରେ—ଶେଷ ହେଲା ମୋର ଦୀର୍ଘ ପାଞ୍ଚ ଦିନର ରେଳଯାତ୍ରା । ଚରାଚର ବର୍ତ୍ତମାନ ସୁପ୍ତ । କଟକର ରାଜପଥ ବର୍ତ୍ତମାନ ଥିବ ଜନମାନବ ଶୂନ୍ୟ । ରାସ୍ତା ଉପରେ କାଁ ଭାଁ ବୁଲା ଷଣ୍ଢ ଏବଂ କୁତୀମାନେ ପଇଁତରା ମାରୁଥିବେ ! ! ରାତି ‘ସବାରୀ’ ନେଇ ରଜାବଗିଚା ରେକ୍‌ସାବାଲାଏ ଛୁଟିଥିବେ ଷ୍ଟେସନ୍‌-!!!

 

ଗାଡ଼ିରୁ ଓହ୍ଳେଇ, ଦାନ୍ତଘସି, ଚା’ଟିକେ ପିଇ ବିଶ୍ରାମ ନେଲି ବିଶ୍ରାମଗାରରେ । କିନ୍ତୁ ଆଖିରୁ ନିଦ ଅପସରି ଯାଇଥାଏ । ମନତଳେ ଛୁଟିଥାଏ ନାନା ଦ୍ୱନ୍ଦ ଆଉ ଦୁର୍ଭାବନାର ସ୍ରୋତ । କୌଣସିମତେ ସ୍ଥିର ହୋଇ ବସିପାରିଲି ନାହିଁ ନା ଶୋଇ ପାରିଲି ନାହିଁ ! ‘ନା, ଆଉ ବସିଲେ ଚଳିବ ନାହିଁ—ଯିବାକୁ ପଡ଼ିବ । ’ ବାହାରି ଆସିଲି ପଦାକୁ । ବାହାରେ କେତୋଟି ଟାଙ୍ଗୀ ଥୁଆ ହୋଇଥିଲା—କିଟିକିଟିଆ ଅନ୍ଧକାର ଭିତରେ କଚୁଆନ୍‌ର ବିଡ଼ିଗୁଲ ଝଡ଼ି ପଡ଼ୁଥିଲା ତଳକୁ । ଗୋଟିଏ ଟାଙ୍ଗାବାଲାକୁ ପଚାରିଲି, ‘‘ଯାଏଗା ଥଲକ୍‌ବାଡ଼ି ?’’

 

‘‘ଯାଏଗା ।’’

 

‘‘କିତ୍‌ନା ଲେ’ ଗା ?’’

 

‘‘ତିନ୍‌ ରୋପେୟା ।’’

 

‘‘କମ୍‌ତି ହୋ’ଗା ନେହିଁ ?’’

 

‘‘ନେହିଁ ।’’

 

ବର୍ଷା ଛାଡ଼ି ଯାଇଥିଲା.....

 

ଚାରିଆଡ଼ୁ ଅନ୍ଧକାର ଚିପି ହୋଇ ଆସୁଥିଲା ପରି ଲାଗୁଥିଲା । ପାଦ ବଢ଼େଇଲି ରାଜପଥ ଉପରକୁ । ପାଦରେ ଚାଲି ଚାଲି ଅଗ୍ରସର ହେଲି ଥଲକ୍‌ବାଡ଼ି ଅଭିମୁଖେ । ନିରନ୍ଧ୍ର ଅନ୍ଧକାର.... କେବଳ ରାସ୍ତାକଡ଼ର ଇଲେକ୍‌ଟ୍ରିକ୍‌ ଖୁଣ୍ଟମାନଙ୍କରେ ଜଳୁଥିବା ନୀଳାଭ ବିଦ୍ୟୁତ୍‌ ବତୀଗୁଡ଼ିକ ଯାହା ମୋ’ ସହିତ ରାସ୍ତାକୁ ପରିଚୟ କରାଇ ଦେଉଥାନ୍ତି ! ଯାଉ ଯାଉ ଭାବୁଥାଏ, ‘‘ଏଇ ସେହି ଐତିହାସିକ ବେଲ୍‌ଗାଓଁ ନଗରୀ ! ବିଗତ କେତେ ଦିନ ହେଲା ଏଇ ବେଲ୍‌ଗାଓଁ ମାଟିରୁ କେତେ ଅହିଂସ ଭାରତୀୟ ସତ୍ୟାଗ୍ରହୀ ଛୁଟିଛନ୍ତି ଗୋଆ ଅଭିମୁଖେ—ପର୍ତ୍ତୁଗୀଜ୍‌ ଜଳଦସ୍ୟୁ ଦଳର ବେତ୍ରାଘାତ ଆଉ କମାଣକୁ ମୁକାବିଲା କରିବା ପାଇଁ ! ! ଏଇ ଇତିହାସ ପ୍ରସିଦ୍ଧ ବେଲଗାଓଁ ମାଟିରେ କେତେ ଶତ ସହସ୍ର ଥର ଧ୍ୱନିତ ହୋଇ ଉଠିଛି ଅସଂଖ୍ୟ, ଅକଳନ ସ୍ୱାଧୀନତାକାମୀ ପାଗଳ ଜନତାର ଗଗନଭେଦୀ ସ୍ଳୋଗାନ୍‌ର ଧ୍ୱନି ହଜାର ହଜାର ସତ୍ୟାଗ୍ରହୀଙ୍କର ଉଚ୍ଛ୍ୱସିତ ପଦଚାରଣ ।’’

 

ଅଧମାଇଲିଏ ବାଟ ଯାଇଛି କି ନାହିଁ, ଆରମ୍ଭ ହେଲା ମୂଷଳଧାରାରେ ବର୍ଷା । ବେଲଗାଓଁ ଷ୍ଟେସନ ରହିଲାଣି ଅଧ ମାଇଲ ପଛରେ—ପାଖରେ ନାହିଁ ଘରଘାଟ—ଯିବି କୁଆଡ଼େ-!! ଚାରିଆଡ଼ୁ ନିରାଶ ହୋଇ, ଗୋଟି ସୁଦ୍ଧା ତିନ୍ତି ଯୁଡ଼ୁବୁଡ଼ୁ ଓଦା ହୋଇ ମାଡ଼ି ଚାଲିଲି ଆଗକୁ । ନିଃଶବ୍ଦ ଚରାଚର... କେହି କୁଆଡ଼େ ନାହିଁ । ବର୍ଷାର ଝଙ୍କାର, ରାତ୍ରିର ହୁଙ୍କାର, ଝିଙ୍କାରୀର ଝଙ୍କାର, ବିଜୁଳିର ନର୍ତ୍ତନ... ଘଡ଼ଘଡ଼ିର ମନ୍ଦ୍ର ଗର୍ଜନ.. ଆକାଶରୁ ଅବିଶ୍ରାନ୍ତ ଗଳୁଥାଏ ପାଣି ।

 

ବର୍ଷା ଟିକେ କମି ଆସିଲା...

 

ଥଲକ୍‌ବାଡ଼ ହୋଇ ଆସିଲା ନିକଟ । ‘ଗୋଆ ବିମୋଚନ ସମିତି’ ଅଫିସ କୋଉଠି, ସେକଥା ବି ମୋତେ ମାଲୁମ୍‌ ନାହିଁ ! ଯାହେଉ, ପହଞ୍ଚିଲି ଥଲକ୍‌ ବାଡ଼ିରେ । ଗୋଟିଏ ଲାଇଟ୍‌ଖୁଣ୍ଟ ତଳେ ଠିଆ ହେଇ ମୁଁ ଭାବୁଥାଏ, ‘‘ଏ ବର୍ଷା ରାତିରେ ତାହାକୁ ବା କଣ ପଚାରିବି !’’ ଏତେ ରାତିରେ ମତେ ଲାଇଟ୍‌ଖୁଣ୍ଟ ତଳେ ଏକୁଟିଆ ଦେଖି କୁକୁରଗୁଡ଼ାକ ଭୁକି ଉଠିଲେ । କିଛି ସମୟ ନୀରବରେ ଠିଆ ହେଲାପରେ ଝାପ୍‌ସା ବିଦ୍ୟୁତାଲୋକରେ ଗୋଟିଏ ହଳଦିଆ ରଙ୍ଗର କୋଠା ଦେଖାଗଲା । ଦେଖିଲି, ଓହଳିଛି ଏକ ସାଇନ୍‌ବୋର୍ଡ଼ । ଲେଖା ଅଛି, ‘‘ନ୍ୟାସ୍‌ନାଲ୍‌ କଂଗ୍ରେସ (ଗୋଆ) ।’’ ଗେଟ୍‌ ଖୋଲି ପଶିଲି ଭିତରକୁ । ବାହାର ବତୀଖୁଣ୍ଟରୁ ମେଞ୍ଚାଏ ଆଲୁଅ ତେରେଛେଇ ହୋଇ ପଡ଼ିଥିଲା ଦୁଇତାଲା ଉପରକୁ ଲମ୍ବି ଯାଇଥିବା ସିଢ଼ିର କେତୋଟି ସୋପାନ ଉପରେ । ସେଇ ସିଢ଼ିଏ ସିଢ଼ିଏ ଉଠିଲି ଉପରକୁ । କବାଟରେ କେତେ ଠୁକର ଦେଲି, କେହି ଶୁଣିଲେ ନାହିଁ । ଶେଷରେ ନିରାଶ ହୋଇ ବାହାର ବାରନ୍ଦାରେ ଓଦା ଲୁଗାଗୁଡ଼ାକ ଗୋଟିଏ ଚଉକିରେ ଲଦି ଦେଇ, ନିଜର ଭାରାକ୍ରାନ୍ତ ଗଣ୍ଡିଟାକୁ ଲୋଟେଇ ଦେଲି ଅନ୍ୟ ଗୋଟିଏ ଚଉକି ଉପରେ । ଭୀଷଣ ମଶା.... ସେଥିରେ ପୁଣି ହେମାଳିଆ ପବନ... ନିଦ ବା ଆସନ୍ତା କିମିତି ! !

 

ରାତିପାହି ନଥାଏ....

 

ଛାଇନିଦ ଲାଗି ଆସିଲା ବେଳକୁ ଦୂରରୁ... କାହିଁ କେତେ ଦୂରରୁ ଭାସି ଆସିଲା ଏକ ସତ୍ୟାଗ୍ରହୀ ଦଳର ସ୍ଳୋଗାନ୍‌ ! ଟିକେ ପରେ ପାଖ ରାସ୍ତାରେ ଶୁଭିଲା, ‘‘ଆଜାଦ୍‌ ଗୋମନ୍ତକ—ଜିନ୍ଦାବାଦ୍‌’’, ‘‘ଲାଠି, ଗୋଲି ଖାଏଙ୍ଗେ—ଫିର୍‌ଭି ଗୋଆ ଯାଏଙ୍ଗେ’’ ଇତ୍ୟାଦି ଧ୍ୱନି । ମନତଳେ ଗୋଟାଏ ଅଜ୍ଞାତ, ଗର୍ବୋତ୍‌ଫୁଲ୍ଲ ଶିହରଣ ଖେଳିଗଲା—କ୍ରମେ ବେଲଗାଓଁ ଆକାଶରେ ଦେଖାଦେଲା ପ୍ରଭାତୀ—ଚାରିଆଡ଼ ଫର୍ଚ୍ଚା ହେଇ ଆସିଲା । ବର୍ଷା ଚାଲିଥାଏ ଝିପିଝିପି ।

 

ଓଦା ଲୁଗାତକ କାଖତଳେ ଜାକି ବାହାରି ଆସିଲି ପଦାକୁ । ପଚାରି ବୁଝିଲି, ଗୋଆ ବିମୋଚନ ସମିତି ଅଫିସ ଅଳ୍ପ ଦୂରରେ ।

 

କିଛି ବେଳ ପରେ...

 

ଚାଲି ଚାଲି ଯାଇ ପହଞ୍ଚିଲି ବିମୋଚନ ସମିତି ଅଫିସରେ । ସାକ୍ଷାତ କଲି, ବିମୋଚନ ସମିତିର ସଂପାଦକ ଶ୍ରୀରାମ୍‌ ଆପ୍ତେଙ୍କୁ । ମୁଁ ମୋର ପରିଚୟ ଦେଲି । ତାଙ୍କ ନିର୍ଦ୍ଦେଶ କ୍ରମେ ପ୍ରାତଃକର୍ମ ଶେଷ କରି ବିଶ୍ରାମ ନେଲି ଅଫିସରେ । ଅନ୍ୟାନ୍ୟ ପ୍ରଦେଶରୁ ଆସିଥିବା ସତ୍ୟାଗ୍ରହୀ ବନ୍ଧୁମାନଙ୍କ ସହିତ ଭେଟ ହେଲା ।

 

ଦଶଟା ବେଳକୁ ।

 

ରୋଷେଇ ସରିବା ମାତ୍ରେ ଖାଇ ବସିଲୁ ସମସ୍ତେ । ଖାଇଲା ବେଳେ ଭାବୁଥାଏ, ‘‘ଜୀବନ ନାଟିକାର ଉପସଂହାର ବୋଧେ ପାଖେଇ ଆସିଲାଣି ! କେତେବେଳେ ଯେ ଡାକରା ଆସିଯିବ ମୃତ୍ୟୁର; ତା’ କିଏ ଜାଣେ ! ! ଜାଣିଥିବ ଅବା ଗୋଆ ବିମୋଚନ ସମିତି !!!

 

ସମିତି ଅଫିସର ରୋଷେଇଶାଳ.... ସେଠାରେ ତିଆରି ମୋଟା ମୋଟା ଦି’ପଟ ରୁଟି, ହଳଦୀ ଗୁଣ୍ଡର ଚଟଣୀ, ଶୁଷ୍କ ଅମୃତଭଣ୍ଡା, କଖାରୁ ସିଝାର ମେଞ୍ଚାଏ ମେଞ୍ଚାଏ ସେତେବେଳେ ଲାଗୁଥାଏ ଅମୃତ ଭଳି । କୌଣସି ମତେ ଯଥାତଥା ସେଥିରୁ ମେଞ୍ଚାଏ ଗର୍ଭସ୍ଥ କରି ଉଠିଲି । ତା’ପରେ କଚ୍ଛରୁ ଆସିଥିବା ସତ୍ୟାଗ୍ରହୀ ବନ୍ଧୁ ଶ୍ରୀ ପ୍ରାଣଲାଲ୍‌ଜୀ କୋଠରୀଙ୍କ ସହିତ ହେଲା ପରିଚୟ ।

 

ପାଖରେ ବସିଥିଲେ ଜଣେ ୧୪/୧୫ ବର୍ଷର ଯୁବକ । ଶ୍ରୀ କୋଠାରୀଙ୍କୁ ପଚାରିଲି ତାଙ୍କ ପରିଚୟ । ଶୁଣିଲି, ଗୋଆ ରାଜଧାନୀ ‘‘ପାଞ୍ଜିମ୍‌’’ ଠାରେ ଥିବା ପର୍ତ୍ତୁଗୀଜ୍‌ ଗଭର୍ଣ୍ଣର୍‌ ଜେନେରାଲ୍‌ଙ୍କ ଅଫିସ ଉପରେ ଉକ୍ତ ଯୁବକ ଭାରତୀୟ ଜାତୀୟ ପତାକା ଉତ୍ତୋଳନ କରିଥିବା ଯୋଗୁଁ ପର୍ତ୍ତୁଗୀଜ୍‌ ପୋଲିସ ତାଙ୍କୁ ଗିରଫ କରି, ନିର୍ମ୍ମମ ଭାବରେ ମାଡ଼ ଦେଇ ‘ପାଞ୍ଜିମ୍‌’ ଜେଲରେ ରଖିଥିଲେ । ନିକଟରେ ସେଠାରୁ ସେ ମୁକ୍ତିଲାଭ କରି ଫେରିଛନ୍ତି ।

 

ଯୁବକର ଏ ଦୁଃସାହସ ଯୋଗୁଁ ତାଙ୍କୁ ନୀରବ ଅଭିନନ୍ଦନ ଜଣାଇଲି ମନେ ମନେ ।

 

ଚାରିଟାବେଳେ ।

 

ପଞ୍ଜାବରୁ ଶ୍ରୀ ତକ୍‌ଦୀର୍‌ ସିଂ ଚୌଧୁରୀଙ୍କ ସମେତ ବହୁ ସତ୍ୟାଗ୍ରହୀ ଆସି ପହଞ୍ଚିଲେ ବେଲଗାଓଁ ରେ । ବିମୋଚନ ସମିତିର ସଂପାଦକ ଶ୍ରୀ ଆପ୍ତେ ମୋତେ; ସେମାନଙ୍କ ସହିତ ପରିଚୟ କରାଇ ଦେଲେ । ଶୁଣିଲି, ଶ୍ରୀ ତକ୍‌ଦୀର ସିଂ ଚୌଧୁରୀ ହେବେ ଆମ ସତ୍ୟାଗ୍ରହୀ ଦଳର ନେତା ।

 

ସଂଧ୍ୟା….

 

ବର୍ଷା ନ ଥିଲେ ମଧ୍ୟ ଆକାଶ ମେଘାଛନ୍ନ ରହିଥାଏ । ଜନ କୋଳାହଳରେ ମୁଖରୀତ ହୋଇ ଉଠିଥାଏ ବେଲଗାଓଁ ନଗରୀ । କେତେକ ସତ୍ୟାଗ୍ରହୀ ବନ୍ଧୁଙ୍କ ଗହଣରେ ବୁଲି ବାହାରିଲି । କିଛିଦୂର ଗଲାପରେ ଆରମ୍ଭ ହେଲା ଘୋର ବର୍ଷା । ବାଧ୍ୟ ହୋଇ ଫେରି ଆସିବାକୁ ପଡ଼ିଲା ସମିତି ଅଫିସକୁ ।

 

ରାତ୍ରିଭୋଜନ ପରେ ସବୁ ସତ୍ୟାଗ୍ରହୀମାନେ ଆସି ରୁଣ୍ଡ ହେଲେ ଗୋଟିଏ ଜାଗାରେ । ନିଜ ନିଜ ଭିତରେ ପରିଚୟର ଆଦାନ ପ୍ରଦାନ ହେଲା । ପ୍ରସ୍ତାବ ହେଲା, ପ୍ରତ୍ୟେକ ସତ୍ୟାଗ୍ରହୀ ସେମାନଙ୍କ ନିଜ ନିଜ ଭାଷାରେ ଗୋଟିଏ ଲେଖେଁ ସଂଗୀତ ଗାଇବେ । ଗୀତ ଗାଇବା ଆରମ୍ଭ ହେଲା । ମୁଁ ମୋର ସ୍ୱରଚିତ ‘‘ହୋସିଆର’’ ନାମକ ଏକ ବିପ୍ଳବୀ ସଙ୍ଗୀତ ଗାଇଲି । ତା’ପରେ ଆଲୋଚନା ସଭା ଆରମ୍ଭ ହେଲା । ଆଲୋଚନାର ମୁଖ୍ୟ ବିଷୟ ବସ୍ତୁ ହେଲା, କେଉଁ ସତ୍ୟାଗ୍ରହୀ କେଉ: ଦଳରେ ଯିବେ କେଉଁ ଦଳ କେଉଁ ବାଟରେ ଗୋଆ ପ୍ରବେଶ କରିବେ; ଇତ୍ୟାଦି । ବହୁ ସମୟ ଧରି ଆଲୋଚନା ଚାଲିଲା ପରେ, ଆଲୋଚନା ସଭା ଭଙ୍ଗହେଲା ।

 

ରାତି ଏଗାର ।

 

ନିଦରେ ଆଖିପତା ମୁଦି ହୋଇ ଆସୁଥାଏ ଆପେ ଆପେ । ଶୋଇବାକୁ ଯିବା ପୂର୍ବରୁ ସମିତି ତରଫରୁ ସବୁ ସତ୍ୟାଗ୍ରହୀଙ୍କୁ ଜଣାଇ ଦିଆଗଲା, ଆସନ୍ତାକାଲି ସକାଳେ, ଅର୍ଥାତ୍‌ ସେପେଟମ୍ବର ଛ’ ତାରିକ ସକାଳ ନଅଟା ବେଳେ ଗୋଟିଏ ସତ୍ୟାଗ୍ରହୀଦଳ ଚୌଧୁରୀ ତକ୍‌ଦୀର ସିଂଙ୍କ ନେତୃତ୍ୱରେ ଗୋଆ ଅଭିମୁଖେ ବେଲଗାଓଁ ଛାଡ଼ିବେ । ମୁଁ ମଧ୍ୟ ସେହି ଦଳର ଅନ୍ତର୍ଭୁକ୍ତ !

 

ଏ ସମ୍ବାଦ ଶୁଣିବା ମାତ୍ରେ ଭାବିଲି ‘‘ଏଥର ଆସିଗଲା ଡାକରା !’’

 

କେତେବେଳେ ରାତି ପାହିବ...ସକାଳ ହେବ...ଘଡ଼ିରେ ବାଜିବ ଦିନ ନ’ଟା ଆଉ ପର୍ତ୍ତୁଗୀଜ୍‌ ପୋଲିସ ଆଖିର ଅନ୍ତରାଳରେ ଆମ ସତ୍ୟାଗ୍ରହୀଦଳ ଅତିକ୍ରମ କରିବେ ଗୋଆ ସୀମାନ୍ତ ! ହଁ, ଠିକ୍‌ ସେତିକିବେଳେ ଦେଖିବାକୁ ପାଇବି ପର୍ତ୍ତୁଗୀଜ୍‌ସାମ୍ରାଜ୍ୟବାଦର ବିଭତ୍ସ ଆଉ ନଗ୍ନରୂପ—ଶୁଣିବାକୁ ପାଇଚି ୧୪୯୮ ସାଲରୁ ଔପନିବେଶିକ ପରାଧୀନତାର ରଥଚକ ତଳେ ସଢ଼ୁଥିବା ଗୋଆବାସୀ ଭାଇ ଓ ଭଉଣୀମାନଙ୍କର ବୁକୁଫଟା କରୁଣ ଆର୍ତ୍ତନାଦ !

 

ବାହାରେ ବର୍ଷାର ଝଙ୍କାର ସହିତ ମନ ଭିତରେ ବହୁଥାଏ ଏକ ବେଗଗାମୀ ତୋଫାନ୍‌–ଆଖି ଆଗରେ ଚଳଚିତ୍ର ଦୃଶ୍ୟ ପରି ଉଦ୍‌ଭାଷିତ ହୋଇ ଉଠୁଥାଏ ବ୍ୟକ୍ତିଗତ ଜୀବନର ଅତୀତ ଇତିହାସର କେତୋଟି ଛିନ୍ନ ପୃଷ୍ଠା ।

 

ଛାଇନିଦ ଲାଗି ଆସିଲା ଭାବୁ ଭାବୁ...

 

ବିଭାବରୀର ନିରାପଦ ଅବଗୁଣ୍ଠନ ତଳେ ହଜାଇ ଦେଲି ନିଜକୁ ।

 

ତହିଁ ଆରଦିନ ସକାଳ ।

 

ଶ୍ରୀ ତକ୍‌ଦୀର୍‌ ସିଂଙ୍କ ଡାକରେ ନିଦ ଭାଙ୍ଗିଗଲା—ବିଛଣାରୁ ଉଠିଲି । ବାହାରେ ବର୍ଷାଚାଲିଥାଏ ଅବିଶ୍ରାନ୍ତ —ହେମାଳିଆ ପବନରେ ଦେହ କିନ୍‌ କିନ୍‌ କରୁଥାଏ । ଗାଧୋଇବା ଛଡ଼ା ସବୁ ନିତ୍ୟକର୍ମ ଶେଷ କରି ନେଲି ।

 

‘‘ଠନ୍‌ ! ...ଠନ୍‌ !! ....ଠନ୍ !!! ...’’ ସମିତି ଅଫିସର କାନ୍ଥଘଣ୍ଟା ଘୋଷଣା କଲା, ସମୟ ‘ସାତଟା’ । ଠିକ୍‌ତା’ ପରେ ପରେ ସମିତି ତରଫରୁ ନିର୍ଦ୍ଦେଶ ଆସିଲା, ଜିନିଷ ପତ୍ର ଷ୍ଟୋର୍‌ କିପର୍‌ଙ୍କ ଜିମା ଦେଇ ଦେବାକୁ । କାରଣ, ଗୋଆ ପ୍ରବେଶ କଲାମାତ୍ରେ ପର୍ତ୍ତୁଗୀଜ୍ ପୋଲିସ ଜିନିଷ ପତ୍ର ସବୁ ଛଡ଼େଇ ନିଅନ୍ତି । ଯଦି ଜୀବିତାବସ୍ଥାରେ ଫେରି ଆସିବ ତ ଜିନିଷପତ୍ରଧରି ଘରକୁ ଫେରିବ; ନ ହେଲେ ତାହା ଅନ୍ୟମାନଙ୍କ କାମରେ ଲାଗିବ ।

 

ସାଢ଼େ ଆଠଟା ବେଳକୁ ରୋଷେଇ ସରିଲା । ସମସ୍ତେ ଖାଇ ବସିଲେ । ମୋ’ ପାଖରେ ବସିଥିବା ଭୋପାଳର ଜଣେ ସତ୍ୟାଗ୍ରହୀ ବନ୍ଧୁ କହିଲେ ‘‘ଇଏ ବୋଧେ ଶେଷଖାଦ୍ୟ !!’’

 

ଖିଆପିଆ ସରିଲା...

 

ଜିନିଷ ପତ୍ର ଷ୍ଟୋର୍‌କିପର୍‌ଙ୍କ ଜିମା ଧରେଇ ଦେଲୁଁ । ଡାକ୍ତର ଆସି ସତ୍ୟାଗ୍ରହୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରି ଚାଲିଗଲେ ।

 

-ଚାରି-

 

ବର୍ଷଣମୁଖର ସକାଳ...

ସେପ୍‌ଟେମ୍ବର ତା ୬ ରିକ, ୧୯୫୫ । ଆଉ କେତେମିନିଟ୍‌ପରେ ଘଡ଼ିରେ ବାଜିବ ନ’ଟା ! ସମିତି ଅଫିସ ସମ୍ନାରେ ଲମ୍ବି ଯାଇଥିବା ଗେରୁଆ ସଡ଼କ ଉପରେ ବର୍ଷାର ନୃତ୍ୟ ଚାଲିଥାଏ ଅବିରାମ—ଢାଉଆ ରଙ୍ଗର ପାଣି ସବୁ ବୋହିଯାଉଥାଏ ରାସ୍ତାର ଦୁଇକଡ଼କୁ । ମନେ ହେଉଥାଏ, ସତେଯିମିତି ଆମର ଏ ଅଭିଯାନ ପାଇଁ ଆମକୁ ଅଭିନନ୍ଦିତ କରି ବିଜୟର ବରମାଲ୍ୟ ପିନ୍ଧାଇ ଦେବାକୁ ଇନ୍ଦ୍ର ଦେବଙ୍କର ଏ ବର୍ଷାର ଆୟୋଜନ ।।

ନ’ଟା ବାଜିଲା ।

ବେଲ୍‌ଗାଓଁ ମାଟିରୁ ବିଦାୟର ମୁହୂର୍ତ୍ତ ନିକଟ ହୋଇ ଆସିଲା । ମିଲିଟାରୀ ଟ୍ରକ୍‌ ପରି ଦୁର୍ଦ୍ଦାନ୍ତ ଗତିରେ ଅଫିସ ସମ୍ନାରେ ଆସି ଠିଆ ହେଲା ଗୋଟାଏ ମସ୍ତବଡ଼ ଖୋଲା ଟ୍ରକ୍‌ । ଚୌଧୁରୀ ତକ୍‌ଦୀର୍‌ ସିଂଙ୍କ ନେତୃତ୍ୱରେ ୩୧ ଜଣ ସତ୍ୟାଗ୍ରହୀ ଟ୍ରକ୍‌ରେ ଉଠିଲେ । ଭାରତୀୟ ଜାତୀୟ ପତାକାଟିଏ ଧରି ମୁଁ ଉଠିଲି ସବା ଶେଷରେ ।

‘‘ଆଜାଦ୍‌ ଗୋମନ୍ତକ—ଜିନ୍ଦାବାଦ୍‌,’’ ‘‘ଭାରତ ଜନତା କରେ ପୁକାର—ଗୋଆ ଛୋଡ଼ୋ ସାଲାଜାର୍‌’’, ‘‘ହିନ୍ଦ୍‌ନେ ପୁକାରା ହୈ—ଗୋଆ ହାମାରା ହୈ,’’ ‘‘ଚଲାଓ ଗୋଲି, ଚଲାଓ ଲାଠି—ନେହିଁ ଡରେଙ୍ଗେ ଭାରତ୍‌ବାସୀ’’ ଇତ୍ୟାଦି ଧ୍ୱନି ଭିତରେ ଟ୍ରକ୍‌ ଚାଲିଲା ବେଲ୍‌ଗାଓଁରୁ ଗୋଆସୀମାନ୍ତ ‘ବାନ୍ଦା’ ଅଭିମୁଖେ ।

ଟ୍ରକ୍‌ ଛୁଟିଥାଏ...

ଘଣ୍ଟାକୁ ୩୦ । ୪୦ ମାଇଲ ବେଗରେ ତା’ର ଗତି । ତାର ଗତିବେଗ ସହିତ ବି ବଢ଼ୁଥାଏ ବର୍ଷା ଓ ଯବନର ଗତିବେଗ । ସେହି ଘୋର ବର୍ଷା ଭିତରେ ପାଖ ଗାଁ ମାନଙ୍କରୁ ସ୍ତ୍ରୀ-ପୁରୁଷମାନେ ରାସ୍ତାର ଧାରେ ଧାରେ ଧାଡ଼ିବାନ୍ଧି ଆମ ଟ୍ରକ୍‌ଉପରକୁ ଫୁଲ ପକେଇ ଅଭ୍ୟର୍ଥନା ଜଣାଉଁଥା’ନ୍ତି । ବେଲଗାଓଁ ଉପକଣ୍ଠ ଅଞ୍ଚଳର ଗଗନଚୁମ୍ବି ଅଟ୍ଟାଳିକାଗୁଡ଼ିକ ବର୍ଷାର ବୁକୁଭେଦ କରି ମଝିରେ ମଝିରେ ବହୁଦୂର ପର୍ଯ୍ୟନ୍ତ ଦେଖାଯାଉ ଥାଏ ।

ହେମାଳିଆ ପବନ ସହିତ ବର୍ଷା, ସେଥିରେ ପୁଣି ଖୋଲା ଟ୍ରକ୍‌ ! ଆମେ ସମସ୍ତେ ଶୀତରେ ଠକ ଠକ ହୋଇ ଥରୁ ଥାଉଁ । ଦେହରେ କେବଳ ଖଣ୍ଡେ ସାର୍ଟ; ଲୁଗା ଛଡ଼ା ଅନ୍ୟ କିଛି ନାହିଁ ! ସବୁ ଜମା ଦେଇ ଆସିଛୁଁ ବେଲ୍‌ଗାଓଁ ଅଫିସରେ ।

ଆଗୁଆ ପବନ ଆଉ ପାଣି ମାଡ଼ରେ ଦେହର ଚମ ସବୁ ସେତା ପଡ଼ିଯାଇ ଥାଏ—କେବଳ ଗୋଆ ମୁକ୍ତିର ମର୍ମସ୍ପର୍ଶୀ ସ୍ଳୋଗାନ୍‌ଗୁଡ଼ିକ ଆମର ପ୍ରତି ଲୋମକୂପରେ ଭରି ଦେଉଥାଏ ଏକ ନୂତନ ଉନ୍ମାଦନାର ବିଦ୍ୟୁତ ଝଲକ ।

ଆଗରେ ପଶ୍ଚିମଘାଟ ପର୍ବତମାଳା ।

ତା’ରି ପାଦଦେଶରେ କେତୋଟି ଚା’ ଦୋକାନ ! ଆମର ଟ୍ରକ୍‌ ଅଟକିଲା ସେଇ ଚା’ ଦୋକାନ ପାଖରେ । ଟ୍ରକ୍‌ରୁ ଓହ୍ଳାଇ ଦୋକାନ ପର୍ଯ୍ୟନ୍ତ ବି ଯାଇ ପାରିଲୁ ନାହିଁ ! କାରଣ, ଦଳ ଦଳ ବିଶାଳକାୟ ମେଘଖଣ୍ଡମାନ ଆସି ସ୍ପର୍ଶ କରୁଥାନ୍ତି ଭୂପୃଷ୍ଠର ସେହି ବନ୍ଧୁର ବକ୍ଷକୁ । ଯାହଉ, କଷ୍ଟେ ମଷ୍ଟେ ପହଞ୍ଚିଲୁ ଚା’ ଦୋକାନରେ । ପହଞ୍ଚିଲା ମାତ୍ରେ, ଦୋକନୀ ଗୋଟିଏ ଗୋଟିଏ ଚା’ କପ୍‌ ବଢ଼େଇ ଦେଲା ଆମ ହାତକୁ । କପ୍‌ ପାଖକୁ ମୁହଁ ନେଲା ବେଳକୁ ସେ ଥଣ୍ଡା । କାରଣ, ଏପରି ଶୀତ ପଡ଼ୁଥାଏ ସେଠି !!

ଚା’ ଖାଇସାରି ପୁଣି ଉଠିଲୁ ଟ୍ରକ୍‌ରେ...

....ଟ୍ରକ୍‌ ଚାଲିଲା ଉଚ୍ଚ-ନିଚ୍ଚ ସୀମାନ୍ତ ପଥରେ ।

ପଶ୍ଚିମଘାଟ ପର୍ବତମାଳାର ପାଦଦେଶରୁ ଯେତେବେଳେ ଉପରକୁ ଉଠୁଥାଏ ଆମ ଟ୍ରକ୍‌; ସେତେବେଳେ ପର୍ବତମାଳାର ମନମୁଗ୍‌ଧକାରୀ ଦୃଶ୍ୟ ମତେ ଆନନ୍ଦରେ ଅଭିଭୂତ କରି ପକାଉଥିଲା । ଧଳା ଧଳା ବଉଦ ଗୁଡ଼ିକ ଯିମିତି ପଥଶ୍ରାନ୍ତର କ୍ଳାନ୍ତି ଅପନୋଦନ ପାଇଁ ବିଶ୍ରାମ ନେଇଛନ୍ତି ଗଗନଚୁମ୍ବି ପାହାଡ଼ର ଚୂଡ଼ାରେ ! ! ବର୍ଷା ଚାଲିଥାଏ ତୁହାକୁ ତୁହା—ପର୍ବତମାଳାର ପ୍ରତ୍ୟେକଟି ଶୃଙ୍ଗ ଦେଖାଯାଉଥାଏ, ଗୋଟିଏ ଗୋଟିଏ ବିରାଟ ଧୂମ୍ର କିରୀଟ ପରି—ଶିଖର ଦେଶରୁ ଝରଣାର ସ୍ୱଚ୍ଛ ଜଳବେଣୀ ଗଦଗଦମୁଖର କଳରୋଳରେ ବହି ଆସି ଲମ୍ଫ ଦେଉଥାନ୍ତି ତଳକୁ । ଆମ ଗତିପଥର ଦୁଇଧାରରେ ସବୁଜ ଘନ ଜଙ୍ଗଲ, ତା’ର ଅପୂର୍ବ ନିଳୀମା, ବାଉଳା ବତାସର ପରଶରେ ତା’ ମନ୍ଦ ହିଲ୍ଲୋଳର ଦୃଶ୍ୟରେ ମୁଁ ଭୁଲି ଯାଉଥାଏ ମୋର ସମସ୍ତ ଅଙ୍ଗ ଅବସାଦ । ରାସ୍ତାର ଗୋଟିଏ ପାଖ କାହିଁ କେତେ ଉଚ୍ଚ ତ, ଅନ୍ୟ ପାଖଟି କାହିଁ କେତେ ଗଭୀର !! ତଳକୁ ଚାହିଁଲେ ଆଖି ପାଏନି ।

 

ଏଇମିତି ପଶ୍ଚିମଘାଟ ପର୍ବତମାଳାକୁ ଅତିକ୍ରମ କରି ଦିନ ତିନିଟାବେଳେ ଆମ ଟ୍ରକ୍‌ ପହଞ୍ଚିଲା ‘ବାନ୍ଦା’ ନଦୀ କୂଳରେ । ଟ୍ରକ୍‌ରୁ ଓହ୍ଳେଇ ଶୁଣିବାକୁ ପାଇଲୁଁ ନିଖିଳ ଭାରତ କଂଗ୍ରେସ କମିଟି ଗୋଆ ସତ୍ୟାଗ୍ରହକୁ ନାପସନ୍ଦ କରି ପ୍ରସ୍ତାବ ଗୃହିତ କରିଛନ୍ତି । ସେଥିପାଇଁ ଭାରତୀୟ ସତ୍ୟାଗ୍ରହୀଙ୍କୁ ଗୋଆରେ ପ୍ରବେଶ କରାଇ ନ ଦେବାକୁ ବମ୍ବେ ସରକାର ସୀମାନ୍ତରେ କଡ଼ା ପୋଲିସ ମୁତୟନ କଲେଣି ।

 

ଖଣ୍ଡେ ହୁଲି ଡ଼ଙ୍ଗାରେ ଥର ଥର କରି ୩୧ ଜଣ ସତ୍ୟାଗ୍ରହୀ ନଦୀ ପାର ହୋଇ ପଶିଲୁ ‘ବାନ୍ଦା’ ଗାଁ ଭିତରେ । ଠିକ୍‌ ସେତିକିବେଳେ ମୋର ମନେ ପଡ଼ିଲା, ଗତ (୧୯୫୫) ଅଗଷ୍ଟ ପନ୍ଦର ତାରିକ ସ୍ୱାଧୀନତା ଦିବସର କଥା । ସେହିଦିନ ଏହି ‘ବାନ୍ଦା’ ଠାରୁ ଅଦୂରରେ, ପର୍ତ୍ତୁଗୀଜ୍‌ ପୋଲିସର ନିର୍ମ୍ମମ ଗୁଳି ମାଡ଼ରେ ଶତାଧିକ ନିରସ୍ତ୍ର, ଅହିଂସ ଭାରତୀୟ ସତ୍ୟାଗ୍ରହୀ ଟଳି ପଡ଼ିଥିଲେ—କେତେ ମଧ୍ୟ ଚିରଦିନ ପାଇଁ ବିକଳାଙ୍ଗ ହୋଇଥିଲେ ! ସେମାନଙ୍କ ଭିତରକୁ କେତେକେ ଏ ପର୍ଯ୍ୟନ୍ତ ବେଲ୍‌ଗାଓଁ ହସ୍‌ପିଟାଲ୍‌ରେ ଅର୍ଦ୍ଧମୃତ ଅବସ୍ଥାରେ ପଡ଼ି ରହିଛନ୍ତି ।

 

ଯେଉଁ ‘ସ୍ୱାଧୀନତା’ ଟିକକ ପାଇଁ ଭାରତର ଜନସାଧାରଣ ଔପନିବେଶିକ ପରାଧୀନତାକୁ ପଦାଘାତ କରି ଅମ୍ଳାନ ବଦନରେ ହସି ହସି ଫାଶୀକାଠରେ ନିଜକୁ ଝୁଲେଇ ଦେଇଥିଲେ;—ସେ ଆଶା, ସେ ଆକାଂକ୍ଷା ତାଙ୍କର ପୂର୍ଣ୍ଣ ହେଲା ନାହିଁ—ଅପୂର୍ଣ୍ଣ ରହିଗଲା ସ୍ୱାଧୀନତାର ରଙ୍ଗିଲା ଛବି । ଭାରତ ଭୂଇଁରୁ ସାମ୍ରାଜ୍ୟବାଦୀ ଇଂରେଜ ଜାତି ବିଦାୟ ନେବାର ଦୀର୍ଘ ଦଶବର୍ଷ ପରେ ବି ଭାରତର ଅପାମର ଜନସାଧାରଣଙ୍କ ବୁକୁ ଉପରେ ଏ ପର୍ଯ୍ୟନ୍ତ ରହିଛି ତିନୋଟି ବଡ଼ ଧରଣର ଘା’—ଗୋଆ, ଡାମନ୍‌, ଡ଼ିୟ ।

 

ଆଜି ଏସିଆର କାହିଁକି; ସମଗ୍ର ବିଶ୍ୱର ମୁକ୍ତିକାମୀ ଜନସାଧାରଣ ସାମ୍ରାଜ୍ୟବାଦୀ ଔପନିବେଶିକ ଶୋଷଣକୁ ଖତମ୍‌କରି ନିଜର ଭାଗ୍ୟ ନିଜେ ନିଷ୍ପତ୍ତି କରିବାକୁ ଆଗୁଁସାର ହେଉଥିଲା ବେଳେ—ସ୍ୱାଧୀନତାକାମୀ ପାଗଳ ଜନତାର ଭୀମ ପଦାଘାତରେ ସାମ୍ରାଜ୍ୟବାଦୀ ଶିବିର ଖଣ୍ଡବିଖଣ୍ଡିତ ହୋଇ ଭୁଷୁଡ଼ି ପଡ଼ୁଥିବାବେଳେ—କ୍ଷୁଦ୍ର ପର୍ତ୍ତୁଗାଲ୍‌ର ପ୍ରଧାନମନ୍ତ୍ରୀ, ମାର୍କିନ୍ ସାମ୍ରାଜ୍ୟବାଦର ଜବରଦସ୍ତ୍‌ ଆଲସେସିଆନ୍ ସାଲାଜାର୍‌ ତା’ର ମୁମୂର୍ଷୁ ଉପନିବେଶବାଦକୁ ଅକ୍‌ସିଜେନ୍ ଦେଇ ପୁନଃପ୍ରତିଷ୍ଠିତ କରିବାକୁ ଭାରତ ଭୂଇଁ ଗୋଆମାଟିରେ ଚଳାଇଛି ଫାସୀଷ୍ଟ ଦମନଲୀଳା । ଏହାଠାରୁ ଦୁଃସାହସ ଆଉ ବର୍ବରତା ବା କ’ଣ ଥାଇପାରେ ?

 

‘ବାନ୍ଦା’ ଗାଁ ମୁଣ୍ଡରେ ଗୋଟିଏ ଦେବ ମନ୍ଦିର...ଅଶ୍ୱତ୍‌ଥ ଗଛଟିଏ ମନ୍ଦିର ସାମ୍ନାରେ । ସେହି ମନ୍ଦିରଟି ସତ୍ୟାଗ୍ରହୀ ମାନଙ୍କ ବିଶ୍ରାମାଗାରରେ ପରିଣତ ହୋଇଥାଏ କିଛି ଦିନ ହେଲା ! ସେଇଠି ଯାଇ ବିଶ୍ରାମ ନେଲୁଁ । ବେଲ୍‌ଗାଓଁ ଠାରୁ ‘ବାନ୍ଦା’ ଏହି ୮୭ ମାଇଲ୍‌ ଦୀର୍ଘପଥ ମଟର ଉଠା ପକାରେ ଅତିକ୍ରମ କରି ଆସିଥିବାରୁ ସତ୍ୟାଗ୍ରହୀ ଦଳର ଅନେକେ କ୍ଳାନ୍ତ ହୋଇ ପଡ଼ିଥାନ୍ତି । କେତେକ ବି ଶୋଇ ପଡ଼ିଥାନ୍ତି ! ଆମେ କେତେଜଣ କେବଳ ବସିଥାଉଁ ବାହାର ବାରନ୍ଦାରେ । ଅପରିଚିତ ଲୋକ ସହିତ କଥାବାର୍ତ୍ତା ନ କରିବା ପାଇଁ ଆମ ସହିତ ଥିବା ‘ଗାଇଡ଼୍‌’* ଆମକୁ ସତର୍କ କରି ଦେଇଥିଲେ । କାରଣ, ‘ବାନ୍ଦା’ର ଦକ୍ଷିଣ ପଟକୁ ଗୋଆ ସୀମାନ୍ତ ମୋଟେ ଡାକେ ବଟ ! ଅନେକ ସମୟରେ ପର୍ତ୍ତୁଗୀଜ୍‌ ଗୁପ୍ତଚରମାନେ ସୀମାନ୍ତ ଟପି ଆସି, ସତ୍ୟାଗ୍ରହୀଙ୍କଠୁଁ ଖବର ସଂଗ୍ରହ କରି ପର୍ତ୍ତୁଗୀଜ୍‌ ପୋଲିସ୍‌ଙ୍କୁ ନେଇ ଦିଅନ୍ତି ।

 

* ଯେଉଁମାନେ ଗୋଆରୁ ଭାରତ ଭିତରକୁ ପଳାଇ ଆସି ମୁକ୍ତି ଆନ୍ଦୋଳନ ପାଇଁ କାମ କରୁଛନ୍ତି ଏବଂ ସତ୍ୟାଗ୍ରହୀମାନେ ଗୋଆ ପ୍ରବେଶ ପାଇଁ ଗଲାବେଳେ ଯେଉଁମାନେ ସେମାନଙ୍କ ସହିତ ଯାଇ ଗୋଆ ଭିତରକୁ ବାଟ ଦେଖାଇ ଦିଅନ୍ତି ।

 

‘ବାନ୍ଦା’ ଏକ ଛୋଟ ଗାଁ....

 

ଦୁଇଶହରୁ ଉର୍ଦ୍ଧ୍ୱ ଘର । ଲୋକଙ୍କ ଚାଲି-ଚଳଣ ଅତି ସାଧାସିଧା । ଗାଁ ଟିକୁ ବର, ଅଶ୍ୱତ୍‌ଥ ଗଛ ଘେରି ରହିଛନ୍ତି । ପାଖ ଦେଇ ବହିଯାଉଛି ଏକ ଖରସ୍ରୋତା ପାହାଡ଼ିଆ ନଈ । ନଈଟି ପର୍ତ୍ତୁଗୀଜ୍‌ ଗୋଆର ଭାଗେ ଆଉ ଭାରତର ଭାଗେ । ନଈକୂଳକୁ ଲାଗି ତା’ ଦୋକାନଟିଏ । ନ୍ୟାସ୍‌ନାଲ୍ କଂଗ୍ରେସ (ଗୋଆ) ତରଫରୁ ସେହି ଦୋକାନରେ ଆମର ରାତ୍ରିଭୋଜନର ବନ୍ଦୋବସ୍ତ ହୋଇଥାଏ ।

 

ଖିଆପିଆ ସରୁ ସରୁ ରାତି ଦ’ଶ ।

 

ଶୋଇବାକୁ ଯିବା ପୂର୍ବରୁ ଦଳର ନେତା ଚୌଧୁରୀ ତକ୍‌ଦୀର୍‌ ସିଂଙ୍କ ସହିତ ଟିକେ ଆଳାପ ଆଲୋଚନା କରିବାର ସୁଯୋଗ ମତେ ମିଳିଥିଲା । ଦେଖିଲି, ସିଂଜୀ ଜଣେ ବଡ଼ ହସଖୁସିର ଲୋକ । ମୁଣ୍ଡରେ ବାଳ ନାହିଁ—ଚନ୍ଦା । ପାନ, ବିଡ଼ି, କୌଣସି ପ୍ରକାର ମାଦକ ଦ୍ରବ୍ୟର ସେ ଧାର୍‌ ଧାରନ୍ତି ନାହିଁ । ସେ ଜଣେ ନାମ୍‌ଜାଦା କଂଗ୍ରେସବାଲା । ପଞ୍ଜାବର ରୌତକ୍‌ଠାରେ ସେ ଆଇନ ବ୍ୟବସାୟ କରନ୍ତି ।

 

ମୁଁ ତାଙ୍କୁ ପଚାରିଲି, ‘‘ନେତାଜୀ ! ଏ. ଆଇ. ସି. ସି.ର ଓ୍ୟାର୍କିଂ କମିଟି ତ ଗୋଆ ସତ୍ୟାଗ୍ରହକୁ ନାପସନ୍ଦ କରି ପ୍ରସ୍ତାବ ଗୃହିତ କଲେ; ଆଉ ..... ଆପଣ କଂଗ୍ରେସବାଲା ହେଇ କିମିତି ଗୋଆ ପ୍ରବେଶ ପାଇଁ ଯାଉଛନ୍ତି ?’’

 

ଉତ୍ତର ପାଇଲି, ‘‘ସେ ପ୍ରସ୍ତାବକୁ ମୁଁ ଖାତିର୍‌ କରେନା । ସ୍ୱାଧୀନତାର ତୃଷା ଆଗରେ ସେ ପ୍ରସ୍ତାବ ଅତି ଅପ୍ରଧାନ ଗୌଣ ।’’

 

ରାତି ବେଶି ହେବାରୁ ସମସ୍ତେ ଶୋଇବାକୁ ଗଲୁଁ ।

 

-ପାଞ୍ଚ-

 

ସକାଳ ଆଠଟା...

 

ସେପ୍‍ଟେମ୍ବର ସାତ, ୧୯୫୫ ।

 

ନିତ୍ୟକର୍ମ ଶେଷ କରି ଜଳଖିଆ ଖାଇସାରିଥାଉଁ; ଆସି ପହଞ୍ଚିଲେ ଦୁଇଜଣ C I D ଅଫିସର ଆଉ ଜଣେ ପୋଲିସ D. S. P. । ସେମାନେ ଆମକୁ ଗୋଆ ପ୍ରବେଶ ନ କରିବାକୁ ପ୍ରବର୍ତ୍ତାଇଲେ । ଦଳର ନେତାଙ୍କ ନିର୍ଦ୍ଦେଶରେ ସମସ୍ତେ ଖାଲି ‘ହାଁ ଜୀ’ ମାରୁଥାଉଁ । ସେମାନେ ଫେରିଗଲେ ।

 

ବାରଟା ବାଜିବାକୁ କେତେ ମିନିଟ୍‌ ବାକୀ ଥାଏ...

 

ଦଳର ନେତାଙ୍କ ନିର୍ଦ୍ଦେଶରେ ଆମ ସତ୍ୟାଗ୍ରହୀ ଦଳ ପ୍ରବେଶ ପଥରେ ଅଗ୍ରସର ହେଲେ—‘ଦୋଦାମାର୍ଗ’ ଅଭିମୁଖେ । ‘ଗାଇଡ଼୍‌’ ଜଣକ ଚାଲିଥାନ୍ତି ଆଗେ ଆଗେ, ଆମେ ୩୧ ଜଣ ସତ୍ୟାଗ୍ରହୀ ଚାଲିଥାଉଁ ତାଙ୍କ ପଛରେ । ‘ବାନ୍ଦା’ ଠାରୁ ବାମକୁ ଦଶମାଇଲ ଦୂରରେ ‘ଦୋଦାମାର୍ଗ । ସବୁଠାରୁ ଦୁର୍ଗମ ହେଉଛି ଏଇ ‘ଦୋଦାମାର୍ଗ’ ପଥ । ଏଇ ଦଶମାଇଲ ଭିତରେ ବହୁ ଖର ସ୍ରୋତା ନଦୀ ଓ ନାଳ ପଡ଼େ । ଜଙ୍ଗଲ ଭିତରେ ସର୍ପିଳ ରାସ୍ତା—ପାର୍ବତୀୟ ପଥର ଦୁଇ ଧାରରେ ନିବିଡ଼ ଅରଣ୍ୟ । ସୀମାନ୍ତ ଯେତିକି ନିକଟେଇ ଆସୁଥାଏ, ବର୍ଷାର ବେଗ ସେହିପରିମାଣରେ ବୃଦ୍ଧି ପାଉଥାଏ ।

 

ଆମେ ଗୋଆ ପ୍ରବେଶ ପାଇଁ ଯାଉଛୁଁ, ସୀମାନ୍ତ (ଭାରତୀୟ) ପୋଲିସ ଏ ଖବର ପାଇ ଆମ ପଛେ ପଛେ ଦୁଇଟି ଡକ୍‌ଭ୍ୟାନ୍‌ରେ କେତେକ ପୋଲିସ ଅଫିସର ଆମ ପିଛାଧରି ଚାଲି ଥା’ନ୍ତି ।

 

ଶେଷରେ ଆମେ ପହଞ୍ଚିଲୁ ‘କଲ୍‌ନା’ ନାମକ ଏକ ସ୍ଥାନରେ । ସେଠାରେ ଭାରତୀୟ ସୀମାନ୍ତରକ୍ଷୀ ପୋଲିସର ଗୋଟିଏ ଫାଣ୍ଡି ।

 

ସଂଧ୍ୟା ନଇଁ ଆସୁଥାଏ ସୀମାନ୍ତ ଆକାଶରେ—ପବନ ଓ ବର୍ଷାମାଡ଼ରେ ଆମେ ସମସ୍ତେ କ୍ଳାନ୍ତ ହୋଇ ପଡ଼ିଥାଉଁ । ହଠାତ୍‌ ଆମ ପଛରେ ଥିବା ଡକ୍‌ଭ୍ୟାନ ଦୁଇଟି ଆମ କଡ଼ ଦେଇ ଚାଲିଗଲା ଆଗକୁ ଓ କିଛି ଦୂରରେ ଯାଇ ଠିଆ ହେଲା । ସଙ୍ଗେ ସଙ୍ଗେ ଭିତରୁ ବାହାରିଲେ ଲାଠିଧାରୀ କନେଷ୍ଟବଳ କୋଡ଼ିଏ ଜଣ—‘ବାନ୍ଦା’ ଠାରେ ଯେଉଁ C. I. D ଅଫିସର ଓ D. S. P.ଙ୍କୁ ଦେଖିଥିଲୁଁ, ସେହିମାନେ ! ସେତେବେଳେ ଆମେ ସେମାନଙ୍କୁ ଦେଖିଥିଲୁଁ ନିରସ୍ତ୍ର, ବର୍ତ୍ତମାନ ସେମାନେ ସଶସ୍ତ୍ର । ଅଣ୍ଟାରେ ରିଭଲ୍‌ଭର୍‌, କାନ୍ଧରେ ଫଟୋକାମେରା, ହାତରେ ଟର୍ଚ୍ଚ୍‌ଲାଇଟ୍‌, ଦେହରେ ସାମରିକ ବରଷାତି ।

 

ଆମ ସତ୍ୟାଗ୍ରହୀ ଦଳ ସେତେବେଳକୁ ଗୋଟିଏ ଶାଳଗଛ ତଳେ ବିଶ୍ରାମ ନେଇ ଥା’ନ୍ତି-। ଟିକେ ବିଶ୍ରାମ ନେଲାପରେ ଆମେ ପୁଣି ଉଠିବୁ । ପାଖ ଝରଣାରୁ ମନ୍ଦିଏ ପାଣି ମୁଁ ପିଇଲି–ଶୋଷ ହେଉଥାଏ ପ୍ରବଳ ତା ସହିତ ଭୋକ ବି ! ପାଣି ପିଇଲା ବେଳେ ଭାବୁଥାଏ, ‘‘ଆଉ କେତେ ମିନିଟ୍‌ ପରେ ତ ନିଜ ବୁକୁରେ ଅନୁଭବ କରିବି ପର୍ତ୍ତୁଗୀଜ୍‌ ବୁଲେଟ୍‌ର ମଧୁର ଚୁମ୍ବନ, ପାଣି ପିଇ ବା ଲାଭ କ’ଣ ? ନା, ନା, ଗୋଆ ସୀମାନ୍ତ ପର୍ଯ୍ୟନ୍ତ ଏ ପଥଶ୍ରନ୍ତ ଗଣ୍ଡିଟାକୁ ନେଇ ପହଞ୍ଚେଇ ଦେବା ମୋ’ ପକ୍ଷରେ ବିଜ୍ଞତାର କାର୍ଯ୍ୟ ହେବ । ତା’ପରେ ? କ’ଣ ଶେଷ ହୋଇଗଲା ମୋର କର୍ତ୍ତବ୍ୟ-?? ନା, ଏ ଗୋଟାଏ ମସ୍ତବଡ଼ ଦୁଃସ୍ୱପ୍ନ…ନୈରାଶ୍ୟ ବା ଫ୍ରଷ୍ଟ୍ରେସନ୍‌ ।

 

ସାମ୍ନାରେ ପ୍ରାୟ କୋଡ଼ିଏ ହାତ ଦୂରରେ ଗୋଟିଏ ଖରସ୍ରୋତା ପାହାଡ଼ିଆ ନଦୀ । ନଦୀଟି ପାରିହେଲେ ଭାରତ ଆଉ ଗୋଆର ସୀମା । ଗୋଟିଏ ବାଙ୍କ ବୁଲିଗଲା ପରେ ଦେଖାଯାଏ ସୀମାନ୍ତର ଚିହ୍ନ ପଥର ଖୁଣ୍ଟିଗୁଡ଼ିକ । ସତେ ଯିମିତି ସେହି ପଥର ଖୁଣ୍ଟିଆର ପାଖରୁ କିଏ ହାତଠାରି ଡାକୁଛି, ଆଉ କହୁଛି, ‘ମତେ ଶୃଙ୍ଖଳରୁ ମୁକ୍ତକର !’’

 

ଜଣେ ପୋଲିସ ଅଫିସର ଆଗେଇ ଆସିଲେ ଆମରି ଆଡ଼େ ଆଉ ଉଚ୍ଚ କଣ୍ଠରେ କହିଲେ, ‘‘ଆପଣମାନଙ୍କୁ ଆଉ ଇଞ୍ଚେମାତ୍ର ଆଗକୁ ଯିବାକୁ ଦବୁ ନାହିଁ ।’’ ଠିକ୍‌ ତା’ପରେ ପରେ ମୋ’ ମୁହଁରୁ ଅଜ୍ଞାତରେ ବାହାରି ପଡ଼ିଲା, ‘‘ଆମେ ଆଉ ଇଞ୍ଚେମାତ୍ର ପଛକୁ ଫେରିବୁ ନାହିଁ ।’’

 

ଅଫିସର ଜଣକ ଠିଆ ହୋଇ ମୋ’ ମୁହଁକୁ ଚାହିଁ ରହିଲେ କେତେବେଳ ଯାଏଁ ! ସେ ସବୁକୁ ଅଗ୍ରାହ୍ୟ କରି ଆମେ ଗୋଆ ପ୍ରବେଶ ପଥରେ ଅଗ୍ରସର ହେଲୁଁ ।

 

ରାତ୍ରିର ଘନାୟମାନ ଅନ୍ଧକାର ଘନେଇଁ ଆସୁଥାଏ...

 

ଭୀଷଣ ଶୀତରେ ଥରି ଉଠୁଥାଏ ଶରୀରର ପ୍ରତ୍ୟେକ ତନ୍ତ୍ରୀ । ବସିଥିବା ଗଛ ମୂଳରୁ ଦଶହାତ ବାଟ ଯାଇଛୁ କି ନାହିଁ, ସଶସ୍ତ୍ର ପୋଲିସ ବାହିନୀ ସହ ଅଫିସର ମାନେ ଆମର ଗତିପଥ ଅବରୋଧ କଲେ । ସେ ଅବରୋଧକୁ ନମାନି ଆମେ ଅଗ୍ରସର ହେବାକୁ ଚେଷ୍ଟା କଲାବେଳେ ଆମ ସମସ୍ତଙ୍କୁ ଗିରଫ କରାଗଲା । ଗିରଫ କରି, ଆମ ସମସ୍ତଙ୍କୁ ଡକ୍‌ଭ୍ୟାନ୍‌ରେ ଆଣି ରାତି ବାରଟା ବେଳେ ପୋଲିସ ଛାଡ଼ି ଦେଇଗଲା ସାମନ୍ତ ବାଡ଼ିରେ । ଆମେ ପୁଣି ଆସି ରହିଲୁ ସୀମାନ୍ତ ଠାରୁ ଦୀର୍ଘ ତେର ମାଇଲ ପଛରେ ।

 

ସେ ଦିନ ରାତିଟି ପୂରାପୂରି କଟିଲା ଉପବାସରେ...

 

ତହିଁ ଆରଦିନ ଦଶଟାବେଳେ ଦଳର ନେତା ଶ୍ରୀ ତକ୍‌ଦୀର୍‌ ସିଂ ପୁନାଠାରେ ଥିବା କେନ୍ଦ୍ର ଗୋଆ ବିମୋଚନ ସମିତିକୁ ଏକ ତାରବାର୍ତ୍ତାରେ ଏ ସମ୍ବାଦ ଜଣାଇଁ ଦେଲେ ।

 

ସାମନ୍ତବାଡ଼ିର ସ୍ଥାନୀୟ ଗୋଆ ମୁକ୍ତି କମିଟି ଅଫିସ ହୋଇଥାଏ ଆମର ବାସସ୍ଥାନ । କମିଟିର କର୍ମକର୍ତ୍ତାମାନେ ଯାହା ଗଣ୍ଡେ ଗଣ୍ଡେ ଆଣି ଦିଅନ୍ତି; ସେୟାକୁ ଖାଇ କୌଣସିମତେ କ୍ଷୁଧା ନିବାରଣ କରୁଥାଉଁ । ଦିନରେ ଦୁଇଥର ଲେଖାଏଁ ରତ୍‌ନଗିରିର ପୋଲିସ D. S. P ଆସି ଆମକୁ ଗୋଆ ନ ଯିବାକୁ ଫୁସୁଲାଉ ଥା’ନ୍ତି ।

 

ସାମନ୍ତବାଡ଼ି ଗୋଟିଏ ମଧ୍ୟମ ଧରଣର ସହର । ଚତୁଃପାର୍ଶ୍ୱରେ ଅତ୍ୟୁଚ୍ଚ ପର୍ବତଶ୍ରେଣୀ ଆଉ ଘଞ୍ଚ, ଶ୍ୟାମଳ ବନାନୀ । ପ୍ରାକୃତିକ ଦୃଶ୍ୟ ଅତୀବ ମନୋରମ । ସେଠା ଲୋକଙ୍କର ‘ସାଇବାବା’ ହେଉଛନ୍ତି ଅରାଧ୍ୟ ଦେବତା । ‘ବର୍ମ ସେଲ୍‌’ କମ୍ପାନୀର ଗୋଟିଏ ବିରାଟ ପେଟ୍ରୋଲ୍‌ ପମ୍ପ୍‌ ସେଠି ଅଛି । ଆଗେ ସାମନ୍ତବାଡ଼ିରେ ଜଣେ । ରାଜା ରାଜୁତି କରୁଥିଲେ । ତାଙ୍କର ପ୍ରତିକୃତି ପଥରରେ ଖୋଦିତ ହୋଇ ଏ ପର୍ଯ୍ୟନ୍ତ ରଖାଯାଇଛି । ସହର ମଝିରେ ଏକ ବିରାଟ ପୁଷ୍କରିଣୀ । ସେଠା ଲୋକେ ହିନ୍ଦୀ ଖୁବ୍‌ କମ୍‌ କହନ୍ତି—ବେଶି କହନ୍ତି ମରାଠୀ ଭାଷା ।

 

ଏଗାର ତାରିକ ସକାଳ ଆଠଟା….

 

କେନ୍ଦ୍ର ଗୋଆ ବିମୋଚନ ସମିତି (ପୁନା) ଠାରୁ ଆସି ପହଞ୍ଚିଲା ଏକ ତାରବାର୍ତ୍ତା । ସେଥିରେ ନିର୍ଦ୍ଦେଶ ଥିଲା, ‘‘ଭାରତୀୟ ପୋଲିସର ବାଧାକୁ ଉପେକ୍ଷା କରି ଗୋଆ ପ୍ରବେଶ କର ।’’

 

-ଛଅ-

 

ବର୍ଷଣମୁଖର ସକାଳ.....,

 

ଘଡ଼ିରେ ବାଜିଛି ଛ’ଟା...

 

ସେପ୍‌ଟେମ୍ବର ତା ୧୧ ରିଖ, ୧୯୫୫ । ବାହାରେ ବର୍ଷା ଚାଲିଥାଏ ବେଦମ୍‌ । ପୁନା ସମିତିର ନିର୍ଦ୍ଦେଶ ମୁତାବକ ୩୧ ଜଣ ସତ୍ୟାଗ୍ରହୀ ପୁଣି ଗୋଆ ଅଭିଯାନ ପଥରେ ଅଗ୍ରସର ହେଲୁଁ ।

 

ସାମନ୍ତବାଡ଼ିଠାରୁ ତିନି ମାଇଲ ବାଟ ଗଲାପରେ ଆରମ୍ଭ ହେଲା ବୁଦିବୁଦିକିଆ ଜଙ୍ଗଲ-। ବର୍ଷାମାଡ଼ରେ ଲୁଗାପଟାରୁ ପାଣି ବୋହି ପଡ଼ୁଥାଏ । ହଠାତ୍‌ ଦେଖାଗଲା, କିଛିଦୂରରେ ରତ୍ନଗିରିର ପୋଲିସ୍‌ D. S. P. ପ୍ରାୟ ଚାଳିଶ ଜଣ ସଶସ୍ତ୍ର ପୋଲିସଙ୍କୁ ଧରି ଆମର ଗତିପଥ ଅବରୋଧ କରି ଠିଆ ହୋଇଛନ୍ତି । ରାସ୍ତାକଡ଼ରେ ଥୁଆ ହୋଇଛି ଦି’ ତିନିଟା ଖଣ୍ଡେ ପୋଲିସ୍‌ଭ୍ୟାନ୍‌ ।

 

ଆମକୁ ଦେଖି ପୋଲିସ୍‌ ବାହିନୀ ଆଗେଇ ଆସିଲେ— D.S.P ମଧ୍ୟ ଆମକୁ ଫେରିଯିବାକୁ ଅନୁରୋଧ କଲେ । କିନ୍ତୁ ତାହା ବିଫଳ ହେଲା । ଯେଉଁ ସତ୍ୟାଗ୍ରହୀମାନେ ଛାତିକୁ ବଜ୍ରଠାରୁ ଆହୁରି କଠୋର କରି ନିଜର ଜନ୍ମଭୂମି, ବାସସ୍ଥାନ, ସ୍ତ୍ରୀ, ପୁତ୍ରଙ୍କ ମମତାକୁ ପାଦରେ ଆଡ଼େ ଦେଇ ଆଗେଇ ଆସିଛନ୍ତି ପର୍ତ୍ତୁଗୀଜ୍‌ ସଂଗୀନ୍‌କୁ ମୁକାବିଲା କରିବା ପାଇଁ—ସେମାନେ ଏଇ ସାମାନ୍ୟ ସୀମାନ୍ତରକ୍ଷୀ ପୋଲିସର ଗିରଫ୍‌ଦାର୍‌ ଧମକ୍‌ରେ ଯେ ପଛକୁ ଫେରିବେ, ଏହା ଏକ ହାସ୍ୟାସ୍ପଦ କଥା ।

 

ଆମେ ପୋଲିସର ଅନୁରୋଧ ଏଡ଼ି ଆଗେଇବାକୁ ଆରମ୍ଭ କଲୁଁ । ସଙ୍ଗେ ସଙ୍ଗେ ପୋଲସି ବାହିନୀ କାନ୍ଧକୁ କାନ୍ଧ ମିଳାଇ, ବନ୍ଧୁକରେ ବନ୍ଧୁକଛନ୍ଦି ସାମ୍ନାରେ ଠିଆହେଲେ ଆମର ରାସ୍ତା ଅବରୋଧ କରି । ଘୋର ବର୍ଷା ଭିତରେ ପ୍ରାୟ ଘଣ୍ଟାଏ କାଳ ସୀମାନ୍ତରକ୍ଷୀ ପୋଲିସବାହିନୀ ସହ ଛକା-ପଞ୍ଝା ସତ୍ୟାଗ୍ରହ ଚାଲିଲା ଆମ ସତ୍ୟାଗ୍ରହୀ ଦଳର । ସବୁ ପ୍ରକାର ବାଧା ଦେଇ ଯେତେବେଳେ ସେମାନେ ବିଫଳ, ସେତେବେଳେ D. S. P. ଙ୍କ ନିର୍ଦ୍ଦେଶରେ ଆମ ସମସ୍ତଙ୍କୁ ଗିରଫ କରାଗଲା । ଭ୍ୟାନ୍‌ରେ ଭର୍ତ୍ତି କରି ସେମାନେ ଆମକୁ ଆଣି ଛାଡ଼ିଦେଇ ଗଲେ ସାମନ୍ତବାଡ଼ିରେ ।

 

ଭ୍ୟାନରୁ ଓହ୍ଳେଇବା ସଙ୍ଗେ ସଙ୍ଗେ ଆମେ ପୁଣି ଅନ୍ୟ ଏକ ବାଟରେ ଆମର ଅଭିଯାନ ଆରମ୍ଭ କଲୁଁ ।

 

କିଛିଦୂର ଅଗ୍ରସର ହେଲାପରେ ଆରମ୍ଭ ହେଲା ନିବିଡ଼ ଜଙ୍ଗଲ ଓ ଏକ ବିରାଟ ପାହାଡ଼-। ପାହାଡ଼ ଉପରେ ଦେଇ ରାସ୍ତାଟି ଲମ୍ବି ଯାଇଛି ବାନ୍ଦା ନଦୀକୂଳ ପର୍ଯ୍ୟନ୍ତ । ପାହାଡ଼ର ଶିଖର ଦେଶ ଅତିକ୍ରମ କରି ଆମେ ପଶିଲୁ ଆହୁରି ଘନ-ଜଙ୍ଗଲ ଭିତରେ । କିଛି ଦୂର ଗଲାପରେ ଦେଖାଗଲା, ପୁଣି D. S. P. ପ୍ରାୟ ଦୁଇ ଶହ ସଶସ୍ତ୍ର କନେଷ୍ଟବଳଙ୍କୁ ଧରି ରାସ୍ତା ଅବରୋଧ କରି ଠିଆ ହୋଇଛନ୍ତି ।

 

ଏଗାରଟା ବାଜିଯାଇଥିଲା...

 

ପର୍ବତ ପାଦଦେଶର ଅନାମିକା ବୃକ୍ଷ ଚୂଡ଼ାରୁ ଭାଷି ଆସୁଥିଲା ପକ୍ଷୀର କାକଳି—ହେମାଳିଆ ପବନ ବହୁଥିଲା ଅବିଶ୍ରାନ୍ତ ! ....ବର୍ଷାର ବେଗ ବି ବୃଦ୍ଧି ପାଉଥିଲା !! ଆମକୁ ପୁନର୍ବାର ଗିରଫ କରାଗଲା । D. S. P. ଆମକୁ ନିର୍ଦ୍ଦେଶ ଦେଲେ ଭ୍ୟାନ୍‌ରେ ବସିବା ପାଇଁ । ଆମେ ତାର ପ୍ରତିବାଦ କରି, ଭ୍ୟାନ୍‌ରେ ନ ବସି ବସିଗଲୁ ସେହି ପାର୍ବତୀୟ, ସର୍ପିଳ ରାସ୍ତାର ଦୁଇଧାରରେ ।

 

ଗୋଆ ସୀମାନ୍ତର ବର୍ଷା ଓଡ଼ିଶାର ବର୍ଷାପରି ନୁହେଁ;—ମୂଷଳଧାରାରେ ବର୍ଷା ! ଚେକା ଚେକା ମେଘମାଳା ସତେ ଅବା ଆସି ମାଟିରେ ଲାଗି ଯାଇଛନ୍ତି ! ଅସରାଏ ପରେ ଅସରାଏ ଆସେ ତା’ର ଭୟଙ୍କର ମୂର୍ତ୍ତି ଧରି ।

 

ଆମେ ଯେଉଁ ଜାଗାରେ ବସି ରହି ଥାଉଁ, ତା’ର ଅନତିଦୂରରେ ‘ଇନ୍‌ସୁଲି’ ନାମକ ଏକ ଛୋଟ ଗାଁ । ବାଟଚଲା, ଉପବାସ, ବର୍ଷାମାଡ଼ରେ ସମସ୍ତଙ୍କ ଶରୀର ପ୍ରାୟ ଅବସନ୍ନ ! ପୋଲିସ ଆମକୁ ଗିରଫ କରି, ବସାଇ ରଖି, ସେ ପର୍ଯ୍ୟନ୍ତ କିଛି ଖାଇବାକୁ ଦେଇ ନଥିବା ସମ୍ବାଦ ପାଇ ଦିନ ଦୁଇଟା ବେଳେ ସେଇ ‘ଇନ୍‌ସୁଲି’ ଗାଁରୁ କେତେକ ଛାତ୍ର ଗୋଟାଏ ମସ୍ତବଡ଼ କୁଣ୍ଡରେ କିଛି ତିଆରି ଚା’ ଏବଂ ବିଡ଼ି ଧରି ଆସି ପହଞ୍ଚିଲେ । ସମସ୍ତେ ଟିକେ ଟିକେ ଚା’ ଖାଇ ଆଶ୍ୱସ୍ତିର ନିଶ୍ୱାସ ମାରିଲୁ-। ଭୀଷଣ ବର୍ଷା, ସେଥିରେ ପୁଣି ନାହିଁ ନଥିବା ଶୀତ । ତା’ରି ଭିତରେ ଗୋଟିଏ ଲେଖେଁ ଚା’ କପ୍‌ଓ ଜଳନ୍ତା ବିଡ଼ି ସତେ ଯିମିତି ଆମର ସ୍ୱର୍ଗର ସଂପତ୍ତି !! ଯେଉଁ ଛାତ୍ର ବନ୍ଧୁମାନେ ଘୋର ବର୍ଷାରେ କଷ୍ଟ ସ୍ୱୀକାର ପଥଶ୍ରମ କରି ଆଣି ଆମକୁ ଚା’ ଖାଇବାକୁ ଦେଲେ, ସେମାନଙ୍କୁ ମୁଁ ବ୍ୟକ୍ତିଗତ ଭାବରେ ହୃଦୟର ଅନ୍ତରତମ ପ୍ରଦେଶରୁ ଜଣାଇଁଲି କୃତଜ୍ଞତା ।

 

ଦିନ ତିନିଟା... ।

 

ଆମେ ସେଇମିତି ବସିଥାଉଁ ରାସ୍ତାର ସେଇ କାଦୁଅ ଉପରେ; କିନ୍ତୁ ପୋଲିସମାନେ ଭ୍ୟାନ୍‌ଭିତରେ ବସିଥାନ୍ତି ଆରାମରେ ! ପୁଣି ଥରେ ପୋଲିସ ଆମକୁ ନିର୍ଦ୍ଦେଶ ଦେଲା ଭ୍ୟାନ୍‌ରେ ବସିବା ପାଇଁ । କିନ୍ତୁ ସେଥିରେ କେହି କର୍ଣ୍ଣପାତ କଲେ ନାହିଁ ।

 

‘‘ନିରସ୍ତ୍ର ସତ୍ୟାଗ୍ରହୀଙ୍କୁ ଗିରଫ କରି, ସାରାଦିନ ବସାଇ ରଖି କାହିଁକି କିଛି ଖାଇବାକୁ ଦେଇ ନାହିଁ ।’’ ବୋଲି ପୋଲିସକୁ କୈଫିୟତ ତଲବ୍‌କଲେ ସତ୍ୟାଗ୍ରହୀ ଦଳର ନେତା ଚୌଧୁରୀ ତକ୍‌ଦୀର ସିଂ । କିନ୍ତୁ ପୋଲିସ ତରଫରୁ ତା’ର କୌଣସି ଜବାବ ମିଳିଲା ନାହିଁ ।

 

ଆକାଶରେ ଜମାଟ ବନ୍ଧା କଞ୍ଚା ମେଘ...

 

ପଶ୍ଚିମ ଦିଗରୁ ଆରବ ସାଗର ଉର୍ମିକୁ ଅତିକ୍ରମ କରି ମାଡ଼ି ଆସିଲା ସଂଧ୍ୟା—ଦିବାବସାନର ସୂଚନା ଦେଇ । ନୀଡ଼ାଭିମୁଖୀ ପକ୍ଷୀଦଳର ପଟୁଆର ଫେରି ଯାଉଥାଏ ତା’ର ନୀଡ଼କୁ—ଚେଁ ଚାଁ ଶବ୍ଦରେ ମୁଖରିତ ହୋଇ ଉଠୁଥାଏ ନିବିଡ଼ ବନ ଭୂମି । ମନେ ହେଉଥାଏ, ସତେ ଯିମିତି ଆମର ଏ ଦୁର୍ଦ୍ଦଶାରେ ମୁହ୍ୟମାଣ ହୋଇ ସେମାନେ ଜଣାଇଛନ୍ତି ଆମକୁ ସମବେଦନା !!

 

ଚାହୁଁ ଚାହୁଁ ମାଡ଼ି ଆସିଲା ବିଭାବରୀର ଘନାୟମାନ ଅନ୍ଧକାର—ହେମାଳିଆ ପବନସହିତ ଖୁବ୍‌ ଯୋର୍‌ ବର୍ଷା ପଡ଼ିବାକୁ ଆରମ୍ଭ କଲା । ଯିବୁ କୁଆଡ଼େ ! ! ସମ୍ମୁଖରେ ଗୋଆ ସୀମାନ୍ତ ଚାରିମାଇଲ ଦୂର । ପଛକୁ ତ ଫେରିବୁ ନାହିଁ ! ଉପରେ ଅନନ୍ତ; ମେଘାଚ୍ଛନ୍ନ ଆକାଶ; ନିମନ୍ତେ ନିବିଡ଼ ଅରଣ୍ୟ, ଚାରି ପାଖରେ ସଶସ୍ତ୍ର ପୋଲିସ ବାହିନୀ;—ମଝିରେ କେବଳ ଆମେ କେଇଜଣ ପଥଶ୍ରାନ୍ତ, କ୍ଷୁଧିତ, ବିରସ୍ତ୍ର ସତ୍ୟାଗ୍ରହୀ !

 

ବର୍ଷା ଚାଲିଥାଏ...ପବନ ପିଟୁଥାଏ...ସେହି ତିମିରାଚ୍ଛନ୍ନ କର୍ଦ୍ଦମାକ୍ତ ପାର୍ବତ୍ୟ ପଥ ଉପରେ ବସି ମୋର ମନେ ପଡ଼ୁଥାଏ ଜନ୍ମଭୂମି ଉତ୍କଳର ପ୍ରାଚୀନ ନୌବାଣିଜ୍ୟ କଥା । ଭାବୁଥାଏ, କାହିଁକି ବା ବନ୍ଦହେଲା—ସେ ବାଣିଜ୍ୟ ! ! ଧରାଯାଉ ସେଟା ତ୍ରୟେଦାଶ କି ଚତୁର୍ଦ୍ଦଶ ଶତାବ୍ଦୀ ! ବାଲି ଦ୍ୱିପରୁ ନୌ ଭେଳା ଚାଲିଛି ବଙ୍ଗୋପସାଗରର ବକ୍ଷଚିରି, ଆଣ୍ଡମାନ ଅତିକ୍ରମ କରି ତାମ୍ରଲିପ୍ତ ଅଭିମୁଖରେ । ସାଧବ ମଧୁକର ବୈରୀଶଲ ସ୍ୱର୍ଣ୍ଣ ସିଂହାସନରେ ଆସୀନ—ପରିଚାରଗଣ ଛତ୍ର-ଚାମର ଧରି ଚାରି ପାଖରେ ବେଢ଼ି ରହିଛନ୍ତି । ମର୍ଦ୍ଦଳ, କାହାଳୀ ବାଜୁଛି—ନାବିକଗଣ ଅବିଶ୍ରାନ୍ତ ବାହୁ ଚାଳନାରେ କାତମାରି ଚାଲିଛନ୍ତି । ପ୍ରଭାତର ସୂର୍ଯ୍ୟ ଚକ୍ରମାଳର ବୁକୁ ଭେଦ କରି ଉଠି ଆସୁଛି ଉପରକୁ । ହଠାତ୍‌ ଦୂରରେ ଦେଖାଗଲା ୩\୪ ଅଦ୍‌ଭୁତ ଧରଣର ନୌକା—ପାଲ ଉଡ଼ାଇ ତୀବ୍ର ଗତିରେ ତାହା ଛୁଟି ଆସୁଛି ସାଧବଙ୍କ ବୋଇତ ଭେଳା ଆଡ଼କୁ । ମଧୁକର ଭାବିଲେ, ହୁଏତ କେହି ବଣିକ ବନ୍ଧୁତ୍ୱ ପାତିବା ଉଦ୍ଦେଶ୍ୟରେ ଆସୁଥିବେ ତାଙ୍କ ନିକଟକୁ ! ସେ ତାଙ୍କ ନାବିକମାନଙ୍କୁ ନିର୍ଦ୍ଦେଶ ଦେଲେ ବୋଇତଭେଳାର ଗତି ମନ୍ଥର କରିବାକୁ ।

 

ତା’ପରେ.......

 

ସେହି ଅଚିହ୍ନା ନୌକା ଚାରୋଟି ଆସି ଲାଗିଲା ମଧୁକରଙ୍କ ବୋଇତ ପାଖରେ । ମଧୁକର ସିଂହାସନରୁ ଉଠି ନୂତନ ବନ୍ଧୁଙ୍କୁ ସ୍ୱାଗତ କରିବା ପାଇଁ ଆସି ଠିଆ ହେଲେ ବୋଇତର ପାବଚ୍ଛ ନିକଟରେ । କିନ୍ତୁ... ଏ କ’ଣ ? ଅଦ୍‌ଭୁତ ଚାହାଣୀ ଆଉ ବ୍ୟବହାର । ମଧୁକର ଯେଉଁମାନଙ୍କୁ ବନ୍ଧୁଭାବରେ ସ୍ୱାଗତ କରିବାକୁ ଉଠି ଯାଇଥିଲେ; ସେମାନେ ତାଙ୍କୁ ଅସ୍ତ୍ର ଦେଖାଇ ବନ୍ଦୀ କଲେ—ଚାଲିଲା ଖଣ୍ଡଯୁଦ୍ଧ । ଅପ୍ରସ୍ତୁତ ଓଡ଼ିଆ ନାବିକାଗଣ ପରାସ୍ତ ହେଲେ—କେତେ ବି ସମୁଦ୍ର ଗର୍ଭରେ ବିଲୀନ ହେଲେ ! ଆଗନ୍ତୁକ ନାବିକଗଣ ମଧୁକରଙ୍କ ମୂଲ୍ୟବାନ ପଣ୍ୟ-ସମ୍ଭାର-ଆପଣା ନୌକାରେ ଭରି ନେଇ ଅଦୃଶ୍ୟ ହେଲେ ସାଗର ବକ୍ଷର ଅନିର୍ଦ୍ଦିଷ୍ଟ ପଥରେ ।

 

ଏଇମାନେ ହେଲେ ପର୍ତ୍ତୁଗୀଜ୍‌ ଜଳଦସ୍ୟୁ ! ୟାଙ୍କରି ବଂଶଧରଙ୍କ ଭିତରୁ ଆସିଲେ—ଭାସ୍କେଡ଼ାଗାମା- ଭାରତର ଦକ୍ଷିଣ-ପଶ୍ଚିମ ଉପକୂଳକୁ ମୂଲ୍ୟବାନ ପୋଷାକ ପିନ୍ଧି ପର୍ଯ୍ୟଟକ ରୂପରେ । ରାଜା ଜାମୋରିନ୍‌ଙ୍କ ସହ ବନ୍ଧୁତ୍ୱ କଲେ ଏବଂ ଦସ୍ୟୁର ଦୈତ୍ୟକର୍ମର ସାଫଲ୍ୟ ଅର୍ଜନ କରି ଫେରିଗଲେ ନିଜ ଦେଶକୁ । ସେହିଦିନଠାରୁ ଭାରତବର୍ଷରେ ପଡ଼ିଲା ପର୍ତ୍ତୁଗୀଜ୍‌ ଦସ୍ୟୁବୃତ୍ତର ମୂଳଦୁଆ ।

 

ତା’ ପରେ ?

 

...ଚାଲିଲା ହତ୍ୟା, ଲୁଣ୍ଠନ୍‌, ଫରାସୀ ଓ ଇଂରେଜଙ୍କ ସହ ଯୁଦ୍ଧ, ପୁଣି ମୈତ୍ରୀ । ପରିଶେଷରେ ‘କ୍ୟାନ୍‌ସର୍‌’ ବ୍ରଣ ଭଳି ଭାରତ ବୁକୁରେ ରଖିଗଲା ଗୋଆ, ଡାମନ୍‌, ଡ଼ିୟୁ ଓ ନଗର ହାଭେଲୀ ।

 

ଦସ୍ୟୁବୃତ୍ତ ଯା’ର ପରଂପରା, ଆଜି ସେଇ ଜାତିର ‘ଜନନେତା’ ସାଲାଜାର୍‌ଙ୍କ ବିରୁଦ୍ଧରେ ଗୋଆରେ ଚାଲିଛି ମୁକ୍ତି ଅଭିଯାନ । ଅତୀତର ସେଇ ମଧୁକର ବୈରୀଶଲଙ୍କର ଜଣେ ନଗଣ୍ୟ ଦାୟାଦ ରୂପେ ମୁଁ ଆଜି ସେଇ ଅଭିଯାନର ଜଣେ ସୈନିକ ।

 

ଏଇକଥା ଭାବି ବସି ବସିକା ମନେ ମନେ ଗର୍ବ ଅନୁଭବ କରୁଥାଏ ।

 

ରାତି ସାତଟା......

 

ଅନେକ ସତ୍ୟାଗ୍ରହୀ ରାସ୍ତାର କାଦୁଅ ଉପରେ ଶୋଇ ଗଲେଣି ! ମୋ’ ପାଖକୁ ଲାଗି ବସିଥା’ନ୍ତି ପଶ୍ଚିମବଙ୍ଗ ଜଳପାଇଗୁଡ଼ି ଫର୍‌ଓ୍ୟାଡ଼୍‌ ବ୍ଳକ୍‌ର ନେତା ଶ୍ରୀ ଏସ୍‌. ଏନ୍‌. ଗାଙ୍ଗୁଲି । ସେହି ଅନ୍ଧକାର ଆଉ କର୍ଦ୍ଦମାକ୍ତ ଅରଣ୍ୟ ପଥ ଉପରେ ବସି ମୁଁ ଗାଉଥାଏ ମୋର ଗୋଟିଏ ସ୍ୱରଚିତ ସଙ୍ଗୀତ—

 

‘‘ତୁହି ଏ ଦେଶର ମାଟି କରତା

ଉପନିବେଶରେ ଯେତେ ଜନତା

କେତେ କାଳ ପୋତିଥିବୁ ତୁ ମଥା !

ଉଠାତୋର ହତିଆର...

ରାତ୍ରି ହେଲାଣି ଭୋର୍‌ ।’’

 

ହଠାତ୍‌ ପାଖରେ ଥିବା ପାହାଡ଼ର ଶିଖର ଦେଶରୁ ଦେଖାଗଲା ଏକ ମୋଟର୍ ଲାଇଟ୍‌ । କିଛି ସମୟ ପରେ ଧୀରେ ମଟରଟି ଠିଆ ହେଲା ଆସି ଆମ ପାଖରେ । ଭିତରୁ ବାହାରିଲେ ବମ୍ବେର ପୋଲିସ D. I. G. ମି ନଗରବାଲା । ମଟରରୁ ଓହ୍ଲାଇବା ସଙ୍ଗେ ସଙ୍ଗେ D. I. G. ଚିତ୍‌କାର କଲେ ‘‘Throw them in to the van.’’

 

ସଙ୍ଗେ ସଙ୍ଗେ ଦୂରରେ ଥିବା ତିନୋଟି ପୋଲିସ ଭ୍ୟାନ ଠିଆ ହେଲା ଆସି ଆମ ପାଖରେ । D. I. G. ପୋଲିସ ବାହିନୀକୁ ପୁଣି ନିର୍ଦ୍ଦେଶ ଦେଲେ ‘‘Kick them if they refuse.’’ ଠିକ୍‌ ତା’ ପରେ ପରେ ପୋଲିସ ବାହିନୀ ଆମ ଉପରେ ଆକ୍ରମଣ ଆରମ୍ଭ କରିଦେଲେ । ଆମକୁ ତଳୁ ଟେକି ଜବରଦସ୍ତ ଭ୍ୟାନରେ ଭର୍ତ୍ତି କରିବାକୁ ଲାଗଲେ । ମୁଁ ସେଇମିତି କାଦୁଅ ଉପରେ ଶୋଇ ରହିଥାଏ । ମତେ ଜଣେ ଇନ୍‌ସ୍ପେକ୍‌ଟର ଉଠିବାକୁ ଗୋଇଠା ମାରିଲା । ସେଇମିତି ପଡ଼ି ରହି କହିଲି, ‘‘Why do you harass us ? You may take us to Jail.’’

 

ମୋ’ ମୁହଁରୁ କଥା ନ ସରୁଣୁ, ଆରମ୍ଭ ହେଲା ପ୍ରହାର । ବିଧା, ବୁଟ୍‌ଗୋଇଠା, ଗୋବବସା ‘ବେଟନ୍‌’ରେ ଖୋବା ଚାଲିଲା । ତା’ପରେ ଦୁଇ ଜଣ କନେଷ୍ଟବଳ ତଳୁ ଟେକି ମତେ ଜବରଦସ୍ତି ଭ୍ୟାନ୍‌ରେ ଭର୍ତ୍ତି କରିବାକୁ ଲାଗଲେ । ମୁଁ ତଳର ଘାସକୁ ଖୁବ୍‌ଯୋରରେ ଚାପି ଧରି ପଡ଼ି ରହିଥାଏ । ହଠାତ୍‌ କେତୋଟି ବୁଟ୍‌ଗୋଇଠା ଆସି ଅଣ୍ଟା ଓ ପିଠିରେ ବସିବାରୁ ମୁଁ ସଜ୍ଞାହୀନ ହୋଇ ପଡ଼ିଲି ।

 

ଘଣ୍ଟାଏ ପରେ ।

 

ଚେତା ଫେରିଲା ବେଳକୁ ଦେଖିଲି, ଶ୍ରୀ ତକ୍‌ଦୀର ସିଂଙ୍କ କୋଳରେ ମୁଣ୍ଡ ରଖି ମୁଁ ଭ୍ୟାନ୍‌ ଭିତରେ ଶୋଇଛି । ଭ୍ୟାନର ଚକ ଯେତେବେଳେ ଗୋଟିଏ ଗାଡ଼ରୁ ଯାଇ ଆଉ ଏକ ଗାଡ଼ିରେ ପଡ଼େ, ସେତେବେଳେ ଭୀଷଣ ଯନ୍ତ୍ରଣା ଅନୁଭବ କରୁଥାଏ ମୁଁ । ଭ୍ୟାନ ଛୁଟିଥାଏ—ଖାଲି-ଢିପ, ପାର୍ବତୀୟ ପଥ ଅତିକ୍ରମ କରି । ତା’ରି ଭିତରେ ସତ୍ୟାଗ୍ରହୀଙ୍କ ଉପରେ ବସୁଥାଏ ଅବିଶ୍ରାନ୍ତ ମାଡ଼ । ସେହି ମାଡ଼ ସହିତ ଧ୍ୱନି ଉଠୁଥାଏ, ‘‘ମୋରାରାଜି ସର୍କାର—ମୂର୍ଦ୍ଦାବାଦ୍‌ ।’’

 

ରାତି ଦଶଟା...

 

ଅନୁଭୂତି

ଭ୍ୟାନ୍‌ ପହଞ୍ଚିଲା ସାମନ୍ତବାଡ଼ିରେ ।

 

ପୋଲିସ ତରଫରୁ ନିର୍ଦ୍ଦେଶ ଆସିଲା, ‘‘ନିଚେ ଉତ୍‌ରୋ ।’’

 

କିନ୍ତୁ କୌଣସି ସତ୍ୟାଗ୍ରହୀ ସେଥିରେ କର୍ଣ୍ଣପାତ କଲେ ନାହିଁ ନା ଭ୍ୟାନ୍‌ରୁ ଓହ୍ଲାଇଲେ ନାହିଁ ! ନ ଓହ୍ଲେଇବାରୁ ପୁଣି ଆରମ୍ଭ ହେଲା ମାଡ଼—କେତେକଙ୍କୁ ବି ଶୂନ୍ୟେ ଶୂନ୍ୟେ ଟେକି ବାହାରକୁ ଫୋପାଡ଼ ଦିଆଗଲା ! ସେତିକିବେଳେ ମୁଁ ଭାବୁଥାଏ, ‘‘ପର୍ତ୍ତୁଗୀଜ୍‌ ଆଉ ଭାରତୀୟ ପୋଲିସ ଭିତରେ ତଫାତ୍‌ କୋଉଠି !!’’

 

ଜଣେ ପୋଲିସ ଇନ୍‌ସପେକ୍ଟର ଆସି ମତେ ଭ୍ୟାନ୍‌ରୁ ତଳକୁ ଓହ୍ଲେଇବାକୁ ହୁକୁମ୍‌ ଦେଲେ । କିନ୍ତୁ ମୋର ଉଠିବାର ଶକ୍ତି ନ ଥାଏ ।

 

ତା’ପରେ ‘‘ଉତ୍‌ରୋ ସାଲେ !’’ କହି ଦୁଇ ଜଣ କନେଷ୍ଟବଳ ମତେ ଟେକି ତଳକୁ ଫିଙ୍ଗି ଦେଲେ । ଫଳରେ ମୁଁ ଦୁମ୍‌କିନି କଚାଡ଼ି ହୋଇ ପଡ଼ିଲି ରାସ୍ତା ଉପରେ । ତା’ପରେ ଆହୁରି ଦୁଇ ଜଣ ବିଶାଳକାୟ ବୁଟ୍‌ପିନ୍ଧା କନେଷ୍ଟବଳ ମୋ’ ଉପରେ ଚଢ଼ି ମତେ ଚକଟିବାକୁ ଆରମ୍ଭ କଲେ ।

 

ମୋର ଡାହାଣ ହାତ, କଟି, ଏବଂ ନାନାସ୍ଥାନରୁ ରକ୍ତରଧାର ଛୁଟିଥାଏ । ପୋଲିସର ଏ ନିର୍ମମ ପ୍ରହାରରେ ସଂପୂର୍ଣ୍ଣ ଅଚଳ ହୋଇଗଲା ମୋର ଡାହାଣ ଅଙ୍ଗଟି ।

 

ସାମନ୍ତବାଡ଼ିର ଜଣେ ସ୍ଥାନୀୟ ମହିଳାନର୍ସ୍‌ ଶ୍ରୀମତୀ ଯମୁନ୍ତାଇ ସାମନ୍ତ ମୋତେ ତାଙ୍କ ଘରକୁ ନେଇ, କ୍ଷତସ୍ଥାନମାନଙ୍କରେ ଆୟୋଡ଼ିନ୍‌ ଦେଇ, ବ୍ୟାଣ୍ଡେଜ୍‌ ବାନ୍ଧି ଆବଶ୍ୟକୀୟ ଚିକିତ୍ସା କଲେ । ସେତେବେଳକୁ ମୋର ସଂପୂର୍ଣ୍ଣ ସଜ୍ଞା ଫେରି ଆସିଥିଲା—ଉନ୍ମୁକ୍ତ ବାତାୟନ ପଥରେ ବିଶୁଦ୍ଧ ପବନ ଖିଲି ଖିଲି ବହୁଥିଲା । ଶ୍ରୀମତୀ ସାମନ୍ତ ମୋର ପରିଚୟ ପଚାରିଲେ । ଧୀରେ ଧୀରେ ସବୁକଥା କହିଲି । ତା’ପରେ ସେ ମତେ ପଚାରିଲେ, ମୁଁ ଚା’ ଖାଏ କି ନାହିଁ । ସମ୍ମତି ଜଣାଇଁଲି । ସେ ତାଙ୍କ ସାନ ଭଉଣୀଙ୍କୁ ଚା’ ତିଆରି କରିବାକୁ କହି ମୋ’ ଲାଗି ବହୁ ସମବେଦନା ପ୍ରକାଶ କଲେ ।

 

ଜଣେ ଅପରିଚିତା ନାରୀର ଏ ଶ୍ରଦ୍ଧା ମୋର ବାରବୁଲା ମନଟାକୁ ଆନ୍ଦୋଳିତ କରୁଥିଲା ବାରମ୍ବାର । ସେ ସେବା ତାଙ୍କର ଜୀବନରେ ଭୁଲି ହେବନି—ଭୁଲିବାର ନୁହେଁ । ଯେତେବେଳେ ସାମନ୍ତବାଡ଼ିରୁ ବିଦାୟ ନେଇ ଆସିଲି, ସେତେବେଳେ ସେହି ମହିଳା ନର୍ସଙ୍କ ଶ୍ରଦ୍ଧା, ସହାନୁଭୂତି, ମମତା, ଆଖି ଆଗରେ ଚଳଚିତ୍ର ଦୃଶ୍ୟ ପରି ଉଦ୍‌ଭାସିତ ହୋଇ ଉଠୁଥିଲା । କଟକ ଫେରିଲା ପରେ ସେହି ଶ୍ରଦ୍ଧାଶୀଳା ମହିଳାଙ୍କ ପାଖକୁ ତାଙ୍କର ସହାନୁଭୂତି ପାଇଁ ଧନ୍ୟବାଦ ଜଣାଇଁ ଖଣ୍ଡେ ଚିଠି ଲେଖିଥିଲେ । ସେ ତା’ର ଗୋଟିଏ ଚମତ୍କାର ଉତ୍ତର ଚିଠି ଆକାରରେ ଦେଇଥିଲେ । ତାହା ହେଉଛି, ଏହି—

 

Savantabadi

Dated 11th. Oct 1955

 

Dear brother,

 

Received your letter dated the 19th, Sept. on the 5th Oct. I was surprised to see your letter. You have expressed your thanks of gratitude in your letter, but whatever we had done was our duty. We are all well here.

 

I pray God to enable and stengthen you to fight against the Portugese. Hoping you doing well. My best wishes for you all.

 

Yours faithfully

Jamuntai Savant

 

ସାମନ୍ତାବାଡ଼ି

ଅକ୍ଟୋବର ୧୧, ୧୯୫୫

 

ପ୍ରିୟ ଭାଇ !

 

ତମର ଗତ ସେପେଟ୍‌ମ୍ବର ତା ୧୯ ରିଖର ଚିଠି ଅକ୍‌ଟୋବର ୫ରେ ପାଇଲି । ତମ ଚିଠିଟି ଆଶ୍ଚର୍ଯ୍ୟ ହୋଇଗଲି । ତମେ ତମ ଚିଠିରେ ଆମପ୍ରତି କୃତଜ୍ଞତା ଜ୍ଞାନର କରି ଧନ୍ୟବାଦ ଦେଇଛ; କିନ୍ତୁ ଆମେ ଯାହା ବା କରିଥିଲୁଁ, ତାହା ଆମ କର୍ତ୍ତବ୍ୟ ହିସାବରେ କରିଥିଲୁଁ । ଆମ ସମସ୍ତେ ଏଠାରେ ଭଲରେ ଅଛୁଁ ।

 

ମୁଁ ଭଗବାନଙ୍କ ନିକଟରେ ପ୍ରାର୍ଥନା କରୁଛି ଯେ, ପର୍ତ୍ତୁଗୀଜ୍‌ ବିରୁଦ୍ଧରେ ଲଢ଼ିବା ପାଇଁ ସେ ଆପଣଙ୍କୁ ଶକ୍ତି, ସାମର୍ଥ୍ୟ ଦିଅନ୍ତୁ । ତମ ସମସ୍ତଙ୍କର ଶୁଭକାମନା କରେଁ । ଇତି ।

 

ତମର ବିଶ୍ୱସ୍ତ

ଯମୁନ୍ତାଇ ସାମନ୍ତ

 

ସ୍ଥାନୀୟ ଗୋଆ ମୁକ୍ତିକମିଟି ଅଫିସରେ ମତେ ନେଇ ଶୁଆଇ ଦିଆଗଲା । ଦଳର ନେତ ଶ୍ରୀ ତକ୍‌ଦୀର ସିଂ ଚୌଧୁରୀ ଏ ସମ୍ବାଦ ଏକ ଯରୋରୀ ତାରବାର୍ତ୍ତାରେ ଗୋଆ ବିମୋଚନ ସମିତି (ବେଲଗାଓଁ)କୁ ଜଣାଇଁଦେଲେ । ପରେ ଜଣାପଡ଼ିଲା, ଉକ୍ତ ତାରବର୍ତ୍ତାଟିକୁ ବମ୍ବେ ସରକାର ବାଟରେ ଅଟକାଇ ଦେବାରୁ ଖବର ପହଞ୍ଚି ପାରିଲା ନାହିଁ ।

 

-ସାତ-

 

ଆଉ ଅଳ୍ପ ସମୟ ପରେ ଘଡ଼ିରେ ବାଜିବ ଛ’ଟା...

 

.........ସେପ୍‌ଟେମ୍ବର ତା ୧୨, ୧୯୫୫ । ବର୍ଷା ସେ ଦିନ ନ ଥାଏ ଆକାଶ ଥାଏ ପରିଷ୍କାର । ପୂର୍ବ—ଦିଗ୍‌ବଳୟ ବୁକୁ ଚିରି ବହୁଦିନ ପରେ ସାମନ୍ତବାଡ଼ି ଆକାଶକୁ ଉଠି ଆସୁଥାନ୍ତି ସୂର୍ଯ୍ୟଦେବ । ପ୍ରଭାତୀର ଚନ୍ଦ୍ରାତପ ତଳେ ମନ୍ଦ ମନ୍ଦ ବହୁଥାଏ ବାଉଳା ବତାସ—ପ୍ରାଚୀ ଚକ୍ରବାଳ ଉପରେ ଭାଷମାନ ପ୍ରସାରଶୀଳ କେତେଖଣ୍ଡ ମେଘ ପଛରେ ବାଳସୂର୍ଯ୍ୟର ଉପସ୍ଥିତ ସୃଷ୍ଟି କରୁଥଏ ଏକ ଅପୂର୍ବ ମାଦକତା । ଏକପ୍ରକାର ତେରେଚ୍ଛା, ବକ୍ରାଲୋକ ପଡ଼ୁଥାଏ ‘ଗୋଆ ମୁକ୍ତି କମିଟି’ ଅଫିସ ଗୃହର ସମ୍ମୁଖ ପରିଛିତ୍‌ ଉପରେ । ମେଘମୁକ୍ତ ଆକାଶର ନେଳିଆ ଛାତିରେ ଉଡ଼ି ଯାଉଥା’ନ୍ତି ଦଳଛଡ଼ା କୁଆ କେଇଟା ! ଶେଯରେ ପଡ଼ିରହି ସମ୍ମୁଖ ବାତାୟନ ବାଟେ ମୁଁ ନିର୍ନିମେଷ ନୟନରେ ଚାହିଁ ଦେଖୁଥାଏ ସେମାନଙ୍କର ସେହି ଉଡ଼ିଯିବାର ଦୃଶ୍ୟକୁ । ଆ-ହା ! ସ୍ୱାଧୀନ ସେମାନେ ନୁହଁନ୍ତି !! ଅନନ୍ତ ଆକାଶର ଉନ୍ମୁକ୍ତ ବକ୍ଷରେ, ମୁକ୍ତ ମରୁତକୁ କାଟି କାଟି, ନିଜ ନିଜର ନୀଡ଼ଟିମାନଙ୍କରୁ ବାହାରି, ଉଡ଼ି ଯାଉଛନ୍ତି ସେମାନେ । ସମସ୍ତ ଆବିଳତାର ଦୂରକୁ...ଜୀବନକୁ ଆକଣ୍ଠ ଉପଭୋଗ କରିବା ପାଇଁ ।

 

ଡାକ୍ତର ଆସି ପହଞ୍ଚିବାରୁ ପ୍ରତିହତ ହେଲା ମୋ’ ଭାବନାର ପ୍ରବହମାନଧାରା । ଡାକ୍ତର ମତେ ପରୀକ୍ଷା କରି ଔଷଧ ଦେଇ ଚାଲିଗଲେ । ତା’ପରେ ମତେ ବେଲ୍‌ଗାଓଁ ପଠାଇ ଦେବାର ବନ୍ଦୋବସ୍ତ କରାଗଲା ।

 

ଆଠଟାବେଳେ ବିଦାୟ ନେଲି ସାମନ୍ତବାଡ଼ିରୁ ।

 

ମୋଟର ଚାଲିଲା ବେଲଗାଓଁ ପଥରେ । ପୁଣି ସେହି ପଶ୍ଚିମଘାଟ ପର୍ବତମାଳା ଭିତର ଦେଇ ଗତି କରୁଥାଏ ମୋଟର—ଉଠାପକା ଯୋଗୁଁ ଆଘାତ ସ୍ଥାନମାନଙ୍କରେ ଭୀଷଣ ଯନ୍ତ୍ରଣା ହେଉଥାଏ । ସହଯାତ୍ରୀମାନେ ଚାହୁଁଥାନ୍ତି ବିସ୍ମିତ ନୟନରେ—କେତେକେ ବି ସମବେଦନା ଜଣାଉଁଥାନ୍ତି ! ଶରୀରର ଅର୍ଦ୍ଧେକ ମୋର ବ୍ୟାଣ୍ଡଜ୍‌ରେ ବନ୍ଧା । ଶୋଇ ରହି ଭାବୁଥାଏ ଗୋଆ ମୁକ୍ତି ସଂଗ୍ରାମର ଭବିଷ୍ୟତ ଏବଂ ‘‘ଆଜାଦ୍‌ ଗୋମନ୍ତକ ଦଳ’’*ର କଥା ।

 

‘ଆଜାଦ ଗୋମନ୍ତକ ଦଳ’ର ଜଣେ ଆତ୍ମ-ଗୋପନକାରୀ ନେତାଙ୍କ ସହିତ ‘ବାନ୍ଦା’ଠାରେ ମୋର ସାକ୍ଷାତ ହୋଇଥିଲା । ମୁଁ ତାଙ୍କୁ ପଚାରୁଥିଲି, ସତ୍ୟାଗ୍ରହ ସମ୍ବନ୍ଧରେ ତାଙ୍କ ଦଳର ମତ କ’ଣ ? ସେ କହିଥିଲେ,‘‘ସତ୍ୟାଗ୍ରହ ବନାମ ବ୍ୟକ୍ତିଗତ ଆତ୍ମହତ୍ୟା ।’’ ଏଇଥିରୁ ଜଣାପଡ଼େ ‘ଆଜାଦ ଗୋମନ୍ତକ ଦଳ’ କଣ୍ଟାରେ କଣ୍ଟାକାଢ଼ି ଶିଖିଛି । ଦସ୍ୟୁଦଳର ଶତ ଦମନ ସତ୍ତ୍ୱେ ‘ଆଜାଦ ଗୋମନ୍ତକ ଦଳ’ ମରିନାହିଁ—ମରିବ ବି ନାହିଁ ।

 

‘ଗାମନ୍ତକ’ ଗରିଲାର ମରଣର ଭୀମ ଆହ୍ୱାନରେ ଦୋହଲିଯାଇଛି ସାମ୍ରାଜ୍ୟବାଦୀ ପର୍ତ୍ତୁଗାଲ୍‌ର ପ୍ରଧାନମନ୍ତ୍ରୀ ସାଲଜାର୍‌ର କଲିଜା—ଦାନ୍ତ ନିକୁଟି ତା’ର ଆମେରିକା ପ୍ରଭୁ ପାଖଣେ ସାହାଯ୍ୟ ଭିକ୍ଷା କରିଛି ସେ ।

 

ମହାନ୍‌ ଚୀନ୍‌ ଜାତିକୁ ପଦାନତ କରି, ଚୀନ ଭୂଖଣ୍ଡକୁ ନିଜ ଚରାଭୂଇଁରେ ପରିଣତ କରିବା ପାଇଁ ସାମ୍ରାଜ୍ୟବାଦୀ ଆମେରିକା ଦିନେ ତା’ର ପୋଷାପୁଅ ଚ୍ୟାଂ-କାଇସେକ୍‌କୁ ଆଧୁନିକ ହାତ-ହତିଆରରେ ସଜ୍ଜିତ କରିଥିଲେ ଲାଲଫୌଜ୍‌ ବିରୁଦ୍ଧରେ । କିନ୍ତୁ ଫଳହେଲା ଠିକ୍‌ ଓଲଟା ! ପଶାକାଠି ଓଲଟି ପଡ଼ିଲା ।

 

* ‘ଆଜାଦ ଗୋମନ୍ତକ ଦଳ’ ଗୋଆର ଗୋଟିଏ ପୁରୁଣା ବିପ୍ଳବୀ ରାଜନୈତିକ ଦଳ । ପର୍ତ୍ତୁଗୀଜ୍‌ ପୋଲିସର ଶବ୍ଦ ଦମନ, ଆଖିବୁଜା ଗୁଳିମାଡ଼ ଆଗରେ ସେ ସତ୍ୟାଗ୍ରହ କରିବାକୁ ପସନ୍ଦ କରେ ନା; ବରଂ ନିଜେ ଅସ୍ତ୍ରରେ ସଜ୍ଜିତ ହୋଇ ମୁକାବିଲା କରେ ଆତତାୟୀର ମେସିନ୍‌ ଗନ୍‌କୁ ।

 

ଚୀନ୍‌ ଆକାଶରେ ଦେଖାଦେଲେ ନୂତନ ଉଷାର ସୂର୍ଯ୍ୟ-ଶତାବ୍ଦୀର ସାମନ୍ତବାଦୀ ଶୋଷଣ ଚୂର୍ଣ୍ଣିଭୂତ ହୋଇ ଏକ ନୂତନ ଗଣତାନ୍ତ୍ରିକ ସରକାର ପ୍ରତିଷ୍ଠା ହେଲା । ଷାଠିଏକୋଟି ଚୀନ୍‌ ଜନତାର ଶତ୍ରୁ ଚ୍ୟାଂ-କାଇସେକ୍‌ ଓ ତା’ର ସ୍ତାବକମାନେ କାଖରେ ପେଡ଼ି-ପୁଟୁଳା ଜାକି ଚାଲିଲେ ଫର୍ମୋଜା ଦ୍ୱୀପକୁ । ସେହିପରି କ୍ଷୁଦ୍ର ପର୍ତ୍ତୁଗାଲକୁ ମାର୍କିନ ସରକାର ଓ ତା’ର ବୈଦେଶିକ ମନ୍ତ୍ରୀ ନିଆଁ ଗିଳା ଡଲେସ ଯେତେ ଅଭୟବାଣୀ ଶୁଣାନ୍ତୁ;—ଯେତେ ଅସ୍ତ୍ରଶସ୍ତ୍ର ସାହାଯ୍ୟ ଦିଅନ୍ତୁ ନା କାହିଁକି; ଗୋଆରୁ ପର୍ତ୍ତୁଗୀଜ୍‌ ଉପନିବେଶ ଦିନେ ନିଶ୍ଚୟ ଧ୍ୱଂସ ପାଇବ, ଏ’ଟା ସୂର୍ଯ୍ୟାଦୟ ପରି ନିରାଟ ସତ । ‘ଆଜାଦ ଗୋମନ୍ତକ ଦଳ’ ବହୁ ପୂର୍ବରୁ ଏକଥା ଜାଣେ—ସାତଲକ୍ଷ ଗୋଆବାସୀ ଭଲଭାବରେ ଜାଣନ୍ତି, ଗୋଆର ଭାଗ୍ୟ ନିଷ୍ପତ୍ତି ‘ଆଜାଦ ଗୋମନ୍ତକ ଦଳ’ ହାତରେ ।

 

ଦୁଇଟା ପ୍ରାୟ ବାଜି ଗଲାଣି ! ମଟର ପହଞ୍ଚିଲା ବେଲ୍‍ଗାଓଁରେ । କେତେକ ସତ୍ୟାଗ୍ରହୀ ବନ୍ଧୁ ମତେ ମଟରରୁ ଟେକି ନେଲେ ସମିତି ଅଫିସକୁ । ମୋର ଏ ଅବସ୍ଥା ଦେଖି ଅନେକ ଆଶ୍ଚର୍ଯ୍ୟ ହୋଇଗଲେ—ହେବା ସ୍ୱାଭାବିକ ! କାରଣ, ଏ ସମ୍ବାଦ ଆଗରୁ କେହି ପାଇ ନଥିଲେ !

 

ଅଫିସରେ ସେଇମିତି ଶୋଇଗଲି.....

 

୪ଟା ବେଳେ ଡାକ୍ତର ଆସି ଦୁଇଟା ଇଂଜେକ୍‌ସନ ଫୋଡ଼ି ଦେଇ ଚାଲିଗଲେ ।

 

ବର୍ଷା ମୁଖରିତ ସନ୍ଧ୍ୟା.....

 

ସେପ୍‌ଟେମ୍ବର ତା ୧୩, ୧୯୫୫ ।

 

ଆଘାତପ୍ରାପ୍ତ ସତ୍ୟାଗ୍ରହୀମାନଙ୍କୁ ସମ୍ବର୍ଦ୍ଧନା ଜଣାଇବା ପାଇଁ ଗୋଟିଏ ସାଧାରଣ ସଭାର ଆୟୋଜନ କରାଯାଇଥିଲା । ଶବ ଶୋଭାଯାତ୍ରା ପରି ମତେ ନିଆଯାଇଥିଲା ସଭାସ୍ଥଳକୁ । ଲୋକେ ଯିମିତି ମତେ ଭଲ ଭାବରେ ଦେଖିପାରିବେ, ସେଇମିତି ଶୁଆଇ ଦିଆଯାଇଥିଲା ।

 

ସଭା ଆରମ୍ଭ ହେଲା......

 

ପ୍ରଥମେ ବେଲ୍‌ଗାଓଁ ଗୋଆ ବିମୋଚନ ସମିତିର ସଂପାଦକ ଶ୍ରୀରାମ୍‌ ଆପ୍ତେ ପ୍ରାରିମ୍ଭିକ ଭାଷଣ ଦେଇସାରିବା ପରେ, ବହୁ ବିଶିଷ୍ଟ ନାଗରିକ ବମ୍ବେ ପୋଲିସର ଏତାଦୃଶ କାର୍ଯ୍ୟକଳାପର ତୀବ୍ର ସମାଲୋଚନା କରି ଭାଷଣମାନ ଦେଇଥିଲେ ।

 

ହଠାତ୍‌ ଅନୁଭବ କଲି ଆଘାତ ସ୍ଥାନମାନଙ୍କରେ ଭୀଷଣ ଯନ୍ତ୍ରଣା । ସେଇଠି ଶୋଇ ରହି ଛଟପଟ ହେବାକୁ ଲାଗିଲି । ପାଖରେ ବସିଥିଲେ କେତେକ ମହାରାଷ୍ଟ୍ରୀୟା ଯୁବତୀ । ସେମାନଙ୍କ ଭିତରୁ ଜଣେ ଯୁବତୀ ଉଠି ଆସିଲେ ମୋ’ ପାଖକୁ ସମବେଦନା ମିଶ୍ରିତ ସ୍ୱରରେ ପ୍ରଶ୍ନ କଲେ, ‘‘କ୍ୟା ? ଆପ୍‌କୋ ଜ୍ୟାଦା ଚୋଟ୍‌ଲଗ୍‌ଗିଆ ??’’

 

ମୁଣ୍ଡ ହଲେଇ ସମ୍ମତି ଜଣେଇଲି । କାରଣ, ଯନ୍ତ୍ରଣା ଲପରି ବୁଦ୍ଧି ପାଇଥିଲା ଯେ, ମୁହଁ ଖୋଲି କଥା କହିବା ମୋ’ ପକ୍ଷରେ ସମ୍ଭବ ହେଉ ନ ଥିଲା । ଟିକେ ଗରମ୍‌ପାଣି ସେକ ଦରକାର ହେଲା । ଯୁବତୀ ମତେ ଅନୁରୋଧ କଲେ ତାଙ୍କ ବାସଭବନକୁ ଯିବା ପାଇଁ । କେତେଜଣ ସତ୍ୟାଗ୍ରହୀ ବନ୍ଧୁଙ୍କ ସାହାଯ୍ୟରେ ଗଲି ତାଙ୍କ ବାସଭବନକୁ ।

 

ଯୁବତୀଟି ତାଙ୍କ ବାସଭବନରେ ମୋର ଯେଉଁ ଅଯାଚିତ ସେବା କଲେ, ତାହା ଏ ପର୍ଯ୍ୟନ୍ତ ମୁଁ ଭୁଲି ପାରିନାହିଁ । ମୋ’ କ୍ଷତ ସ୍ଥାନମାନଙ୍କରୁ ବ୍ୟାଣ୍ଡେଜ୍‌ ଖୋଲି ତା ଦେହରେ ଗରମ ପାଣି ସେକ ଦେଇ, ଯୁବତୀ ମୋ’ ପାଖରେ ବସି ମୁଣ୍ଡ ଚିପିବାକୁ ଲାଗିଲେ । ଯୁବତୀଙ୍କ ସାନ ଭଉଣୀ ମୋ’ ପାଇଁ କିଛି ଗରମ ଦୁଧ, ବଟର୍‌ଦିଆ ପାଉଁରୁଟି କେଇଖଣ୍ଡ ଧରି ଆସି ପହଞ୍ଚିଲେ । ମୋର ଭାରାକ୍ରାନ୍ତ ମୁଣ୍ଡରେ ଅଙ୍ଗୁଳି ଚାଳନା କରୁ କରୁ ଯୁବତୀ କହିଲେ, ‘‘ଆପ୍‌କୁଛ୍‌ଖାଇଏ !’’ କଥା ପଦିକରେ ସତେ ଯିମିତି ମା’ର ସ୍ନେହ, ଭଉଣୀର ଆଦର ପୂରି ରହିଥିଲା ! ! ଅନୁରୋଧ ଏଡ଼ି ନ ପାରି ଖାଇବି ବୋଲି ‘ହଁ’ କଲି । ହାତ ଚଳୁ ନ ଥିବାରୁ ଆନ୍ଧ୍ରର ଜଣେ ସତ୍ୟାଗ୍ରହୀ ବନ୍ଧୁ ମୋ’ ମୁହଁ ପାଖରେ ଟେକି ଧରିଲେ ଦୁଧ ପାତ୍ରଟିକୁ—ଯୁବତୀ ଖୁଆଇଦେଲେ ଖଣ୍ଡେ ଖଣ୍ଡେ ପାଉଁରୁଟି । ସେତେବେଳେ ଭାବୁଥାଏ, ‘‘କେଉଁ ଦୂର ଓଡ଼ିଶାଭୂଇଁର ଜଣେ ଅଜଣା, ଅନାମଧେୟ ସତ୍ୟାଗ୍ରହୀ ମୁଁ–କି ସଂପର୍କ ବା ଏମାନଙ୍କ ସହିତ ମୋର !! ଏମାନଙ୍କର ଏ ଅପାସୋରା ସ୍ନେହର ପ୍ରତିଦାନ ମୁଁ ବା ୟାଙ୍କୁ କ’ଣ ଦେଇପାରିବି ? କେବଳ ଆନ୍ତରିକ ଶ୍ରଦ୍ଧା ଓ ଗଭୀର କୃତଜ୍ଞତାହିଁ ମୋର ଦେୟ ।

 

ବେଲ୍‌ଗାଓଁ ଛାଡ଼ିଲାବେଳେ ଏହି ଯୁବତୀଙ୍କର ପରିଚୟ ସଂଗ୍ରହ କରିଥିଲେ ଜଣେ ସତ୍ୟାଗ୍ରହୀ ବନ୍ଧୁଙ୍କଠାରୁ । ଯୁବତୀଙ୍କ ନାମ ହେଉଛି ମନ୍ଦାକିନୀ ୟାଲ୍‌ଗି । ବେଲ୍‌ଗାଓଁ କଲେଜର ଜଣେ ଛାତ୍ରୀ ସେ । ଗତ ଅଗଷ୍ଟ ପନ୍ଦର (୧୯୫୫) ତାରିକରେ ସେ ଗୋଆ ପ୍ରବେଶ କରି ପର୍ତ୍ତୁଗୀଜ୍‌ ପୋଲିସ ଦ୍ୱାରା ଶୋଚନୀୟ ଭାବରେ ଆହତ ହୋଇଥିଲେ । ବେଲ୍‌ଗାଓଁ ଗୋଆ ବିମୋଚନ ସମିତିର ସଭାପତି ଡାଃ ୟାଲ୍‌ଗିଙ୍କର ସେ ଭଉଣୀ ।

 

ରାତି ନ’ଟା ବେଳେ ଯୁବତୀଙ୍କ ପରିବାରଠାରୁ ବିଦାୟ ନେଇ ଗଲି ବେଲ୍‌ଗାଓଁ ହସ୍‌ପିଟାଲକୁ । ଦୁଇଜଣ ସତ୍ୟାଗ୍ରହୀ ବନ୍ଧୁ ମୋତେ ଟେକିନେଇ ଥୋଇଲେ ଗୋଟିଏ ଟାଙ୍ଗାରେ । ଯୁବତୀଙ୍କୁ ଜଣାଇଁଲି ବିଦାୟକାଳୀନ ନମସ୍କାର—ଟାଙ୍ଗାର ଚକ ରାସ୍ତାର ଖାଲ-ଢିପ ଅତିକ୍ରମ କରି ଗଡ଼ି ଚାଲିଲା ହସ୍‌ପିଟାଲ୍‌ ଅଭିମୁଖେ ।

 

ହସ୍‌ପିଟାଲରେ ପହଞ୍ଚି ଯେଉଁ ବିଭତ୍ସ ଦୃଶ୍ୟ ଦେଖିବାକୁ ପାଇଲି, ସେଥିରେ ଲୋମ ମୋର ଟାଙ୍କୁରି ଉଠିଲା । ଯେଉଁମାନେ ଆଗରୁ ଗୋଆ ପ୍ରବେଶ କରିଥିଲେ, ସେମାନଙ୍କ ଭିତରୁ କାହାର ହାତ ନାହିଁ, କାହାର ଆଖି ବାୟୋନେଟ୍‌ରେ ତାଡ଼ି ଦିଆଯାଇଛି, କାହା ପାଦ ତଳର ଚମଡ଼ାକୁ ବ୍ଲେଡ଼୍‌ରେ କାଟି ଦିଆଯାଇଛି ! ଏହିପରି ବିକଳାଙ୍ଗ ହୋଇ ସେମାନେ ପଡ଼ିଛନ୍ତି ବେଲ୍‌ଗାଓଁ ହସ୍‌ପିଟାଲ୍‌ରେ । ଏ ସବୁର ଦୃଶ୍ୟ ଦେଖି ବିଦ୍ରୋହୀ ମନ ମୋର ବିଦ୍ରୋହ କରି ଉଠିଲା, ପର୍ତ୍ତୁଗୀଜ୍‌ ସାମ୍ରାଜ୍ୟବାଦ ବିରୁଦ୍ଧରେ ।

 

ଖାଲି ସେତିକି ନୁହେଁ, ଅସଂଖ୍ୟ ଭାରତୀୟ ନାଗରିକ ଏବଂ ଗୋଆବାସୀ ସେମାନଙ୍କ ଜୀବନକୁ ବିସର୍ଜନ କରିଛନ୍ତି ଗୋଆର ପୂର୍ଣ୍ଣମୁକ୍ତି ପାଇଁ । ଶହ ଶହ ଦେଶପ୍ରେମୀମାନେ ଆଜି ପର୍ତ୍ତୁଗୀଜ୍‍ ବନ୍ଦୀଶାଳାରେ ସଢ଼ୁଛନ୍ତି—କେତେ ବି ସୁଦୂର ଆଫ୍ରିକାରେ ଭୋଗୁଛନ୍ତି ନିର୍ବାସନ ଦଣ୍ଡ ! ଊଣା ଅଧିକେ ତାର ଏକ ବିବରଣୀ ନିମ୍ନରେ ପ୍ରଦତ୍ତ ହେ

 

୨୮ ବର୍ଷ ସଶ୍ରମ କାରାଦଣ୍ଡ

 

 

୧.

ଶ୍ରୀ ଆନ୍ଥୋନୀ ଜେ. ଡିସୁଝା, ସାଧାରଣ ସଂପାଦକ, ନ୍ୟାସ୍‌ନାଲ୍‌ କଂଗ୍ରେସ (ଗୋଆ) ୧୯୫୨-୫୪ ।

୨.

ଶ୍ରୀ ନାରାୟଣ ନାଇକ୍‌

୩.

ଜୟବନ୍ତ କୁନ୍ଦେ

୪.

ରାଜା କୁକଲୟ କର୍‌

୫.

ଶ୍ରୀ ଦତାତ୍ରୟ ଦେଶପାଣ୍ଡେ (ଭାରତୀୟ)

 

 

୧୮ ବର୍ଷ ସଶ୍ରମ କାରାଦଣ୍ଡ

 

 

୬.

ଶ୍ରୀ ଶୋଟ୍ୟେ ।

୭.

ଶ୍ରୀ ଫିଟି ନାଇକ୍‌

୮.

ଶ୍ରୀ ଅନନ୍ତ ସିଗୋଡ଼କର୍‌

 

 

୧୯ ବର୍ଷ ସଶ୍ରମ କାରାଦଣ୍ଡ ଓ ଆଫ୍ରିକାକୁ ନିର୍ବାସନ

 

 

୯.

ଡଃ ବି. ନା. ମୟେକର୍‌, ଅଧ୍ୟକ୍ଷ, ନ୍ୟାସ୍‌ନାଲ୍‌ କଂଗ୍ରେସ (ଗୋଆ) ୩ୟ ଅଧିବେଶନ ।

୧୦.

ଡଃ ଟିକ୍‌ଲା ସୌଖ୍ୟା, ସାଧାରଣ ସଂପାଦକ, ନ୍ୟାସନାଲ୍‌ କଂଗ୍ରେସ (ଗୋଆ) ୧୯୪୮-୪୯

୧୧.

ଶ୍ରୀ ନି. ମ. କାରାପୁର୍‌କର୍‌

 

 

୧୦ ବର୍ଷ ସଶ୍ରମ କାରାଦଣ୍ଡ ଓ ଟ ୧୦୦୦ଙ୍କା ଅର୍ଥଦଣ୍ଡ :
—ନଚେତ୍‌ ଅଧିକ ଦୁଇ ବର୍ଷ ସଶ୍ରମ କାରାଦଣ୍ଡ

 

 

୧୨.

ଏ. ବି. ଆଲମେଦ୍‌, ସହକାରୀ ସଂପାଦକ, ନ୍ୟା. କଂ. (ଗୋଆ) ବମ୍ବେଶାଖା

୧୩.

ଶ୍ରୀ ବାଳା କାକୋଡ଼୍‌କର୍‌

୧୪.

ଶ୍ରୀ ପ୍ରଭାକର ଦ. ମାୟେ

 

 

୮ ବର୍ଷ ସଶ୍ରମ କାରାଦଣ୍ଡ ଓ ଟ୧୦୦୦ଙ୍କା ଅର୍ଥଦଣ୍ଡ

 

 

୧୫.

ଶ୍ରୀ ପୁରୁଷୋତ୍ତମ କାକୋଡ଼କର୍‌

୧୬.

ଶ୍ରୀ ନଗେଶ କର୍ମଲି

୧୭.

ଶ୍ରୀ ଡାଲଫ୍ରେଡ଼୍‌ ଆଲ୍‌ଫାନ୍‌ସୋ, କାର୍ଯ୍ୟକାରୀ କମିଟିର ସଭ୍ୟ ଓ ତେରିଖୋଲ୍‌ ଅଭିଯାନକାରୀ ଦଳର ନେତା ।

୧୮.

ଶ୍ରୀ ମାର୍କ୍‌ ଫର୍ନିଡ଼ିସ୍‌, କାର୍ଯ୍ୟକାରୀ କମିଟିର ସଭ୍ୟ ।

୧୯.

ଶ୍ରୀ ସୂର୍ଯ୍ୟକାନ୍ତ ଥଳି

୨୦.

ଶ୍ରୀ ଅନନ୍ତ ନାରାୟଣ ପ୍ରଭୁ

୨୧.

ଶ୍ରୀ ଶ୍ରୀକାନ୍ତ ଦତ୍ତା ପ୍ରଭୁ ।

୨୨.

ଶ୍ରୀ ରାମଚନ୍ଦ୍ର ଦାମୋଦର ପ୍ରଭୁ ଦେଶାଇ

୨୩.

ଶ୍ରୀ ରାମକୃଷ୍ଣ ଆଚାର୍ଯ୍ୟ

୨୪.

ଶ୍ରୀ ଯଶୋବନ୍ତ ବାସୁଦେବ ଭଟ୍ଟ

୨୫.

ଶ୍ରୀ ନାରାୟଣ ଦାମୋଦର ପ୍ରଭୁ

୨୬.

ଶ୍ରୀ ମୁରଲିଧର ବି. ରାଣେ

୨୭.

ଏ. ବି. କୋଏହ୍ଲୋ, ୨ୟ ତେରିଖୋଲ୍‌ ଅଭିଯାନକାରୀ ଦଳର ନେତା ।

୨୮.

ଶ୍ରୀ ପ୍ର. ସ. ଲାଞ୍ଜେକର୍‌

୨୯.

ଶ୍ରୀ ଟି. ବି, କୁହ୍ନା

୩୦.

ଡଃ ରାମ୍‌ ହେଗ୍‌ଡ଼େ, ଅଧ୍ୟକ୍ଷ, ନ୍ୟାସନାଲ୍‌ କଂଗ୍ରେସ (ଗୋଆ)—୧ମ ଅଧିବେଶନ ।

୩୧.

ଶ୍ରୀ ରାମଚନ୍ଦ୍ର ବା. ନାୟକ–ଭାରତୀୟ ନାଗରିକ

୩୨.

ଶ୍ରୀ ମୋହନ ଶ୍ରୀନିବାସ ରାଓ–ଭାରତୀୟ ନାଗରିକ

୩୩.

ଶ୍ରୀ ମୋହନ ସିଂ ଜୋରା ସିଂ–ଭାରତୀୟ ନାଗରିକ

୩୪.

ଶ୍ରୀ ରାମଚନ୍ଦ୍ର ରାଘୋଜୀ କୋକ୍‌ଳେ–ଭାରତୀୟ ନାଗରିକ

୩୫.

ଶ୍ରୀ କିଶନ୍‌ ସିଂ ରଘୁନାଥ ସିଂହ–ଭାରତୀୟ ନାଗରିକ

୩୬.

ଶ୍ରୀ ବ.ଅ. ରାଉତ–ଭାରତୀୟ ନାଗରିକ

୩୭.

ଶ୍ରୀ ଅମର ସିଂ ଜିତା ସିଂ–ଭାରତୀୟ ନାଗରିକ

 

 

୭ମ ବର୍ଷ ସଶ୍ରମ କାରାଦଣ୍ଡ ଓ ଟ୧୦୦୦ଙ୍କା ଅର୍ଥଦଣ୍ଡ

 

 

୩୮.

ଶ୍ରୀ ଉତ୍ତମ ଖାଣ୍ଡେ ପାର୍କର (ଇଂଜିନିଅର୍‌)

୩୯.

ଶ୍ରୀ ପ୍ରଫୁଲ୍ଲ ପ୍ରିୟୋଳକର୍‌

୪୦.

ଶ୍ରୀ ଏମ୍‌. ଜେ. ଗୁଣ୍ଟକ୍‌

୪୧.

ଶ୍ରୀ ରାମକୃଷ୍ଣ ମାଂଜେର୍‌ କର୍‌

୪୨.

ଶ୍ରୀ ଶିବରାମ ପାର୍ଶ୍ୱେକର୍‌

୪୩.

ଶ୍ରୀ ଭାନୁ ଦାସ ପାର୍ଶ୍ୱେକର୍‌

୪୪.

ଶ୍ରୀ ବାସୁଦେବ ପାର୍ଶ୍ୱେକର୍‌

୪୫.

ଶ୍ରୀ ବିଶ୍ୱନାଥ କୁଡ଼୍‌ଚଡ଼୍‌କର୍‌

୪୬.

ଶ୍ରୀ କିଶୋର ପାର୍ଶ୍ୱେକର୍‌

 

୬ ବର୍ଷ ସଶ୍ରମ କାରାଦଣ୍ଡ ଓ ଟ୧୦୦୦ଙ୍କା ଅର୍ଥଦଣ୍ଡ

 

 

୪୭.

ଶ୍ରୀ ଶ୍ୟାମସୁନ୍ଦର କୋର୍‌ଗାଓଁ କର୍‌

୪୮.

ଶ୍ରୀ ଚନ୍ଦ୍ରକାନ୍ତ କେର୍‌ କର୍‌

୪୯.

ଶ୍ରୀ ଜାଁନ୍‌ ସୁଆରିସ୍‌

୫୦.

ଶ୍ରୀ ଗୋ. ରା. ନାଇକ୍‌

୫୧.

ଶ୍ରୀ ରାଘବା କୁଡ଼୍‌ତୋକର୍‌

୫୨.

ଜି. ଏ. ସାମନ୍ତ

୫୩.

ଶ୍ରୀ ରାମକୃଷ୍ଣ କର୍ପେ

୫୪.

ଶ୍ରୀ ମୁକୁନ୍ଦ ଧାକୋଣ୍‌କର୍‌

 

 

୫ ବର୍ଷ ସଶ୍ରମ କାରାଦଣ୍ଡ ଓ ଟ୧୦୦୦ଙ୍କା ଅର୍ଥଦଣ୍ଡ

 

 

୫୫.

ଶ୍ରୀ ବିଶ୍ୱାସ ତ୍ରଙ୍ଗ ଦେଶାଇ

୫୬.

ଶ୍ରୀ ବି. ଏ. ଫର୍ନିଡ଼ିସ୍‌

୫୭.

ଶ୍ରୀ ଡି. ଡି କାମାଥ୍‌

୫୮.

ଶ୍ରୀ କୁମୁଦଚନ୍ଦ୍ର ଦେଶାଇ

୫୯.

ଶ୍ରୀ ଦୀନକର ଥଳି

୬୦.

ଶ୍ରୀ ଏମ୍‌ ପରେରା

୬୧.

ଶ୍ରୀ ପ୍ରଭାକର ଭ୍ରେଁବ୍ରେ

 

 

୪ ବର୍ଷ ସଶ୍ରମ କାରାଦଣ୍ଡ ଓ ଟ୧୦୦୦ଙ୍କା ଅର୍ଥଦଣ୍ଡ

 

 

୬୨.

ଶ୍ରୀମତୀ ବିଳାସିନୀ ପ୍ରଭୁଦେଶାଇ

୬୩.

ଶ୍ରୀମତୀ ଶଶିକଳା ହାଡ଼ୋର୍‌ କର୍‌

୬୪.

ଶ୍ରୀ ଗୋବିନ୍ଦ ନା. ପ୍ରଭୁଦେଶାଇ

୬୫.

ଶ୍ରୀ ଶିବରାମ ଲୋଲ୍ୟେଁକର୍‌

୬୬.

ଶ୍ରୀ ତ୍ରିବିକ୍ରମ ଭଟ୍ଟ

୬୭.

ଶ୍ରୀ ବିଟ୍‌ଠଳ ସୁର୍‌ଲିଁକର୍‌

୬୮.

ଶ୍ରୀ ଏ. ଏମ୍‌. ରିବେଲୋ

୬୯.

ଶ୍ରୀ ପ୍ରଭାକର ଭୋଡ଼୍‌ଗେ

୭୦.

ମନୋହର ଫାତର୍‌ ପେକର୍‌

୭୧.

ଶ୍ରୀ ମହାଦେବ ସାମ୍ବତ୍‌

୭୨.

ଶ୍ରୀ ବସନ୍ତ ନାଇକ୍‌

୭୩.

ଶ୍ରୀ ତୁଳସୀ ଦାସ ମୋର୍ଯକର୍‌

୭୪.

ଶ୍ରୀ ବାସୁଦେବ ପାର୍ଶ୍ୱେକର୍‌

୭୫.

ଶ୍ରୀ ବିଟ୍‌ଠଳ ମୋର୍ଯକର୍‌

୭୬.

ଶ୍ରୀ ଗୋବିନ୍ଦ ସ୍ମାପ୍‌ସେକର୍‌

୭୭.

ଶ୍ରୀ ସଦାନନ୍ଦ ଗାଡ଼େକର୍‌

୭୮.

ଶ୍ରୀ ଗୁରୁଦାସ୍‌ ଆର୍ନୋଡ଼୍‌କର୍‌

୭୯.

ଶ୍ରୀ ରୋହିଦାସ ନାଇକ୍‌

୮୦.

ଶ୍ରୀ ଦାମୋଦର ଦେଶାଇ

୮୧.

ଶ୍ରୀ ଉତ୍ତମ ସାମ୍ବର୍ଡ଼େକର୍‌

୮୨.

ଶ୍ରୀ ଖେନା ଡି. ଗାଓଁକର୍‌

 

 

୪ ବର୍ଷ ସଶ୍ରମ କାରାଦଣ୍ଡ

 

 

୮୩.

ଶ୍ରୀ କୁ. ଲକ୍ଷ୍ମୀବାଳକୃଷ୍ଣ ପଇଗଣ୍‌କର୍‌

୮୪.

ଶ୍ରୀ ସୂର୍ଯ୍ୟକାନ୍ତ ଅ. ଫଳଦେଶାଇ

୮୫.

ଶ୍ରୀ ଶିବରାମ୍‌ଗଣେଶ ସେଟ୍‌

୮୬.

ଶ୍ରୀ ରାମଚନ୍ଦ୍ର ନରଓ୍ୟେକର୍‌

୮୭.

ଶ୍ରୀ ଲକ୍ଷ୍ମଣ ଗୋୟେକର୍‌

୮୮.

ଶ୍ରୀ ଲକ୍ଷ୍ମୀକାନ୍ତ ଭେଁବ୍ରେ

୮୯.

ଶ୍ରୀ ଅଁ. ଜେ. ଲୟାଁଲା

 

 

୩ ବର୍ଷ ସଶ୍ରମ କାରାଦଣ୍ଡ ଓ ଟ୫୦୦୦ଙ୍କା ଅର୍ଥଦଣ୍ଡ

 

 

୯୦.

ଶ୍ରୀ ପି. ତାହ୍ମାରିସ୍‌

୯୧.

ଶ୍ରୀ ମାଧବ ପଣ୍ଡିତ

୯୨.

ଶ୍ରୀ ଫେଲିକ୍‌ସ୍‌ ରୋଡ଼୍ରିଗ୍‌ଟ୍‌

୯୩.

ଶ୍ରୀ ଅନନ୍ତ ସୁର୍‌ଲିକର୍‌

୯୪.

ଶ୍ରୀ ବିନାୟକ ଦେଶାଇ

୯୫.

ଶ୍ରୀ ଉପେନ୍ଦ୍ର ତଳାବଳିକର୍‌

 

 

୨ ବର୍ଷ ସଶ୍ରମ କାରାଦଣ୍ଡ ଓ ଟ୨୫୦ଙ୍କା ଅର୍ଥଦଣ୍ଡ

 

 

୯୬.

ଶ୍ରୀ ଅରବିନ୍ଦ କାରାପୁର୍‌କର୍‌

 

 

 

୧ ବର୍ଷ ସଶ୍ରମ କାରାଦଣ୍ଡ ଓ ଟ୨୫୦ଙ୍କା ଅର୍ଥଦଣ୍ଡ

 

 

୯୭.

ଶ୍ରୀ ଗଙ୍ଗାଧର ଲୋଲ୍ୟାଁକର୍‌

୯୮.

ଶ୍ରୀ ବିଟ୍‌ଠଲ୍‍ ଝାର୍‌ପର୍‌କର୍‌

୯୯.

ଶ୍ରୀ ଜ. ଜ. ସିଂକ୍‌ରେ, ଅଧ୍ୟକ୍ଷ, ନ୍ୟାସନ୍ୟାଲ୍‌ କଂଗ୍ରେସ (ଗୋଆ) ବମ୍ବେ ଶାଖା ।

୧୦୦.

ଶ୍ରୀ ଶରଦ ପାର୍ଶ୍ୱେକର୍‌

୧୦୧.

ଶ୍ରୀ ଯୋସେଫ୍‌ ଫର୍ନିଡ଼ିସ୍‌

୧୦୨.

ଶ୍ରୀ ଭିକ୍ଷୁଦେବ୍‌ଳେ *

 

ଖାଲି ଏତିକି ନୁହେଁ, ଆହୁରି ଅନେକ ଦେଶପ୍ରେମୀଙ୍କର ମେରୁହାଡ଼ ପ୍ରତିଦିନ ଚୂନା ହେଉଛି ପର୍ତ୍ତୁଗୀଜ ସାମ୍ରାଜ୍ୟବାଦର ରଥଚକ ତଳେ ।

 

ଗତ ତା ୨୬ । ୭ । ୫୫ ରିକରେ ଗୋଆରେ ଥିବା ପର୍ତ୍ତୁଗୀଜ୍‌ ସୈନ୍ୟବାହିନୀର ସାର୍ଜେଣ୍ଟ ରେଜୋରିଓ ଡୁରାମେଷ୍ଟ୍‍ କୋଷ୍ଟା ପର୍ତ୍ତୁଗୀଜ୍‌ ସୈନ୍ୟବାହିନୀକୁ ପରିତ୍ୟାଗ କରି ଭାରତ ଭିତରକୁ ପଳାଇ ଆସିଥିଲେ । ପର୍ତ୍ତୁଗୀଜ ପୋଲିସ ତାଙ୍କୁ ନ ପାଇ ତାଙ୍କ ସ୍ତ୍ରୀଙ୍କ ଉପରେ ଅମାନୁଷିକ ଅତ୍ୟାଚାର ଚଳାଇ ତାଙ୍କୁ ଅଟକ ରଖିଛନ୍ତି ।

 

ଗୋଆର ଖ୍ୟାତନାମା ସମାଜସେବୀ, ବିଖ୍ୟାତଦାନୀ ଶ୍ରୀ ରାଜାରାମ୍‌ କୁଣ୍ଡେକର୍‌ ୧୯୫୫ ମସିହା ଜୁଲାଇ ମାସ ।

 

* ଗୋଆ ଜାତୀୟ କଂଗ୍ରେସ [ବେଲ୍‌ଗାଓ]ଙ୍କ ସୌଜନ୍ୟରୁ ପ୍ରାପ୍ତ... । ଲେ–

 

ତା ୨୮ ରିକରେ ଗୋଟିଏ କୂଅକୁ ଡେଇଁ ପଡ଼ି ଆତ୍ମହତ୍ୟା କଲେ । ଗୋଆର ବଡ଼ ବଡ଼ କରଦାତାଙ୍କ ଭିତରୁ ଶ୍ରୀ କୁଣ୍ଡେକର୍‌ଥିଲେ ଜଣେ ବିଶିଷ୍ଟ କରଦାତା । ଏହି କୁଣ୍ଡେକର୍‌ଙ୍କୁ ଗୋଆର ପର୍ତ୍ତୁଗୀଜ ସର୍କାର ଲୋକଙ୍କ ଉପରେ ଅଧିକ କର ବସାଇବା ପ୍ରସ୍ତାବରେ, ଗୋଟିଏ ଚୁକ୍ତିପତ୍ରରେ ଦସ୍ତଖତ କରିବାକୁ ବାଧ୍ୟ କରିବା ଫଳରେ ସେ ଏହାକୁ ଲଜ୍ଜା ଓ ଅପମାନ ମନେ କରି ଆତ୍ମହତ୍ୟା କଲେ ।

 

ଗୋଆର ରାଜଧାନୀ ‘ପାଞ୍ଜିମ୍‌’ ‘ଫ୍ରିପୋର୍ଟ’ ହୋଇଥିବା ଯୋଗୁଁ ସେଠାକୁ ଆସୁଥିବା ଜିନିଷ-ପତ୍ରମାନଙ୍କ ଉପରେ ଶୁଳ୍‌କ ବସେ ନାହିଁ । ଫଳରେ ସବୁ ଜିନିଷ ସେଠାରେ ଅତି ଶସ୍ତା । କାପ୍‌ଷ୍ଟେନ୍‌ ସିଗାରେଟ୍‌ଏକ ପାକେଟ୍‌ର ଦାମ୍‌ ଦଶ ପଇସା, ସୁନା ତୋଳା ଚାଳିଶି ଟଙ୍କା, ବିଲାତି ମଦ ବି ପ୍ରଚୁର ! ବଡ଼ ବଡ଼ ବ୍ୟବସାୟୀମାନେ ସେଠାରୁ ଶସ୍ତା ଦରରେ ଜିନିଷ କିଣି, ଭାରତରେ ତାକୁ ଚଢ଼ା ଦରରେ ବିକି, ବେଶ୍‌ ଦି’ ପଇସା ପକେଟରେ ପକାନ୍ତି ! ଗୋଆର ରାଜଧାନୀ ‘ପାଞ୍ଜିମ୍‌’ ଆଜି କିଳାପୋତିଆ, ଦୁର୍ନୀତିପରାୟଣ ଲୋକଙ୍କର ଗୋଟିଏ ପ୍ରଧାନ ପୀଠ ହୋଇଛି କହିଲେ ଚଳେ !

 

୧୯୫୧ରେ ପ୍ରକାଶିତ ପର୍ତ୍ତୁଗୀଜ୍‌ ସରକାରଙ୍କ ସରକାରୀ ହିସାବରୁ ଜଣାଯାଏ, ପର୍ତ୍ତୁଗୀଜ୍‌ ଗୋଆର ମୋଟ ୬୩୮୦୦୦ ଜନସଂଖ୍ୟା ଭିତରୁ ୧୪୩୮ ଜଣ ଲୋକ ଖାଣ୍ଟି ଭାରତୀୟ । ଭାରତର ସୀମାନ୍ତ ଅଞ୍ଚଳରେ ବାସ କରୁଥିବା ସେମାନଙ୍କ ଜାତିଭାଇଙ୍କଠାରୁ ଚାଲି-ଚଳଣରେ ଓ ଭାଷା ଦୃଷ୍ଟିରୁ ଏମାନଙ୍କୁ ମୋଟେ ବାରି ହୁଏ ନାହିଁ ।

 

ମୋଟ ଜନସଂଖ୍ୟାର ଶତକରା ୬୧ ଭାଗ ଲୋକେ ହିନ୍ଦୁ ଧର୍ମାବଲମ୍ବୀ । କେତେକ ମୁସଲମାନ ମଧ୍ୟ ଗୋଆରେ ଅଛନ୍ତି ! ମୋଟ ଜନସଂଖ୍ୟା ଭିତରୁ ଶତକରା ଅତି କମ୍‌ଲୋକେ ପର୍ତ୍ତୁଗୀଜ୍‌ ଭାଷା ଲେଖିପଢ଼ି ପାରନ୍ତି । ଗୋଆର ସାଧାରଣ କଥିତ ଭାଷା ହେଉଛି, ମରାଠୀ, କଙ୍କଣୀ ଓ ଗୁଜରାଟୀ ।

 

ଗୋଆ ଯେ ଭାରତର ଏକ ଅବିଚ୍ଛେଦ୍ୟ ଅଂଶ, ଏ ପ୍ରଶ୍ନ ଖାଲି ଏବକାର ପ୍ରଶ୍ନ ନୁହେ ! ଜାତିର ପିତା ମହାତ୍ମା ଗାନ୍ଧୀ ଜୀବିତ ଥିଲାବେଳେ ଗୋଆ ସମସ୍ୟାକୁ ଲକ୍ଷ୍ୟ କରି କହିଥିଲେ—

 

‘‘In free India, ‘Goa’ the little Portuguese settlement cannot be allowed to exist as a separate entity in opposition to the love of the free state. To the inhabitants of Goa that they shouls shed fear of the Portuguese Government and assert their fundament right.’’ (Harijan Dt: 30-6-46)

 

‘‘ପର୍ତ୍ତୁଗୀଜ୍‌ର କ୍ଷୁଦ୍ର ଉପନିବେଶ ଗୋଆ ସ୍ୱାଧୀନ ଭାରତରେ ଗୋଟିଏ ସ୍ୱତନ୍ତ୍ର ଅଞ୍ଚଳ ହୋଇ ରହିବାକୁ ଦିଆଯିବ ନାହିଁ । ଏହା ଯେ କୌଣସି ସ୍ୱାଧୀନ ରାଷ୍ଟ୍ରର ନୀତି ବିରୋଧ ହେବ । ମୁଁ ଅଧିବାସୀଙ୍କୁ କହିବି ଯେ, ପର୍ତ୍ତୁଗୀଜ୍‍ ଶାସନରେ ସେମାନେ ଭୟଭୀତ ନ ହୋଇ, ସେମାନଙ୍କର ମୌଳିକ ଅଧିକାରକୁ ବଜାୟ ରଖନ୍ତୁ ।’’

 

(‘ହରିଜନ’—ତା ୩୦ । ୬ । ୪୬)

 

ଆଜି ସାମ୍ରାଜ୍ୟବାଦ ଓ ଉପନିବେଶବାଦ ବରୁଦ୍ଧରେ ବିଶ୍ୱବ୍ୟାପୀ ଯେଉଁ ସ୍ୱର ଶୁଣାଯାଉଛି, ଗୋଆର ମୁକ୍ତି-ସଂଗ୍ରାମ ତାର ଏକ ଅଂଶ ବିଶେଷ । ବିଶ୍ୱ ଇତିହାସରେ ଲିପିବଦ୍ଧ ହୋଇଥିବା କେତୋଟି ମର୍ମ୍ମଭେଦୀ ଘଟଣାବହୁଳ କାହାଣୀରୁ ମହାତ୍ମା ଗାନ୍ଧୀଙ୍କର ଏ ନିମ୍ନୋକ୍ତ କାହାଣୀଟି ଗୋଟିଏ—

 

‘‘The hands of Imperialism are always dyed red. The sooner Imperialistic power shed their Imperialism like Asoka the good, the better it will be for the groaning world. The mother country of Goans is as much India as mine. Goa is outside British India, but it is within geographical India as a whole. And there is very little, if anything in commom between the Portuguese and the Indians of Goa.’’

 

(‘Harijan’, Dt. 8-9-46)

 

‘‘ସାମ୍ରାଜ୍ୟବାଦର ହାତ ସର୍ବଦା ଲୋହିତ ବର୍ଣ୍ଣରେ ରଞ୍ଜିତ । ଅଶୋକଙ୍କ ପରି ଯେତେ ଚଞ୍ଚଳ ସାମ୍ରାଜ୍ୟବାଦୀମାନେ ସେମାନଙ୍କ ସାମ୍ରାଜ୍ୟବାଦକୁ ଜଳାଞ୍ଜଳି ଦେବେ, ପୃଥିବୀର ଜଟିଳ ପରିସ୍ଥିତିରେ ତାହା କେତେ ଉତ୍ତମ ବିବେଚିତ ହେବ । ମୋ’ ପକ୍ଷରେ ମାତୃଭୂମି ରୂପେ ଭାରତ ଯେତିକି, ଗୋଆ ଅଧିବାସୀଙ୍କର ତାହାଠାରୁ ଅଧିକ । ଗୋଆ ବର୍ତ୍ତମାନ ବ୍ରିଟିଶ-ଶାସିତ ଭାରତର ବାହାରେ; କିନ୍ତୁ ସମଗ୍ର ଭାବରେ ଭୌଗୋଳିକ ଭାରତ ଭିତରେ ଏହାର ଅବସ୍ଥିତି । ପୁଣି ଗୋଆରେ ବସବାସ କରୁଥିବା ଭାରତୀୟ, ପର୍ତ୍ତୁଗୀଜ୍‍ ଲୋକଙ୍କ ଚଳଣୀରେ ଯଦି କିଛି ସାମ୍ୟ ଥାଏ, ତାହା ଅତି ଅଳ୍ପ !’’

 

(‘ହରିଜନ’, ତା ୮ । ୯ । ୪୬)

 

-ଆଠ-

 

ଚଉଦ ତାରିକ ସକାଳ...

 

ହସପିଟାଲରେ ଜଣେ ନର୍ସ୍‌ ମୋତେ କିଛି ଗରମ୍‌ ଦୁଧ ଆଣି ପିଇବାକୁ ଦେଲେ ଏବଂ ପାଖରେ ବସି ପଡ଼ି ପଚାରିଲେ ସମସ୍ତ ଘଟଣା । ତାଙ୍କ ସହିତ ଆଲୋଚନା କରୁ କରୁ ଏଗାରଟା ବାଜିଲା—ସମିତିର ସମ୍ପାଦକ ଆପ୍ତେ ସାହେବ ମତେ ଦେଖିବାକୁ ଆସିଲେ ।

 

ବାରଟା ବେଳେ ବେଲ୍‌ଗାଓଁର ଜଣେ ପ୍ରଥମ ଶ୍ରେଣୀ ମାଜିଷ୍ଟ୍ରେଟ୍‌ଙ୍କ କୋର୍ଟରେ ମତେ ନେଇ ହାଜର୍‌ କରାଗଲା—ଆମ ଉପରେ ବମ୍ବେ-ପୋଲିସ କରିଥିବା ଆକ୍ରମଣ ପାଇଁ ଉପଯୁକ୍ତ ଆଫିଡ଼େଭିଟ୍‌(Affidavit) ପେଶ୍‌ କରାଗଲା ।

 

ନିରସ୍ତ୍ର, ଅହିଂସ ଭାରତୀୟ ସତ୍ୟାଗ୍ରହୀଙ୍କ ଉପରେ ବମ୍ବେ ପୋଲିସର ପୈଶାଚିକ ଆକ୍ରମଣ ସାରା ବେଲ୍‌ଗାଓଁରେ ଏକ ଚହଳ ପକାଇ ଦେଇଥିଲା । ସେଥିପାଇଁ ଗୋଆ ବିମୋଚନ ସମିତି (ବେଲ୍‍ଗାଓଁ)ର ସମ୍ପାଦକ ଶ୍ରୀ ରାମ ଆପ୍ତେ ଏକ ବିବୃତିରେ ଯାହା କହିଥିଲେ, ତା’ର ଅବିକଳ ନକଲ ତଳେ ଦିଆଗଲା—

 

The Government of Bombay after the recent resolution of the All India Congress Committee on Goa has adopted a policy of not allowing the entry of Indian SATYAGRAHIS into Goa territories. The behaviour of the police with the SATYAGRAHIS for the last 5/6 days after adoption of the said policy has been highly deplorable. The shameful actions of the police make one feel that democracy in India has come to an end. The police did not even hesitate to kick peaceful Indian SATYAGRAHIS at Insuli near Savantwadi. There are sufficient grounds to believe that the police might have brought to undue pressure on state Transport, and Telegraph Office authorities for the implementation of their illegal objects. The Indian public must come forward to condemn the shameful conduct of the police.

 

Belagum

Ram Apte

13th, Sept, 1955

Secretary,

GPK

Goa Vimochan Samiti, Belgaum

 

ଗୋଆ ସଂପର୍କରେ ନିଖିଳ ଭାରତ କଂଗ୍ରେସ କମିଟିର ଏବକାର ନୀତି ନର୍ଦ୍ଧାରିତ ହେବା ପରଠାରୁ ଗୋଆରେ ଭାରତୀୟ ସତ୍ୟାଗ୍ରହୀଙ୍କୁ ପ୍ରବେଶ କରିବାକୁ ନ ଦେବା ଲାଗି ବମ୍ବେ ସରକାର ଲାଗି ପଡ଼ିଛନ୍ତି । ଗତ ପାଞ୍ଚ ଛ’ଦିନ ଧରି ସତ୍ୟାଗ୍ରହୀଙ୍କ ପ୍ରତି ପୋଲିସ ଅତ୍ୟନ୍ତ କଦର୍ଯ୍ୟ ବ୍ୟବହାର କରି ଆସୁଛି । ପୋଲିସର ନିର୍ଲ୍ଲଜ କ୍ରିୟା-କଳାପ ଦେଖିଲେ ମନେହୁଏ ଭାରତରୁ ଗଣତନ୍ତ୍ର ଲୋପ ପାଇଛି । ଇନ୍‌ସୁଲି ଓ ସାମନ୍ତବାଡ଼ି ନିକଟରେ ଶାନ୍ତିପୂର୍ଣ୍ଣ ଭାରତୀୟ ସତ୍ୟାଗ୍ରହୀଙ୍କୁ ବୁଟ୍‌ ଗୋଇଠା ମାରିବାକୁ ପୋଲିସ ଦ୍ୱିଧା ବୋଧ କରିନାହିଁ । ପୋଲିସ ନିଜର ବେଆଇନ ଉଦ୍ଦେଶ୍ୟ ସାଧନା ପାଇଁ ରାଜ୍ୟ ମୋଟର ଚଳାଚଳ ବିଭାଗ, ଟେଲିଫୋନ୍‌ ଅଫିସ ପ୍ରଭୃତି ଉପରେ ଅନଧିକାର ଚାପା ପକାଉଥିବା ଅବିଶ୍ୱାସ ନ କରିବାର ଯଥେଷ୍ଟ କାରଣ ଅଛି ! ପୋଲିସର ଏ ନିର୍ଲ୍ଲଜ ବ୍ୟବହାରର ନିନ୍ଦା କରିବାକୁ ଭାରତୀୟ ଜନତା ନିଶ୍ଚୟ ଆଗେଇ ଆସିବେ !

 

 

ସ୍ୱା-ରାମ୍‌ ଆପ୍ତେ

ବେଲ୍‌ଗାଓଁ

ସଂପାଦକ,

ତା ୧୩,ସେପ୍‌ଟେମ୍ବର, ୧୯୫୫

ଗୋଆ ବିମୋଚନ ସମିତି,

ଜିପିକେ

ବେଲଗାଓଁ

 

ଖାଲି ସେତିକି ନୁହେଁ, ବମ୍ୱେ ପୋଲିସର ଏ କାର୍ଯ୍ୟ କଳାପକୁ ଘୋର ନିନ୍ଦାକରି ଗତ ସେପ୍‌ଟେମ୍ୱର ତା ୧୩,୧୯୫୫ ଦିନ ମହାରାଷ୍ଟ୍ର ପ୍ରଜା-ସୋସାଲିଷ୍ଟ ପାର୍ଟିର ଚେୟାର୍‌ମ୍ୟାନ୍‌ ଶ୍ରୀ ଏସ୍‌,ଏମ୍‌,ଯୋଷୀ ପୁନାଠାରେ ଏକ ସାଧାରଣ ସଭାରେ କହିଲେ—

 

"Sri Joshi said that the behaviour of the Bombay Police with Satyagrahis at Belgaum and Savantawadi after the passage of the resolution by the A.I.C.C. was "condemnable." The Police he said, had shown no respect for law, and in their zeal to please their masters, they have over-stepped their limits."

 

(Free press journal, Sept. 14th. 1955)

 

‘‘ଶ୍ରୀ ଯୋଷୀ କହିଲେ, ନିଖିଳ ଭାରତ କଂଗ୍ରେସ କମିଟିର ପ୍ରସ୍ତାବ ସିଦ୍ଧାନ୍ତ ପରେ ପରେ ବେଲ୍‌ଗାଓଁ ଓ ସାମନ୍ତବାଡ଼ିଠାରେ ସତ୍ୟାଗ୍ରହୀଙ୍କ ପ୍ରତି ବମ୍ୱେ ପୋଲିସର ବ୍ୟବହାର ବାସ୍ତବିକ ‘‘ନିନ୍ଦାର କଥା ।’’ ପୋଲିସ ଲୋକେ ସେଠାରେ ଆଇନ ପ୍ରତି ସମ୍ମାନ ଦେଖାଇ ନଥିଲେ-। ସେମାନଙ୍କ ଉପର ଅଧିକାରୀଙ୍କୁ ସନ୍ତୁଷ୍ଟ କରିବାକୁ ଯାଇ, ସେମାନେ ସୀମା ଲଙ୍ଘନ କରିଛନ୍ତି ।’’

 

(ଫ୍ରି ପ୍ରେସ୍‌ ଜର୍ଣ୍ଣାଲ୍‌ ତା ୧୪, ସେପ୍‌ଟେମ୍ୱର ୧୯୫୫)

 

-ନଅ-

 

ଡାକ୍ତରମାନଙ୍କ ଅଦମ୍ୟ ଚେଷ୍ଟା ଫଳରେ ତା ୧୭ ରିଖ ସନ୍ଧ୍ୟା ସୁଦ୍ଧା ସଂପୂର୍ଣ୍ଣ ଠିଆ ହୋଇ ପାରୁ ନ ଥିଲେ ମଧ୍ୟ, ଠିଆ ହେବାକୁ ସାହସ ହେଉଥାଏ ।

 

ସମିତିର ନିର୍ଦ୍ଦେଶ ମୁତାବକ ବିଦାୟ ନେଲି ଡାକ୍ତରଖାନାରୁ । ଆସିଥିବା ସତ୍ୟାଗ୍ରହୀମାନେ ନିଜ ନିଜ ପ୍ରଦେଶକୁ ଫେରି ଯାଉଥିବାରୁ, ଆପ୍ତେ ସାହେବ ମତେ ପୁନା ପଠାଇଦେବାର ବନ୍ଦୋବସ୍ତ କଲେ ।

 

ନ’ଅଟା ବାଜି ଯାଇଥିଲା—

 

ମଧ୍ୟାହ୍ନ ଭୋଜନ ପରେ ଲୋଟି ପଡ଼ିଲି ଅଫିସର ଦଉଡ଼ିବନ୍ଧା ଖଟିଆ ଉପରେ । ତା’ପରେ ଦଳ ଦଳ ସତ୍ୟାଗ୍ରହୀ ଛୁଟିଲେ ମୋ ପାଖକୁ—ବିଦାୟ ନେବା ପାଇଁ । ପ୍ରଥମେ ଆସିଲେ ଶ୍ରୀ ତକ୍‌ଦୀର ସିଂ ଚୌଧୁରୀ (ଯେ କି ଆମ ସତ୍ୟାଗ୍ରହୀ ଦଳର ନେତା ଥିଲେ) । ସେ ଫେରିଯିବେ ପଞ୍ଜାବ । କଥାବାର୍ତ୍ତା ଭିତରେ ମୁଁ ତାଙ୍କ ମୁଖଭଙ୍ଗୀକୁ ଲକ୍ଷ୍ୟ କରୁଥାଏ । ସତେ ଯିମିତି ଅପୂର୍ଣ୍ଣ ରହିଛି ତାଙ୍କର କାର୍ଯ୍ୟ ! ବହୁ ଦୁଃଖ-ସୁଖ, ଆଲୋଚନା ପରେ ସେ ଉଠି ଠିଆ ହେଲେ ଆଉ ମୋ ଆଡ଼କୁ ହାତ ବଢ଼େଇଲେ କରମର୍ଦ୍ଦନ ପାଇଁ । କରମର୍ଦ୍ଦନ କରି ମୁଁ ତାଙ୍କୁ ଜଣାଇଲି ବିଦାୟର ସମ୍ଭାଷଣ । ତା’ପରେ ଆସିଲେ ଶ୍ରୀ ଏସ୍‌.ଏନ୍‌. ଗାଙ୍ଗୁଲି, ବିଶ୍ୱେଶ୍ୱର ବକ୍‌ସି, ନିମାଇଁ ସେବକ, (ପୋଲିସ ଆକ୍ରମଣରେ ଏମାନେ ମଧ୍ୟ ଆହତ ହୋଇଥିଲେ !) । ସେମାନେ ମଧ୍ୟ ବିଦାୟ ନେଲେ-

 

କେବଳ କଚ୍ଛର ଶ୍ରୀ ପ୍ରାଣଲାଲ୍‌ଜୀ କୋଠାରୀ, ଭୋପାଳର ଜଣେ ସତ୍ୟାଗ୍ରହୀ, ମହୀଶୂରର ଶ୍ରୀ ଭେଙ୍କଟେଜ୍‌ କେ. ହେଜ୍‌ମାଡ଼ି; ଏଇ କେତେଜଣ ଆମେ ଥାଉଁ ।

 

ଶ୍ରୀ ହେଜ୍‌ମାଡ଼ିଙ୍କ ସେବା ଜୀବନରେ ଭୁଲିବାର ନୁହେଁ । ପୋଲିସ ଆକ୍ରମଣରେ ସାରା ଶରୀର ମୋର ଅଚଳ ହୋଇ ପଡ଼ିଥିବା ବେଳେ, ସେ ମତେ ଟେକି ନେବାଠାରୁ ଆରମ୍ଭ କରି, ମୋର କ୍ଷତ ସ୍ଥାନମାନ ପରିଷ୍କାର କରିଦେବା ପର୍ଯ୍ୟନ୍ତ ଯାବତୀୟ କାମ କରିବାକୁ ସେ କୁଣ୍ଠାବୋଧ କରି ନାହାନ୍ତି । ଶ୍ରୀ ହେଜ୍‌ମାଡ଼ିଙ୍କ ଜନ୍ମସ୍ଥାନ ହେଉଛି ମହୀଶୂର ଷ୍ଟେଟ୍‌ର ମାଙ୍ଗାଲୋର ଠାରେ । ସେ ପୂର୍ବେ ବମ୍ବେର କୌଣସି ଏକ ବଡ଼ କମ୍ପାନୀ ଅଧୀନରେ ଚାକିରୀ କରୁଥିଲେ । ଗୋଆମୁକ୍ତି ସଂଗ୍ରାମରେ ଯୋଗ ଦେବା ପାଇଁ ପଦ ତ୍ୟାଗ କରି ଗତ ୧୯୫୫ ଅଗଷ୍ଟ ତା ୧୯ ରିଖରେ ଶ୍ରୀ ମଧୁ ଦଣ୍ଡବତେଙ୍କ ନେତୃତତ୍ୱରେ ସେ ଗୋଆ ପ୍ରବେଶ କରିଥିଲେ ।

 

ମେଘ କୁଣ୍ଡା ଝାରୁଥାଏ.........

 

...ସଂଧ୍ୟା ଓହ୍ଲେଇ ଆସୁଥାଏ ବେଲ୍‌ଗାଓଁ ନଗରୀ ଉପରେ । ବିଦାୟ ନେଲି ବେଲ୍‌ଗାଓଁ ମାଟିରୁ ।

 

ଗୋଟିଏ ଝଟ୍‌କାରେ ମୁଁ, ମୋ’ ସହିତ ଶ୍ରୀ ହେଜ୍‌ମାଡ଼ି, ଶ୍ରୀ କୋଠାରୀ, ବିହାରର ଶ୍ରୀ ତିଳକ୍‌ଧାରୀ ସିଂ, ଭୋପାଳର ସତ୍ୟାଗ୍ରହୀ ଜଣକ, ହାଇଦ୍ରାବାଦର ଶ୍ରୀ ଜୟପ୍ରକାଶ ପ୍ରଭୃତି ବସିଲେ-। ସମିତିର ସଂପାଦକ ଶ୍ରୀ ଆପ୍ତେଙ୍କୁ ଜଣାଇଲି ବିଦାୟ କାଳୀନ ନମସ୍କାର । ସେ ତା’ର ଉତ୍ତର ଦେବାକୁ ଯାଇ ହସି ହସି କହିଲେ, ‘‘ଏହି ବେଲ୍‍ଗାଓଁ ମାଟିରୁ ମୁଁ ଶହ ଶହ ସତ୍ୟାଗ୍ରହୀଙ୍କୁ ପଠାଇଛି ପର୍ତ୍ତୁଗୀଜ୍‌ ମେସିନ୍‌ଗନ୍‌ ମୁହଁକୁ । ସେଥିପାଇଁ ଚିତ୍ରଗୁପ୍ତ *ର ଦୃଷ୍ଟି ମୋ ଉପରେ ବରାବର ଅଛି । କାରଣ, ସେମାନଙ୍କ ମୃତ୍ୟୁ ପାଇଁ ମୁଁ ଦାୟୀ ।’’

 

*ଯମର ପାଞ୍ଜିଆ ।

 

ଏଥର ଆମ ଝଟ୍‌କା ଛୁଟିଲା ଷ୍ଟେସନ ପଥରେ ।

 

ଆମକୁ ବିଦାୟ ଦେବା ପାଇଁ ସମିତି ତରଫରୁ ଆସିଥାନ୍ତି, ଶ୍ରୀ ମାଧବ ଡ଼ି. ହେରେକର୍‌-। ଷ୍ଟେସନରେ ପହଞ୍ଚିଲା ବେଳକୁ ଗାଡ଼ି ଆସି ଯାଇଥିଲା । ସହଯାତ୍ରୀ ସତ୍ୟାଗ୍ରହୀ ବନ୍ଧୁମାନେ ମୋତେ ଝଟ୍‌କାରୁ ନେଇ ଥୋଇଲେ ଏକ ଫାଷ୍ଟ୍‌କ୍ଳାସ୍‌ କମ୍ପାର୍ଟ୍‌ମେଣ୍ଟରେ । ଶ୍ରୀଯୁକ୍ତ ହେରେକର୍‌ ମୋ ଲାଗି ବାଟରୁ କିଛି କମଳା ଆଉ ପାଉଁରୁଟି କିଣି ଆଣିଥିଲେ । ସେତେକ ମୋ’ ଆଡ଼େ ବଢ଼ାଇ ଦେଇ ସେ ବିଦାୟ ନେଲେ ।

 

ପୁନା ଏକ୍‌ସପ୍ରେସ୍‌ ଭୀମ ଗର୍ଜନ କରି ପୁନା ଅଭିମୁଖେ ବେଲ୍‌ଗାଓଁ ଛାଡ଼ିଲା । ଶ୍ରୀ ହେଜ୍‌ମାଡ଼ିଙ୍କ କୋଳରେ ମୁଣ୍ଡ ରଖି ମୁଁ ଶୋଇ ରହିଲି । ଷ୍ଟେସନ୍‌ ପରେ ଷ୍ଟେସନ୍‌, ଅନ୍ଧକାରମୟ ସୁଦୀର୍ଘ ସୁଡ଼ଂଗର ବକ୍ଷ ଭେଦ କରି ଦୁର୍ଦ୍ଦାନ୍ତ ଗତିରେ ଛୁଟିଥାଏ ପୁନା ଏକ୍‌ସ୍‌ପ୍ରେସ୍‌ ।

 

ରାତି ସାଢ଼େ ଚାରିଟା ବେଳେ ନିଦ ଭାଙ୍ଗିଲା । ଶ୍ରୀ ତିଳକଧାରୀ ସିଂଙ୍କୁ ପଚାରି ବୁଝିଲି, ଗାଡ଼ି ଠିକ୍‌ ସକାଳ ସାଢ଼େ ଛ’ଟା ବେଳେ ପୁନାରେ ପହଞ୍ଚିବ ।

 

ସେପ୍‌ଟେମ୍ବର ତା ୧୯,୧୯୫୫ ।

 

ଠିକ୍‌ ସାଢ଼େ ଛ’ଟା ବେଳେ ପୁନା ଏକ୍‌ସପ୍ରେସ ପୁନା ଷ୍ଟେସନ ଧରିଲା । ସକାଳର କଅଁଳ ସୂର୍ଯ୍ୟାଲୋକ ଅଜାଡ଼ି ହୋଇ ପଡ଼ିଥାଏ ପ୍ଲାଟଫର୍ମ ଉପରେ । ବହୁଦିନ ପରେ ମେଘମୁକ୍ତ ଆକାଶ, ଉଜ୍ଜ୍ୱଳ ସୂର୍ଯ୍ୟାଲୋକ ଦେଖି ମଉଳାମନର ଉଜ୍ଜ୍ୱଳତା ଫେରି ଆସୁଥିଲା ।

 

ଶ୍ରୀ ହେଜ୍‌ମାଡ଼ିଙ୍କ ସାହାଯ୍ୟରେ ଗାଡ଼ିରୁ ଓହ୍ଲେଇ, ବସିଲି ଗୋଟିଏ ଅଟୋରିକ୍‌ସାରେ । ରିକ୍‌ସା ଚାଲିଲା କେନ୍ଦ୍ର ଗୋଆ ବିମୋଚନ ସମିତି (‘କେଶରୀ’ କାର୍ଯ୍ୟାଳୟ) ଆଡ଼େ । ମୁ ଅସୁସ୍ଥ ଥିବାରୁ ଶ୍ରୀ ହେଜ୍‌ମାଡ଼ି ରିକ୍‌ସାବାଲାକୁ ଧୀରେ ଧୀରେ ଯିବା ପାଇଁ ନିର୍ଦ୍ଦେଶ ଦେଲେ ।

 

ଧୀରେ ଧୀରେ ଚାଲିଥାଏ ରିକ୍‌ସା......

 

ବିସ୍ତୀର୍ଣ୍ଣ ରାଜ ପଥର ଦୁଇ ଧାରରେ ଗଗନଚୁମ୍ବି ଅଟ୍ଟାଳିକା ଗୁଡ଼ିକ ସ୍ଥାଣୁ, ଅଥର୍ବଙ୍କ ପରି ଠିଆ ହୋଇ ମହାରାଷ୍ଟ୍ରିୟ ସଭ୍ୟତାର ସତେ ଯେମିତି ଜୟଗାନ୍‌ କରୁଥାନ୍ତି ! କଲେଜ ଛାତ୍ର-ଛାତ୍ରୀଗଣ ଚାଲିଥାନ୍ତି କଲେଜ ଅଭିମୁଖେ—ରାସ୍ତା ଧାରରେ ଭିଖାରୀଦଳ ହାତପାତି ବସିଥାନ୍ତି ପଇସାଟିଏ ପାଇଁ ।

 

ଅଟୋ ରିକ୍‌ସାର ମେସିନ୍‌ଟିକେ କ’ଣ ବିଗିଡ଼ି ଗଲା...... !

 

ଚାଳକ ଓହ୍ଲେଇ ପଡ଼ି ମନୋନିବେଶ କଲା ଇଞ୍ଜିନରେ । ମୁଁ କିନ୍ତୁ ଅପଲକ ଆଖିରେ ଚାହିଁ ରହିଥାଏ ରାସ୍ତାଧାରର ସେଇ ଭିକାରୀ ଦଳଙ୍କ ଆଡ଼କୁ । ହଠାତ୍‌ଜଣେ ଅଳ୍ପ ବୟସ୍କା ତରୁଣୀ ଆସି ଠିଆ ହେଲା ମୋ’ ରିକ୍‌ସା ପାଖରେ । ଅଙ୍ଗରେ ତା’ର ଶତଛିନ୍ନ, କୋଚଟ ମସିଆ ଲୁଗା ଖଣ୍ଡେ—ଅତି କରୁଣ ତା’ର ଚାହାଣୀ—ନିଷ୍ପ୍ରାଣ, ଜ୍ୟୋତିହୀନ କୋଟରଗତ ଚକ୍ଷୁ—କୋଳରେ ଚାରି ପାଞ୍ଚ ମାସର ଛୁଆଟିଏ—ନିର୍ବିକାର ଯୋଗୀ ଭଳି ଆଖି ଦିଓଟି ମୁଦି ଝୁଣି ଚାଲିଛି ତରୁଣୀର ନିରସ, ଶୁଷ୍କ ସ୍ତନକୁ ।

 

ଦୈନ୍ୟର କାତର ନିବେଦନ ତୋଳି ତରୁଣୀ କ୍ଷୀଣ ସ୍ୱରରେ କହିଲା, ‘‘ବାବୁଜି ! କୁଛ୍‌ ଦୟା କରେ ! ! ବଚ୍ଚା ଠୁ କାଲ୍‌ ସେ ଭୁଖା ହୈ !!!’’

 

ଜଣା ପଡ଼ୁଥିଲା; ସତେ ଯେମିତି ସେ ଜୀବନର ଜୁଆଖେଳରେ ହାରିଯାଇଛି—ଭାତ ମୁଠେ ପାଇଁ ହାହାକାର କରି ଉଠିଛି ତା’ର ବିକଳ ମାତୃତ୍ୱ—ଧନବାଦୀ ସମାଜ ବ୍ୟବସ୍ଥାର ବିଷାକ୍ତ ଚୁମ୍ବନରେ ଅଦିନରେ ଝାଉଁଳି ପଡ଼ିଛି ତା’ର ଯୌବନର କୁସୁମ କଢ଼ିଟି !!!

 

ବାଁ ହାତରେ ପାକିଟ୍‌ରୁ ଅଶୋକ ଚତ୍ରାଙ୍କିତ ଆଠଣୀଟିଏ କାଢ଼ି ବଢ଼େଇ ଦେଲି ତା’ ହାତକୁ । ଦେଖିଲି, ଆଠଣୀଟି ପାଇଲା ମାତ୍ରେ ଓଠରେ ତା’ର ଫୁଟି ଉଠିଲା ହସ—କିନ୍ତୁ ସେଥିରେ ନଥିଲା ମାଦକତା ! ଥରେ ଆଠଣୀଟିକୁ ଓ ଥରେ ମୋ’ ମୁହଁକୁ କରୁଣ ଦୃଷ୍ଟିରେ ଚାହିଁ ସେ ଧୀରେ ଧୀରେ ପାଦ ବଢ଼େଇଲା ଗୋଟିଏ ଜଳଖିଆ ଦୋକାନ ଆଡ଼େ । ସଙ୍ଗେ ସଙ୍ଗେ ବିଦ୍ୟୁତ୍‌ବେଗରେ ମନ ଧାଇଁ ଆସିଲା କଟକ ନଗରୀକୁ—ଆଖି ଆଗରେ ନାଚି ଉଠିଲା, କଟକ ଷ୍ଟେସନ ମୁଷାଫିର୍‌ଖାନା ସାମ୍ନାରେ, ଚକର୍‌ଚାନ୍ଦ ବଜାରର ବରଗଛ ମୂଳରେ, ନେତାଜୀ ସୁଭାଷରୋଡ଼ର ଓସ୍ତଗଛ ମୂଳର ଭିଖାରୀ ଦଳର ଛବି । ସେମାନେ ବି ଏଇମିତି ସମସ୍ତଙ୍କୁ ହାତପତାନ୍ତି ପଇସାଟିଏ ପାଇଁ ! ତା’ର ପୁରଷ୍କାର ସ୍ୱରୂପ ସେମାନେ ପାଆନ୍ତି, ‘‘ଯା ବେ ଯଃ ! ! ଶଳା, ସବୁଦିନେ କ’ଣ ବୋପା ଥୋଇଚି ଏଠି ?’’

 

କଟକର ଭିକାରୀଦଳ ଆଉ ପୁନା ରାଜପଥର ଏ ତରୁଣୀ, ୟାଙ୍କ ଭିତରେ ତଫାତ୍‌ କୋଉଠି ? ଆମର ନେତାମାନେ ସଭାମଣ୍ଡପରେ ଗୁରୁ-ଗମ୍ଭୀର ଭାବରେ ବାରମଜା ଭାଷଣ ଦେଇ କହନ୍ତି, ‘‘ଲୋକଙ୍କର ଦେଶପ୍ରେମ ନାହିଁ ।’’

 

ଦେଶପ୍ରେମ ! ହାଃ ! ...ହାଃ !! ...ହାଃ !!! ...ସୁନ୍ଦର... ଚମତ୍କାର ଦୃଷ୍ଟିକୋଣ !! ଯେଉଁ ଦେଶରେ ରାତି ପାହି ସକାଳ ହେଲେ କାନରେ ବାଜେ ପତିତା, ପରିତ୍ୟକ୍ତା, କୁଳବଧୂର କରୁଣ କ୍ରନ୍ଦନ- ଶ୍ରମିକ ଭାବେ, ‘‘ମୋ’ ଛୁଆ ଆଜି ଖାଇବ କଅଣ !’’ ଯେଉଁ ଦେଶର ଯୁବକ ଚାକିରୀ ଖଣ୍ଡେ ପାଇଁ ସେକ୍ରେଟେରୀଏଟ୍‌ବାରନ୍ଦାରେ ଦିନଯାକ ପଇଁତରା ମାରି ମାରି, ଶେଷରେ ନିରାଶ ହୋଇ ସାଜେ ପକେଟ୍‌ମାରୁ- ଯେଉଁ ଦେଶର ମଣିଷ ଆଗରେ ଭାତ ମୁଠାଏ ସ୍ୱର୍ଗର ସଂପତ୍ତି; ତା’ ପାଖରେ ପୁଣି ଦେଶପ୍ରେମ !! କାଲା ଆଗରେ ମୂଳା ଚୋବାଇବା କଥା ସିନା !!!

 

ଅଟୋ ରିକ୍‌ସାର ମେସିନ୍‌ ଠିକ୍‌ ହୋଇଗଲା ।

 

ପହଞ୍ଚିଲୁ ଆସି କେଶରୀ କାର୍ଯ୍ୟାଳୟରେ । ଶୁଣିଲୁ, ପୁନାସମିତିର ସଭାପତି ଶ୍ରୀଯୁକ୍ତ ତିଳକ ଦିଲ୍ଲୀ ଯାଇଛନ୍ତି ।

 

ସମିତି ଅଫିସରେ ମୋର ରହିବାର ବନ୍ଦୋବସ୍ତ ହୋଇଗଲା । ଅନେକ ସତ୍ୟାଗ୍ରହୀ ପୁନାରେ ଆଗରୁ ଆସି ପହଞ୍ଚିଥା’ନ୍ତି—କେହି କେହି ନିଜ ନିଜ ପ୍ରଦେଶକୁ ଫେରି ଯିବାକୁ ପ୍ରସ୍ତତ ବି ହେଉଥାନ୍ତି !

 

-ଦଶ-

 

ତା ୨୨ରିଖ ସକାଳୁ ଶ୍ରୀ ହେଜ୍‌ମାଡ଼ି ବିଦାୟ ନେଲେ ପୁନାରୁ । ପ୍ରାତଃକର୍ମ ଶେଷ କରି କେତେ ଗୁଡ଼ିଏ ଚିଠି ଲେଖି ସେ ଗୁଡ଼ିକ ଡାକରେ ପକାଇବାକୁ ପଠାଇ ବିଶ୍ରାମ ନେଲି ।

 

ମଧ୍ୟାହ୍ନ ଭୋଜନ ପରେ...

 

ପୁନା ରାଜଭବନକୁ ଗଲି ବମ୍ବେ ଲାଟ୍‌ ଡଃ ମହତାବଙ୍କୁ ସାକ୍ଷାତ କରିବା ପାଇଁ । ଶୁଣିଲି, ମହତାବ୍‌ଜୀ ବମ୍ବେ ଯାଇଛନ୍ତି । ତାଙ୍କ ସହଧର୍ମିଣୀ ଶ୍ରୀମତୀ ସୁଭଦ୍ରା ମହତାବଙ୍କ ସହ ସାକ୍ଷାତ ଓ କଥାବାର୍ତ୍ତା କରି, ଫେରି ଆସିଲି କେଶରୀ କାର୍ଯ୍ୟାଳୟକୁ ।

 

ସେପ୍‌ଟେମ୍ବର ତା ୧୩,୧୯୫୫ ।

 

ବିଦାୟ ନେଲି ମହାରାଷ୍ଟ୍ରର ଦ୍ୱିତୀୟ ବୃହତ୍ତମ ସହର ପୁନାମାଟିରୁ । ସମିତି ତରଫରୁ ଜଣେ ସଭ୍ୟ ଆସିଥାନ୍ତି ଷ୍ଟେସନ୍‌ ପର୍ଯ୍ୟନ୍ତ । କେତେକ ସତ୍ୟାଗ୍ରହୀ ମତେ ଟେକି ନେଇ ଥୋଇଲେ ଗୋଟିଏ ଡବାରେ । ସମିତି ତରଫରୁ ମୋ’ ପାଇଁ ୧୪ଟି କମଳା, ଗୋଟିଏ ବଟର୍‌ଡବା, କେତୋଟି ପାଉଁରୁଟି ଦିଆଯାଇଥାଏ ! ସମିତି ତରଫରୁ (ପୁନାଠାରୁ କଟକ ପର୍ଯ୍ୟନ୍ତ) ଖଣ୍ଡେ ପ୍ରଥମଶ୍ରେଣୀ ରେଳ ଟିକେଟ୍‌ ଜଣେ ସତ୍ୟାଗ୍ରାହୀ ଆଣି ବଢ଼େଇ ଦେଲେ ମୋ’ ହାତକୁ । ଗାଡ଼ି ପୁନା ଷ୍ଟେସନ ଛାଡ଼ିଲା ।

 

ମୋ’ ସହିତ ଥା’ନ୍ତି ଦୁଇ ଜଣ ପୁରୁଣା ସତ୍ୟାଗ୍ରାହୀ ବନ୍ଧୁ । ଶ୍ରୀ ପ୍ରାଣଲାଲ୍‌ଜୀ କୋଠାରୀ ଓ ଭୋପାଳର ସତ୍ୟାଗ୍ରହୀ ଜଣକ । ସେମାନେ ଓହ୍ଲେଇଯିବେ ‘କଲ୍ୟାଣ୍‌’ ଷ୍ଟେସନ୍‌ରେ, ଆଉ ମୁଁ ଏକୁଟିଆ ପଡ଼ି ରହିବି ‘ବମ୍ବେ-ହାଉଡ଼ାମେଲ୍‌’ର ଏକ ନିଭୃତ କମ୍ପାର୍ଟ୍‌ମେଣ୍ଟ୍‍ରେ !

 

ମନ ଭାରି ଖରାପ ଲାଗୁଥାଏ ।

 

ପୁଣି ଦୀର୍ଘ ୮୧ ଘଣ୍ଟା ରେଲ୍‌ଯାତ୍ରା ପରେ ଯାଇଁ ପାଦ ଦେବି କଟକ ଭୂଇଁରେ !

 

‘କଲ୍ୟାଣ୍‌’ ଷ୍ଟେସନ୍‌ ନିକଟ ହୋଇ ଆସିଲା.....

 

ଚାରିଟା ବାଜିବାକୁ ବାକୀ ଥାଏ ଦଶ ମିନିଟ୍‌ । ଦୂରରୁ ଦେଖାଗଲା ଷ୍ଟେସନ୍‌ର ସିଗ୍‌ନାଲ୍‌ଖୁଣ୍ଟି ଗୁଡ଼ିକ । ଶ୍ରୀ କୋଠାରୀ ମୋର ଜିନିଷପତ୍ର ସଜାଡ଼ି ଦେଲେ । କାରଣ, ଏହି ‘କଲ୍ୟାଣ୍‌’ ଠାରେ ମତେ ଗାଡ଼ି ବଦଳେଇ ଧରିବାକୁ ହେବ ବମ୍ବେ-ହାଉଡ଼ାମେଲ୍‌ ।

 

ଗାଡ଼ି ଠିଆହେଲା ।

 

ଦୁଇ ସତ୍ୟାଗ୍ରହୀ ବନ୍ଧୁଙ୍କ ସାହାଯ୍ୟରେ ଗାଡ଼ିରୁ ଓହ୍ଲେଇ ଆସିଲି ବିଶ୍ରାମାଗାରକୁ ।

 

ବମ୍ବେ-ହାଉଡ଼ା ମେଲ୍‌ରାତି ୭ଟା ବେଳେ ପହଞ୍ଚିବ ‘କଲ୍ୟାଣ୍‌’ରେ । ଶ୍ରୀ କୋଠାରୀଙ୍କ ଅନୁରୋଧରେ ତିନି ବନ୍ଧୁ ଏକା ଟେବୁଲ୍‌ରେ ବସି ଜଳଖିଆ ଖାଇଲୁଁ । ଡାହାଣ ହାତ ମୋର ପ୍ଲାଷ୍ଟରିଂ ହୋଇଥିବା ଯୋଗୁଁ,ଶ୍ରୀ କୋଠାରୀ ମତେ ଖୁଆଇ ଦେଲେ । ଖାଇସାରି ବିଶ୍ରାମ ନେଲି-ନିଦ ଆସିଗଲା ।

 

ନିଦ ଭାଙ୍ଗିଲା ବେଳକୁ ସାଢ଼େ ଛ’ଟା ବାଜି ଯାଇଥିଲା । ଓପରଓଳିର ନିତ୍ୟକର୍ମ ସାରି ଚା’ଖାଇ ବସିଲୁ ସମସ୍ତେ । ଚା’ ଖାଇସାରି କୋଠାରୀଙ୍କୁ କହିଲି ଗୋଟିଏ ବାରିକ ଡାକି ଦେବା ପାଇଁ । କାରଣ, ଦାଢ଼ିଗୁଡ଼ାକ ବଢ଼ିଯାଇ ଥାଏ । ସେ ଜଣେ ବାରିକ ଡାକି ଆଣିଲେ । ପାଖରେ ପଡ଼ିଥିବା ଖବର କାଗଜର ଗୋଟିଏ ସ୍ତମ୍ଭରେ ଦୃଷ୍ଟି ଅଟକି ଗଲା । ଦେଖିଲି, ଦଳେଇଘାଇ ଭାଙ୍ଗିବା ସମ୍ବାଦ ଲେଖାଅଛି । ମନ ବଡ଼ ଖରାପ୍‌ହେଲା ।

 

ଖିଅର ହୋଇ ସାରିବାର ଅଳ୍ପ ସମୟ ପରେ ମେଲ୍‌ଆସି ଠିଆ ହେଲା ଷ୍ଟେସନ୍‌ରେ । ଦୁଇ ବନ୍ଧୁଙ୍କ ସାହାଯ୍ୟରେ ଉଠିଲି ଗୋଟିଏ ପ୍ରଥମ ଶ୍ରେଣୀର ଡବାକୁ । ତା’ପରେ ଶ୍ରୀ କୋଠାରୀ, ଭୋପାଳର ସତ୍ୟାଗ୍ରହୀ ବନ୍ଧୁଟି ଆସି ବସିଲେ ମୋ’ ପାଖରେ ।

 

ଆଉ କେତେ ମିନିଟ୍‌ପରେ ଗାଡ଼ି ଛୁଟିବ ହାଉଡ଼ା ପଥରେ ! ଦେଖିଲି, ଶ୍ରୀ କୋଠାରୀଙ୍କ ଆଖି ତଳେ ଲୋତକର ବନ୍ୟା । ଭାବିଲି, ‘‘କାହିଁ ସୁଦୂର ଭୋପାଳ ଆଉ କଚ୍ଛର ଦୁଇ ଜଣ ଯୁବକ ଏ; କାହିଁ ଦୂର ଅଭିଶପ୍ତ ଓଡ଼ିଶାର ଏକ ଆଘାତପ୍ରାପ୍ତପାନ୍ଥ ମୁଁ ! ମାତ୍ର କେତୋଟି ଦିନ ପାଇଁ ଘନିଭୂତ ହୋଇ ଉଠିଥିଲା ବନ୍ଧୁତା ଏଇମାନଙ୍କ ସଙ୍ଗେ । ତା’ରି ଭିତରେ ଆମେ ଏପରି ଅନାବିଳ ସ୍ନେହରେ ବାନ୍ଧି ହୋଇ ପଡ଼ିଛୁଁ ! !’’

 

ମନେ ପଡ଼ିଲା......

 

ବାଲ୍ୟାବସ୍ଥାରୁ ଗଭୀର ଅନ୍ଧକାର ପଥର ଯାତ୍ରୀ ମୁଁ-ଶିରସ୍ତ୍ରାଣ ଉପର ଦେଇ କେତେ ଝଞ୍ଜା ବହିଛି—ସୀମାହୀନ ଦୁଃଖ, ନିର୍ଯ୍ୟାତନାର ଝଡ଼ ବହିଯାଇଛି ମୋର ଏଇ ଯାଯାବର ଛାତିରେ-। ଶୈଶବାବସ୍ଥାରୁ ବାପା-ବୋଉ ସନ୍ଧି କଲା ଭଳି ସାଜିଛନ୍ତି ମହାପଥର ଯାତ୍ରୀ-ନାଗଅଇରୀ ଗଛ ବଢ଼ିଲାପରି ବଢ଼ି ଉଠିଛି—ବେଉଷଣର ବି ପ୍ରୟୋଜନ ହୋଇନାହିଁ ! ତେଣୁ ଜୀବନ ଇତିହାସର ସଂଜ୍ଞା ମୁଁ ଏତିକି ବୁଝିଛି, ‘‘ହାସ-ଇତି’’ । ସେଇଥିପାଇଁ ଜୀବନର ସବୁ ଶୋକ ଆଉ ଦୁଃଖ ଭୁଲି ଟାଣି ଶିଖିଛି ଜୀବନର ସମାପ୍ତିରେଖା ।

 

ଶ୍ରୀ କୋଠାରୀଙ୍କ ଆଖି ତଳେ ଲୁହ ଦେଖି ମୁଁ ଆଉ ଧୈର୍ଯ୍ୟଧରି ପାରିଲି ନାହିଁ—ମୋ’ ଆଖି ମଧ୍ୟ ଛଳଛଳ ଆସିଲା ! ଶେଷରେ ବିଦାୟ ବେଳା ପାଖେଇ ଆସିଲା......

 

ଶ୍ରୀ କୋଠାରୀଙ୍କ ସହିତ କରମର୍ଦ୍ଦନ କଲି—ଗାଡ଼ି ହୁଇସିଲ ଦେଲା ‘କଲ୍ୟାଣ୍‌’ ଷ୍ଟେସନ୍‌ଛାଡ଼ିବାର ସୂଚନା ଦେଇ ସେମାନେ ଓହ୍ଳେଇଗଲେ—ମେଲ୍‌ ଛୁଟିଲା ହାଉଡ଼ା ପଥରେ ।

 

ଶରୀରରେ ପୀଡ଼ା, ବମ୍ବେ ପୋଲିସର ନିର୍ମ୍ମମ ପ୍ରହାର, ଆଘାତପ୍ରାପ୍ତ ଶରୀର ନେଇ ବର୍ତ୍ତମାନ କଟକ ପଥର ଯାତ୍ରୀ ମୁଁ । ଭୀଷଣ ଅବସନ୍ନତା ଅନୁଭବ କରୁଥାଏ—ଅପରିଚିତ ସହଯାତ୍ରୀ ତିନି ଚାରି, ଜଣ ମତେ ଚାହୁଁଥାନ୍ତି ବିସ୍ମିତ ନୟନରେ । ଅନ୍ଧକାରର ବକ୍ଷ ଚିରି , ବଣ, ଜଙ୍ଗଲ, ସୁଦୀର୍ଘ ସୁଡ଼ଙ୍ଗ ପଥ ଦେଇ ନିଜର ସ୍ୱଭାବ-ସୁଲଭ ଗତିରେ ଧାଇଁଥାଏ ବମ୍ବେ-ହାଉଡ଼ା ମେଲ୍‌ । ମୋର ସେ ସବୁରେ ଲକ୍ଷ୍ୟ ନ ଥାଏ । ଶୋଇ ରହି ଭାବୁଥାଏ ଗୋଆ ମୁକ୍ତି ସଂଗ୍ରାମର କଥା । ‘କେବେ ଏହି ମୁକ୍ତି ସଂଗ୍ରାମର ଅବସାନ ହବ ଆଉ ଗୋଆ ଆକାଶରେ ଦେଖାଦେବ ଚିର ଇପ୍‌ସିତ ସ୍ୱାଧୀନତାର ଉଦୀୟମାନ ରବି !!’

 

ଗାଡ଼ି ପହଞ୍ଚିଛି ସେତେବେଳକୁ ‘ନାସିକ୍‌ ରୋଡ଼’ ଷ୍ଟେସନ୍‌ରେ । ହଠାତ୍ ମୋର ଭାବନାର ଅଳନ୍ଧୁ ଠେଲି ଦେଖାଦେଲେ ଜଣେ ଅଳ୍ପବୟସ୍କା ତରୁଣୀ । ମୋ’ରି ଡବାରେ କେତେବେଳକୁ, କୋଉଠୁ ସେ ବସିଛନ୍ତି—ଜାଣେନା । କିନ୍ତୁ ସେତେବେଳକୁ ସେ ମୋର ଏକମାତ୍ର ସହଯାତ୍ରୀଣୀ । ବିଷର୍ଣ୍ଣ ମୁଖଛବି—ନିଷ୍ପ୍ରଭ ନୟନ—ସେ ବସିଥାନ୍ତି ।

‘‘ଆପଣ କୋଉଠିକି ଯିବେ?’’ ପଚାରିଲି ।

କିନ୍ତୁ......ମୁହୂର୍ତ୍ତକ ପର୍ଯ୍ୟନ୍ତ କୌଣସି ଉତ୍ତର ନାହିଁ ! ଦେଖିଲି, ସେ ଲୁଗାକାନିରେ ଆଖିରୁ ଲୁହ ପୋଛିବାର ଉପକ୍ରମ କଲେ ।

(‘‘ପଚାରି ବୋଧେ କିଛି କଷ୍ଟ ଦେଲି !’’) ଭାବି, କ୍ଷମା ମାଗି ନେବାର ଉପକ୍ରମ କରୁକରୁ ବାଷ୍ପାକୁଳ କଣ୍ଠରେ ତରୁଣୀ କହିଲେ, ‘‘ଆଜ୍ଞା ! ଯିବି କୋଉଠିକି ? ଏଇ ଯାତ୍ରା ମୋର ଆରମ୍ଭ ଆଉ ଶେଷ । ନିର୍ଦ୍ଦିଷ୍ଟ ଜାଗା ମୋର ନାହିଁ ।’’

କୌତୁହଳ ଜନ୍ମିଲା, ଇଚ୍ଛା ହେଲା ତାଙ୍କର ପ୍ରକୃତ ଅବସ୍ଥା ଜାଣିବା ପାଇଁ । ମୋ’ ମନୋଭାବ ଲକ୍ଷ୍ୟ କରି ତରୁଣୀ ଆରମ୍ଭ କଲେ—ତାଙ୍କ ଅତୀତ ଜୀବନର ବ୍ୟଥାମୟ କରୁଣ କାହାଣୀ ।

ଦିଲ୍ଲୀ ଉପକଣ୍ଠର ଏକ ସମ୍ଭ୍ରାନ୍ତ ବଂଶୀୟା ମହିଳା ସେ । ବାପା ତାଙ୍କର ତାଙ୍କୁ ବିବାହ ଦେଇଥିଲେ ଦିଲ୍ଲୀର ଏକ ଉଚ୍ଚଶିକ୍ଷିତ, ବିଦେଶ ଫେରନ୍ତା ଯୁବକଙ୍କ ସହିତ—ଝିଅ ସୁଖରେ ରହିବା ପାଇଁ । କିନ୍ତୁ ଫଳ ହେଲା ଠିକ୍‌ ଓଲଟା । ଛ’ଟି ମାସ ନ ପୂରୁଣୁ ତାଙ୍କ ଦାମ୍ପତ୍ୟଜୀବନ ଆକାଶରେ ଘୋଟି ଆସିଲା ଅଦିନର କଳାମେଘ । ସ୍ୱାମୀ ତାଙ୍କର କୁଆଡ଼େ ମଦ୍ୟପ ଆଉ ଲମ୍ପଟ । କୌଣସି ଏକ ଆମେରିକାନ୍‌ ମହିଳାଙ୍କ ପ୍ରେମରେ ପଡ଼ି ସେ ଆତ୍ମହରା ହେବାରୁ ୟେ ତାର ପ୍ରତିବାଦ କଲେ-। ପ୍ରତିବାଦ କରିବାରୁ ସେ ଆଜି ପରିତ୍ୟକ୍ତା ।

ବାପା ତାଙ୍କର ଗତବର୍ଷ ଇହଧାମରୁ ବିଦାୟ ନେଇଛନ୍ତି—ବାଲ୍ୟାବସ୍ଥାରୁ ସେ ମାତୃହୀନା । ଫଳରେ ପିତୃଗୃହକୁ ଫେରିଯିବାର ପଥ ରୁଦ୍ଧ । ପାଖରେ ନ ଥିଲା ପାଥେୟ—ଦୁଇଦିନ ଧରି କଟିଛି ଅନାହାରରେ—ପିନ୍ଧା ଶାଢ଼ୀଟି ଛଡ଼ା ଅନ୍ୟ କିଛି ସମ୍ବଳ ନାହିଁ । ସେ ଯାଉଥିଲେ ନାଗପୁର । ସେଠି ତାଙ୍କର ଜଣେ କିଏ ଆତ୍ମୀୟ ଅଛନ୍ତି—ସେ ବି ତାଙ୍କୁ ଆଶ୍ରୟ ଦେବେ କି ନାହିଁ; ତା’ ମଧ୍ୟ ସନ୍ଦେହଜନକ !!

ତରୁଣୀଙ୍କୁ ଚାହିଁ ଦେଖିଲି, ଜ୍ୟୋତିହୀନ ମୁଖମଣ୍ଡଳ ଦିଶୁଛି ପାଣ୍ଡୁର । ସତେ ଯିମିତି ସଦ୍ୟ ଗୋଲାପର ବୃନ୍ତ ଉପରେ କିଏ ଉଷ୍ଣୋଦକ ଢାଳି ଦେଇଛି !!

ସଙ୍ଗେ ସଙ୍ଗେ ବ୍ୟାଗ୍ ଭିତରୁ ୪ଟି କମଳା, ଗୋଟିଏ ପାଉଁରୁଟି କାଢ଼ି ଥୋଇ ଦେଇ ତାଙ୍କୁ ଅନୁରୋଧ କଲି ସେତକ ଖାଇବା ପାଇଁ । ନାରୀ ସୁଲଭ ଲଜ୍ଜାରେ ସେ ମଥା ଅବନତ କଲେ ତଳକୁ । ବହୁ ଅନୁରୋଧ ପରେ ସେ ସେତକ ଖାଇଲେ ।

ତା’ପରେ...ସେ ଶୁଣିଲେ ମୁଁ ଗୋଆ ସୀମାନ୍ତରୁ ଫେରୁଛି । ଶୁଣି, ଆଶ୍ଚର୍ଯ୍ୟ ହୋଇଗଲେ ।

ଆରଦିନ ବାରଟା, ଗାଡ଼ି ପହଞ୍ଚିଲା ନାଗପୁରରେ । ତରୁଣୀଟି ବିଦାୟ ଏହିଠାରୁ । ବିଦାୟ ପୂର୍ବରୁ ସ୍ୱତଃପ୍ରବୃତ୍ତ ହୋଇ ପାଞ୍ଚୋଟି ଟଙ୍କା କାଢ଼ି ବଢ଼େଇ ଦେଲି । ଅନିଚ୍ଛା ସତ୍ୱେ ସେ ତାକୁ ଗ୍ରହଣ କଲେ—ଅବସ୍ଥା ଦୃଷ୍ଟିରୁ । ଆଖି ତଳେ ଫୁଟି ଉଠୁଥିଲା ମୋ’ପ୍ରତି ଶତ-କୃତଜ୍ଞତା ଜ୍ଞାପନର ଚିହ୍ନ । ଗାଡ଼ି ଗଡ଼ିବା ପୂର୍ବରୁ ତାଙ୍କ ମୁହଁରୁ ଏତିକି ଶୁଣିଥିଲି, ‘‘ଜିନ୍ଦ୍‌ଗି ବରବାଦ୍‌ ହୋ ଗୟା-।’’

ପୁଣି ଗାଡ଼ି ଚାଲିଲା ତା’ର ଗନ୍ତବ୍ୟ ପଥରେ ।

ଗୋଆ ପ୍ରବେଶ କରି ପାରିଲି ନାହିଁ—ସୀମାନ୍ତରୁ ଆହତ ହୋଇ ଫେରିଲି । ଏହି ଅସନ୍ତୋଷ କେବଳ ମୋ’ ଛାତିତଳେ ଜମାଟ ବାନ୍ଧିଥାଏ ଏକ ପୁଞ୍ଜିଭୂତ ରୂପ ନେଇ । ଗତ (୧୯୫୫) ଅଗଷ୍ଟ ପନ୍ଦର ତାରିକରେ ଯେଉଁ ବୀର ସହୀଦମାନେ ଗୋଆମାଟି ଉପରେ ପ୍ରାଣବଳୀ ଦେଇଥିଲେ, ସେମାନଙ୍କ ସ୍ୱର୍ଗତ ଆତ୍ମାକୁ ନୀରବରେ ଅଭିନନ୍ଦନ ଜଣାଇଁ, ବସି ପ୍ରମାଣ କଲି ।

୧୯୫୫ ସେପ୍‌ଟେମ୍ବର ତା ୨୬ ରିଖରେ ଧୂସର ଅପରାହ୍ନ... ୨୫୦୦ମାଇଲି ରେଲଯାତ୍ରା, ଆଘାତପ୍ରାପ୍ତ, ଆହତ ଶରୀରକୁ ନେଇ ପାଦ ଦେଲି କଟକ ଷ୍ଟେସନ ପ୍ଲାଟ୍‌ଫର୍ମ ବୁକୁରେ ।

ପୁନର୍ଲିଖନ କାଳ—

ତା ୨୦ । ୨ । ୫୭—୧୧ । ୫ । ୫୮

Image